ଭୁବନେଶ୍ୱର: ରାଜଧାନୀର ଗୁରୁତ୍ୱପୂର୍ଣ୍ଣ ଜୟଦେବ ବିହାର–ନନ୍ଦନକାନନ ରାସ୍ତାର ଉନ୍ନତୀକରଣ ଓ ବିଭିନ୍ନ ଛକରେ ଫ୍ଲାଏଓଭର ନିର୍ମାଣ ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ୨୦୨୬-୨୭ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ ରାଜ୍ୟପାଳଙ୍କ ଅନୁମୋଦନକ୍ରମେ ଅର୍ଥ ମଞ୍ଜୁର କରାଯାଇଥିବା ନେଇ ଇଞ୍ଜିନିୟର-ଇନ୍-ଚିଫ୍ (ସିଭିଲ୍-କମ୍-ରୋଡ୍ସ), ଓଡ଼ିଶାଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ଏହି ପ୍ରକଳ୍ପରେ କଳିଙ୍ଗ ଷ୍ଟାଡିୟମ୍ର ଗେଟ୍ ନମ୍ବର-୪ ନିକଟ ୦+୦୦୦ କିଲୋମିଟରରୁ ରଘୁନାଥପୁର ବ୍ରିଜ୍ ନିକଟ ୯+୫୦୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ ସହ ବିଭିନ୍ନ ଛକରେ ଫ୍ଲାଏଓଭର ନିର୍ମାଣ କରାଯିବ। ଏଥିପାଇଁ ଖୋର୍ଦ୍ଧା ଜିଲ୍ଲା ଟ୍ରେଜେରି ମାଧ୍ୟମରେ ଅର୍ଥ ବ୍ୟୟ ହେବ। ଓଡ଼ିଶା ରାଜ୍ୟ ସଡ଼କ ପ୍ରକଳ୍ପ (ଓଏସ୍ଆର୍ପି)ର ଭୁବନେଶ୍ୱରସ୍ଥିତ ପ୍ରକଳ୍ପ ପରିଚାଳନା ୟୁନିଟ୍ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଏହି ଅର୍ଥର ଆହରଣ ଓ ବିତରଣ ଦାୟିତ୍ୱ ଦିଆଯାଇଛି।