ଇସଲାମାବାଦ: ଫିଲ୍ଡ ମାର୍ଶଲ ଅସୀମ୍ ମୁନିର ସେନାର ଶୀର୍ଷ ସ୍ତରରେ ଥିବା ଏକ ପ୍ରମୁଖ ଚାରି-ତାରକା ପଦବୀ ପୂରଣ କରିଛନ୍ତି। ନଭେମ୍ବର ୨୦୨୫ରେ ଆସିଥିବା ୨୭ତମ ସମ୍ବିଧାନ ସଂଶୋଧନ ପରେ ଏହି ନୂତନ ପଦବୀ ସୃଷ୍ଟି ହୋଇଥିଲା।
ବର୍ତ୍ତମାନ ଚିଫ୍ ଅଫ୍ ଜେନେରାଲ ଷ୍ଟାଫ୍ ଭାବରେ କାର୍ଯ୍ୟରତ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଆମିର ରଜାଙ୍କୁ 'କମାଣ୍ଡର, ନ୍ୟାସନାଲ ଷ୍ଟ୍ରାଟେଜିକ୍ କମାଣ୍ଡ' (CNSC) ନିଯୁକ୍ତ କରାଯାଇଛି।

ଆମିର ରଜାଙ୍କ ସେନା କ୍ୟାରିଅର୍
ଜେନେରାଲ ଆମିର ରଜା ୧୯୯୦-୧୯୯୧ ମସିହାରେ ମଙ୍ଗଲାରେ 'ଅଫିସର୍ସ ଟ୍ରେନିଂ ସ୍କିମ୍' ମାଧ୍ୟମରେ ପାକିସ୍ତାନ ସେନାରେ ଯୋଗ ଦେଇଥିଲେ। ସେ ବ୍ରିଟିଶ ଶାସନ କାଳରେ (୧୯୨୧) ଗଠିତ '୬ ଲାନ୍ସର୍ସ' ଆର୍ମର୍ଡ କୋର୍ ଅଫିସର। ଏହି ରେଜିମେଣ୍ଟ ୧୯୬୫ ଭାରତ-ପାକ୍ ଯୁଦ୍ଧରେ କାସୁର ସେକ୍ଟରରେ ସକ୍ରିୟ ଥିଲା ଏବଂ ୧୯୭୧ ଯୁଦ୍ଧ ସମୟରେ ସାହିୱାଲ ଓ ସିନ୍ଧୁର ଛୋର-ଉମରକୋଟ୍ ସେକ୍ଟରରେ ନିୟୋଜିତ ଥିଲା।

ଅଗଷ୍ଟ ୨୦୧୭ରେ ମେଜର ଜେନେରାଲ ଭାବରେ ସେ ଖାରିଆନସ୍ଥିତ ୩୭ ଇନ୍‌ଫାଣ୍ଟ୍ରି ଡିଭିଜନ୍‌ର କମାଣ୍ଡର ଥିଲେ। ୨୦୨୦ରେ ହେଭି ଇଣ୍ଡଷ୍ଟ୍ରିଜର ଦାୟିତ୍ୱ ନେଇଥିଲେ। ଆମିର ରଜାଙ୍କର ଏହି ପଦୋନ୍ନତି ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଭାବରେ ଦେଖାଯାଉଛି ।  ଅସୀମ ମୁନିରଙ୍କ ଅଧିକ ନିକଟତର ମନେ କରାଯାଉଥିବା ଲେଫ୍ଟନାଣ୍ଟ ଜେନେରାଲ ସାହିଦ୍ ଇମତିଆଜ ଏବଂ ଆଇଏସଆଇ (ISI)ର ଡିଜି ଲେଫ୍ଟନାଣ୍ଟ ଜେନେରାଲ ଆସିମ୍ ମାଲିକଙ୍କୁ ପଛରେ ପକାଇ ସେ ଏହି ପଦବୀ ହାସଲ କରିଛନ୍ତି। ଏହା ବ୍ୟତୀତ ୮୦ତମ PMA ଲଙ୍ଗ କୋର୍ସର ଅନ୍ୟ ବରିଷ୍ଠ ଅଫିସରମାନଙ୍କୁ ମଧ୍ୟ ଏଥିରେ ସୁଯୋଗ ଦିଆଯାଇ ନାହିଁ।

 ମେ ୯, ୨୦୨୩ରେ ଲାହୋରସ୍ଥିତ IV କୋର୍ପସ କମାଣ୍ଡରଙ୍କ ବାସଭବନ ('ଜିନ୍ନା ହାଉସ') ଉପରେ ହୋଇଥିବା ଆକ୍ରମଣ ସମୟରେ ରଜା 'ହେଭି ଇଣ୍ଡଷ୍ଟ୍ରିଜ୍, ଚେୟାରମ୍ୟାନ୍ ଥିଲେ। ସେହି ଘଟଣା ପରେ ତତ୍କାଳୀନ କୋର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ସଲମାନ ଫୟାଜ ଘନିଙ୍କୁ ବହିଷ୍କାର କରାଯିବା ପରେ, ମେ ୧୬, ୨୦୨୩ରେ ଆମିର ରଜାଙ୍କୁ ଲାହୋରର ନୂଆ କୋର୍ପସ କମାଣ୍ଡର ନିଯୁକ୍ତ କରାଯାଇଥିଲା। ସେହି ସଙ୍କଟ ସମୟରେ ଅସୀମ୍ ମୁନିରଙ୍କ ପ୍ରତି ତାଙ୍କର ଅଟଳ ବିଶ୍ୱାସ ହିଁ ତାଙ୍କ ପଦୋନ୍ନତିର ମୁଖ୍ୟ କାରଣ ସାଜିଛି।