ନୂଆଦିଲ୍ଲୀ: ସ୍ୱିଜରଲ୍ୟାଣ୍ଡରେ Glacierଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ବୈଜ୍ଞାନିକମାନେ ଏକ ନୂଆ ଏବଂ ପରିବେଶ-ଅନୁକୂଳ ଉପାୟ ଆପଣେଇଛନ୍ତି। ଆଲ୍ପସ ପାର୍ବତ୍ୟାଞ୍ଚଳରେ ବରଫକୁ ତରଳିବାରୁ ରୋକିବା ପାଇଁ ମେଣ୍ଢା ପଶମରୁ ତିଆରି ଚାଦର ବ୍ୟବହାର କରାଯାଉଛି । ଏହା ସୂର୍ଯ୍ୟଙ୍କ ଉତ୍ତାପକୁ ପ୍ରତିଫଳିତ କରି ବରଫକୁ ସୁରକ୍ଷିତ ରଖୁଛି। ଏହି ପରୀକ୍ଷଣ ସ୍ୱିଜରଲ୍ୟାଣ୍ଡର ପଶ୍ଚିମ ଭାଗରେ ଥିବା 'ସାନ୍‌ଫ୍ଲୋରନ୍ ଗ୍ଲେସିୟର' ରେ କରାଯାଇଛି । ଏହା ସମ୍ପୂର୍ଣ୍ଣ ସଫଳ ହୋଇଛି।

 ଏହି ବିଶେଷ ପ୍ରକଳ୍ପର ନାମ “Keep It Wool” ରଖାଯାଇଛି। ପୂର୍ବରୁ ବରଫକୁ ତରଳିବାରୁ ରୋକିବା ପାଇଁ ପ୍ଲାଷ୍ଟିକ୍ ବା କୃତ୍ରିମ ଚାଦର ବ୍ୟବହାର କରାଯାଉଥିଲା। କିନ୍ତୁ ଏଗୁଡ଼ିକ ମାଟିରେ ମିଶେ ନାହିଁ ।  ସେଥିପାଇଁ ପରିବେଶ ସଂସ୍ଥା ‘ସମିଟ୍ ଫାଉଣ୍ଡେସନ୍’ ଏବଂ ‘ଲୋଜାନ୍ ବିଶ୍ୱବିଦ୍ୟାଳୟ’ର ଗବେଷକମାନେ ପ୍ରାକୃତିକ ମେଣ୍ଢା ପଶମ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲେ।

ପ୍ଲାଷ୍ଟିକ୍ ସିଟ୍ ବ୍ୟବହାର କରିବା ଆବଶ୍ୟକ ପଡ଼ୁନଥିବାରୁ ପରିବେଶ ଉପରେ ପ୍ଲାଷ୍ଟିକ୍ ବୋଝ କମୁଛି।  ସ୍ୱିଜରଲ୍ୟାଣ୍ଡରେ ପ୍ରତିବର୍ଷ ପ୍ରାୟ ୪୦% ରୁ ୭୦% ମେଣ୍ଢା ପଶମ ନଷ୍ଟ ହୋଇଥାଏ। ଏହି ପ୍ରକଳ୍ପ ଦ୍ୱାରା ଅଦରକାରୀ ପଶମର ସଠିକ୍ ବ୍ୟବହାର ହୋଇପାରୁଛି। ଗବେଷକମାନେ ୩.୫ କିଲୋମିଟର ପରିବ୍ୟାପ୍ତ ସାନଫ୍ଲୋରନ୍ ଗ୍ଲେସିୟରର ପ୍ରାୟ ୨୦୦ ବର୍ଗ ମିଟର ଅଞ୍ଚଳରେ ପଶମ ଚାଦର ଘୋଡ଼ାଇ ପ୍ରତି ଦୁଇ ସପ୍ତାହରେ ଏହାର ଯାଞ୍ଚ କରୁଥିଲେ। 

ପଶମ ଚାଦର କୃତ୍ରିମ ସିଟ୍ ଭଳି ସମାନ ଭାବରେ ବରଫକୁ ତରଳିବାରୁ ରୋକିବାରେ ସଫଳ ହୋଇଛି। ଲୋଜାନ୍ ବିଶ୍ୱବିଦ୍ୟାଳୟର ଛାତ୍ର ଏଲିଅଟ୍ ଗାପିଓ କହିଛନ୍ତି ଯେ, ଏବେ ଆମ ପାଖରେ ଏକ ପ୍ରାକୃତିକ ଓ ପ୍ରତ୍ୟକ୍ଷ ପରିବେଶ-ଅନୁକୂଳ ସମାଧାନ ରହିଛି। ସେପଟେ ଗବେଷକମାନେ ସ୍ପଷ୍ଟ କରିଛନ୍ତି ଯେ, ପଶମ ଚାଦର ଘୋଡ଼ାଇବା ଗ୍ଲୋବାଲ ୱାର୍ମିଂର ସ୍ଥାୟୀ ସମାଧାନ ନୁହେଁ। ଗ୍ଲେସିୟରକୁ ସମ୍ପୂର୍ଣ୍ଣ ରକ୍ଷା କରିବାକୁ ହେଲେ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନ କମାଇବାକୁ ପଡ଼ିବ। 

ନିକଟରେ ନେପାଳରେ ଗ୍ଲେସିୟର ହ୍ରଦ ବିସ୍ଫୋରଣ ଯୋଗୁଁ ଭୟଙ୍କର ବନ୍ୟା ଆସିଥିଲା। ହିମାଳୟ ଅଞ୍ଚଳ ଅନ୍ୟ ଜାଗା ତୁଳନାରେ ଦ୍ରୁତ ଗତିରେ ଉତ୍ତପ୍ତ ହେଉଥିବାରୁ, ଯଦି ତୁରନ୍ତ ପଦକ୍ଷେପ ନନିଆଯାଏ, ତେବେ ଏପରି ବିପତ୍ତି ବାରମ୍ବାର ଘଟିପାରେ।