ଚାନ୍ଦବାଲି ୦୧/୦୧: ଡିଜିଟାଲ ଯୁଗରେ ସବୁକିଛି ଫଟାଫଟ । ଠିକଣା ବି ମିଳିଯାଉଛି ହାତ ପାହାନ୍ତରେ । କାରଣ ସଭିଙ୍କର ପସନ୍ଦ ଗୁଗଲ ମ୍ୟାପ୍ । ସର୍ଚ୍ଚ କଲେ ଚୁଟ୍‌କିରେ ଠିକଣା ଉପଲବ୍ଧ । ରାସ୍ତା ନ ଜଣାଥିଲେ ବି ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଦେଉଛି । ହେଲେ ଏଥର କିନ୍ତୁ ଠକି ଦେଇଛି ଗୁଗଲ ମ୍ୟାପ୍ । ଲୋକଙ୍କୁ ଦେଇଛି ଧୋକା । ଯାହା ଫଳରେ ହିନସ୍ତା ହୋଇଛନ୍ତି ଟ୍ରକ୍ ଚାଳକ । ଯେଉଁଥିପାଇଁ ଗାଁକୁ ମାଡ଼ିଗଲା ଟ୍ରକ, ଭାଙ୍ଗି ଗଲା ଘର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚନ୍ଦବାଲିରେ ।

ସୂଚନାଥାଉକି, ଭୋରରୁ କଟକରୁ ଏକ ଟ୍ରକ ଧାମରା ବନ୍ଦର ଅଭିମୁଖେ ଯାଉଥିଲା । ନୂଆ କରି ଧାମରାକୁ ଗାଡି ନେଇ ଯାଉଥିବା ଡ୍ରାଇଭରକୁ ରାସ୍ତା ଜଣା ନ ଥିବାରୁ ସେ ଗୁଗଲ ମ୍ୟାପ ଦେଖି ଗାଡି ଚଳାଉଥିଲେ । ମାତ୍ର ଭଦ୍ରକ-ଚନ୍ଦବାଲି ମୁଖ୍ୟ ରାସ୍ତାର ଦିଗଛିଆ ଛକ ନିକଟସ୍ଥ ପାତ୍ରସାହି ରାସ୍ତାରେ ଗାଡି ଚଳାଇ ଗାଁ ଭିତରକୁ ନେଇ ଯାଇଥିଲେ ।

ଅଣଓସରିଆ ଗାଁ ଭିତରେ ବଡ଼ ଟ୍ରକଟି ଆଉ ବୁଲି ନ ପାରି ରମେଶ ଦାସଙ୍କ ଘର ଉପରେ ମାଡି ଯାଇଥିଲା । ତାଙ୍କର ଘର ଆଜଵେଷ୍ଟ ଘର ଅଳ୍ପକେ ଭାଙ୍ଗି ଥିଲା । ଏହା ଦେଖି ଗାଁ ଲୋକେ ବାଂଶଡା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବାଂଶଡା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଗାଡିକୁ ଉଦ୍ଧାର କରି ଥାନାକୁ ନେଇଥିବା ଜଣାପଡ଼ିଛି ।