ଭୋଗରାଇ ୫।୬: ପ୍ରେମ ସମ୍ପର୍କରୁ ହଙ୍ଗାମା । ଯୁବକଙ୍କ ଘରେ ପଶି ଭଙ୍ଗାରୁଜା କଲେ ଝିଅଘର ଲୋକେ । ଜଣେ ନାବାଳିକାକଙ୍କୁ ପ୍ରେମ କରି ବିବାହ କରିବା ମହଙ୍ଗା ପଡିଛି ପରିବାରକୁ । ଏନେଇ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିଲେ ମଧ୍ୟ ଝିଅର ଘର ଲୋକେ କିନ୍ତୁ ଚୁପ୍ ହୋଇନାହାନ୍ତି । ଦିନ ଦ୍ଵିପ୍ରହରରେ ପୁଅ ଘରେ କେହି ନଥିବା ଅବସ୍ଥାରେ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏନେଇ ଚନ୍ଦନେଶ୍ଵର ଫାଣ୍ଡିରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି । ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିବା ଚନ୍ଦନେଶ୍ଵର ଫାଣ୍ଡି ଅଧିକାରୀ ବନ ବିହାରୀ ଶତପଥୀ ପ୍ରକାଶ କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୋଗରାଇର କାନ୍ଥିଭଉଁରୀ ପଞ୍ଚାୟତ ଅଧୀନ ସେହି ଗାଁରେ ।

Also Read:- ସୌମ୍ୟ ଏବଂ ଓମ୍‌ଙ୍କ ବିବାଦ ନେଇ ଅଡିଓ କ୍ଲିପ୍‌ରେ ଖୁଲାସା, କିଏ ଏହି ରହସ୍ୟମୟୀ ଯୁବତୀ ?

ସୂଚନାଯୋଗ୍ୟ ଯେ, କାନ୍ଥିଭଉଁରୀ ଗାଁର ବିନୋଦ ଭୋଳଙ୍କ ପୁଅ ଜଗନ୍ନାଥ ପ୍ରାୟ ୧୦ ଦିନ ପୂର୍ବରୁ ଜୟରାମପୁର ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ନେଇ କୁଆଡେ ଫେରାର ହୋଇ ଯାଇଛନ୍ତି । ଏନେଇ ଭୋଗରାଇ ଥାନାରେ ମାମଲା ରୁଜୁ ମଧ୍ୟ ହୋଇଛି । ମାମଲା ରୁଜୁ ପରେ ପୁଅର ବାପା, ମାଆ ପରିବାର ଲୋକେ ମଧ୍ୟ ଭୟରେ ଘରଛାଡି କୁଆଡେ ପଳାଇ ଯାଇଛନ୍ତି । ମାତ୍ର ଝିଅର ବାପା ଘର ଲୋକେ କାନ୍ଦିଭଉଁରୀ ଗାଁକୁ ଆସି ଜଗନ୍ନାଥଙ୍କ ଘରର ଗ୍ରୀଲ ଭାଙ୍ଗି ଘରେ ପଶିଥିଲେ । ଘରେ ଥିବା ବିଭିନ୍ନ ଆସବାବପତ୍ରକୁ ଫିଙ୍ଗି ଭଙ୍ଗାରୁଜା କରିଛନ୍ତି । ନିକଟରେ ରହୁଥ‌ିବା ଜଗନ୍ନାଥଙ୍କ ବିବାହିତା ଭଉଣୀ ଏହାକୁ ବିରୋଧ କରିବାରୁ ତାଙ୍କୁ ବି ଛାଡି ନଥିଲେ । ଏନେଇ ଝରଣା ଚନ୍ଦନେଶ୍ଵର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ।