କାନପୁର : ପରୀକ୍ଷାରେ ମିଳିଲାନି ସଫଳତା । ମେଧାବୀ ଛାତ୍ର ଥିଲେ କିନ୍ତୁ ବିଫଳତା ସହ୍ୟ ହେଲାନି । ଶେଷରେ ଜୀବନ ହାରିଦେଲେ ଗୋଲ୍ଡ୍ ମେଡାଲିଷ୍ଟ୍ । କିଛି ଏପରି ଘଟଣା ଘଟିଛି ଉତ୍ତର ପ୍ରଦେଶର କାନପୁରରେ । ଏହାସହ ତାଙ୍କ ମୃତଦେହ ପାଖରୁ ଏଖ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି । ରିପୋର୍ଟ ଅନୁସାରେ, କାନପୁରରେ ଆନନ୍ଦ ନାମକ ଜଣେ ମେଧାବୀ ଛାତ୍ର ଯିଏ କି ଜଣେ ଗୋଲ୍ଡ୍ ମେଡାଲିଷ୍ଟ୍ ସେ ସରକାରୀ ଚାକିରି ପାଇଁ ଆତ୍ମହତ୍ୟା କରିଛନ୍ତି । ସେ ଅନେକ ଦିନ ଧରି ସରକାରୀ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିଲେ । ହେଲେ ସଫଳତା ପାଉନଥିଲେ । ବାରମ୍ବାର ପ୍ରୟାସ କରି ବିଫଳ ହେଉଥିଲେ । ଗୋଟିଏ ପଟେ ପରିବାରର ଆଶା ଏବଂ ଅନ୍ୟ ଦିଗରେ ପଢାର ଚାପ । ସେ ବ୍ୟତିବ୍ୟସ୍ତ ହୋଇ ପଡୁଥିଲେ । ପ୍ରାୟ ୫୦ଥର ବିଫଳ ହେବା ପରେ ହାର୍ ମାନିଯାଇଥିଲେ ଆନନ୍ଦ । ତେଣୁ ବାଧ୍ୟ ହୋଇ ନେଇଥିଲେ ଚରମ ନିଷ୍ପତ୍ତି ।

କଲେଜରେ ଥିଲେ ଗୋଲ୍ଡ୍ ମେଡାଲିଷ୍ଟ୍:ପୋଲିସ କହିଛି ଯେ, ଆନନ୍ଦ ବିଟେକ୍ ପଢିଛନ୍ତି । ସେ ଏକ ଘରୋଇ କଲେଜରେ ଟପ୍ପର ଥିଲେ । ସାରା ଉତ୍ତର ପ୍ରଦେଶରେ ରାଙ୍କ୍ ତିନି ହାସଲ କରିଥିଲେ । ୨୦୨୪ରେ କଲେଜର ଏକ ସମାରୋହରେ ତାଙ୍କୁ ଗୋଲ୍ଡ୍ ମେଡାଲ ମିଳିଥିଲା । କିନ୍ତୁ ତଥାପି କାହିଁକି ଆତ୍ମହତ୍ୟା ଭଳି ଚରମ ସୀମା ଡେଇଁଲେ ଆନନ୍ଦ ତାକୁ ନେଇ ଚାଲିଛି ତଦନ୍ତ । ସୂଚାନୁଯାୟୀ, ଆତ୍ମହତ୍ୟା କରିବା ସମୟରେ ସେ ଘରେ ଏକା ଥିଲେ । ପରିବାରର ଅନ୍ୟ ସଦସ୍ୟ ବଡ ଭାଇଙ୍କ ବିବାହ ପାଇଁ ବିହାର ଯାଇଥିଲେ । ଏହି ସମୟରେ ଆନନ୍ଦ ନିଜ ରୁମର କବାଟ ବନ୍ଦ କରି ଝୁଲି ପ଼ଡିଥିଲେ । ଦୀର୍ଘ ସମୟ ଧରି ସେ କବାଟ ନଖୋଲିବାରୁ ଘରେ କାମ କରୁଥିବା ଜଣେ ମହିଳା କବାଟ ବାଡେଇଥିଲେ । ଏହାପରେ ସେ ପୋଲିସକୁ ଏନେଇ ସୂଚନା ଦେଇଥିଲେ । ପୋଲିସ ଆସି କବାଟ ଭାଙ୍ଗିଲା ବେଳକୁ ବିଳମ୍ବ ହୋଇଯାଇଥିଲା । ଆନନ୍ଦଙ୍କ ପ୍ରାଣବାୟୁ ଉଡିଯାଇଥିଲା

ସୁଇସାଇଡ୍ ନୋଟରେ ଥିଲା ଏମିତି କଥା:ମୃତ୍ୟୁ ପୂର୍ବରୁ ଆନନ୍ଦ ଏକ ସୁଇସାଇଡ୍ ନୋଟ୍ ଲେଖି ଯାଇଛନ୍ତି । ସେଥିରେ ସେ 'ସରି ବାପା' ବୋଲି ଲେଖିଛନ୍ତି । ଏହାସହ ସେ ସରକାରୀ ଚାକିରି ପାଇଁ ୫୦ ଥର ପ୍ରୟାସ କରିଥିଲେ । କିନ୍ତୁ ସଫଳ ହୋଇପାରିନଥିଲେ । ଏଥିପାଇଁ ତାଙ୍କୁ କ୍ଷମା କରିଦେବାକୁ ସେ କହିଛନ୍ତି । ଅନ୍ୟ ଦିଗରେ ଆନନ୍ଦଙ୍କ ପିତା ପୁଅର ମୃତ୍ୟୁରେ ଭାଙ୍ଗିପଡିଛନ୍ତି । ପୁଅ ଦୀର୍ଘଦିନ ହେବା ମାନସିକ ଚିନ୍ତାରେ ଥିଲା । ସେ ରେଲଓ୍ୱେସ, ଏସଏସସି, ୟୁପିଏସସି ଆଦି ପରୀକ୍ଷା ଦେଉଥିଲେ । କିନ୍ତୁ ସଫଳତା ପାଉନଥିଲେ ବୋଲି କହିଛନ୍ତି ।