ଭୁବନେଶ୍ବର: ଅନେକ କସରତ ପରେ ବନ୍ଦ ହୋଇଥିଲା ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ। ଗତ ଶନିବାର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଓମ୍‌ସାର ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲା ସଂଘ। ଅବଶ୍ୟ ସରକାର ଡାକ୍ତରଙ୍କ ଦାବି ପୂରଣ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିବାର ପ୍ରତିଶ୍ରୁତି ଦେବା ପରେ ଏହି ଆନ୍ଦୋଳନ ସ୍ଥଗିତ ହୋଇଥିଲା। ଆଉ ଏହି କ୍ରମରେ ମଙ୍ଗଳବାର ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି ସରକାର।

ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍ (OMSA) ପକ୍ଷରୁ ଉଠାଯାଇଥିବା ବିଭିନ୍ନ ଦାବି ଉପରେ ବିଚାର ବିମର୍ଶ କରି ରାଜ୍ୟ ସରକାରଙ୍କୁ ଏହି କମିଟି ରିପୋର୍ଟ ଦେବ। ଅର୍ଥ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଆନ୍ତଃବିଭାଗୀୟ କମିଟି ଗଠନରେ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ, ଆଇନ ଏବଂ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ସଦସ୍ୟ ଥିବା ବେଳେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆବାହକ ରହିଛନ୍ତି ।

Also Read: ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଓମ୍‌ସାର ଆଲୋଚନା ପରେ ନିଷ୍ପତ୍ତି

ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍ (OMSA) ପକ୍ଷରୁ ଉଠାଯାଇଥିବା ବିଭିନ୍ନ ଦାବିର ବ୍ୟବହାରିକତା ଯାଞ୍ଚ କରି ସରକାରଙ୍କୁ ସୁପାରିଶ ଦେବା ପାଇଁ ଅର୍ଥ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଆନ୍ତଃବିଭାଗୀୟ କମିଟି ଗଠନ କରାଯାଇଛି। ଏହି କମିଟିରେ, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଧ୍ୟକ୍ଷ ଭାବରେ ରହିଥିବା ବେଳେ, ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ (GA&PG) ବିଭାଗର ପ୍ରମୁଖ ସଚିବ, ଆଇନ ବିଭାଗର ପ୍ରମୁଖ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-କମ୍-ସଚିବ ସଦସ୍ୟ ଭାବରେ ରହିଛନ୍ତି। ସେହିଭଳି ଓଡ଼ିଶା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ସଦସ୍ୟ ଆବାହକ ରହିଛନ୍ତି।