ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଇଥାନଲ ଇନ୍ଧନକୁ ସମର୍ଥନ କରିଛନ୍ତି। କହିଛନ୍ତି ଏଥିରେ ତାଙ୍କର କୌଣସି ବ୍ୟକ୍ତିଗତ ସ୍ୱାର୍ଥ ନାହିଁ। ସେ କହିଛନ୍ତି ଯେ ମୁଁ ପ୍ରଥମରୁ ବିକଳ୍ପ ଇନ୍ଧନର ସମର୍ଥକ। କେବଳ ଇଥାନଲ ନୁହେଁ ମୁଁ ହାଇଡ୍ରୋଜନ ଓ ଇଲେକ୍ଟ୍ରିକ୍ ବାହନ ସହିତ ଅନ୍ୟ ସବୁ ପ୍ରକାରର ବିକଳ୍ପ ଇନ୍ଧନକୁ ପ୍ରୋତ୍ସାହନ ଦେଇ ଆସୁଛି। ସେହିପରି ନିଜ ପୁଅମାନଙ୍କ ବ୍ୟବସାୟ ଉପରେ ମଧ୍ୟ ସେ ଖୋଲାଖୋଲି ଭାବେ କହିଛନ୍ତି। ପୁଅମାନଙ୍କ ବିଜନେସ୍ ରେ ଇଥାନଲର ଭୂମିକା ନଗଣ୍ୟ। ସେମାନଙ୍କ ଆୟ ଉପରେ ଏହାର ସେପରି କୌଣସି ଖାସ ପ୍ରଭାବ ନାହିଁ। ଗଡ଼କରି କହିଛନ୍ତି ଯେ ଏହି ବିଜନେସ୍ ରେ ସେମାନଙ୍କ ଉପରେ ୧,୬୦୦ କୋଟି ଟଙ୍କାର ଋଣ ମଧ୍ୟ ରହିଛି।

ଏକ ଇଂରାଜୀ ସମ୍ବାଦପତ୍ର ସହ ସାକ୍ଷାତକାରରେ ଗଡ଼କରୀ କହିଛନ୍ତି ଯେ ମୋ ପରିବାରର ଚିନି ମିଲ୍ ଅଛି। ସେହି କାରବାର ମୋ ପୁଅମାନେ ବୁଝାସୁଝା କରନ୍ତି। ତେବେ ଇଥାନଲ ବ୍ଲେଣ୍ଡିଂ ପ୍ରୋଗ୍ରାମ ପେଟ୍ରୋଲିୟମ ମନ୍ତ୍ରାଳୟ ଚଳାଉଛନ୍ତି। ଏଣୁ ଏଥିରେ ମୋର କୌଣସି ଭୂମିକା ନାହିଁ। ଗଡ଼କରୀ କହିଛନ୍ତି ଯେ ମୋ ପୁଅଙ୍କ ବିଜନେସ୍ ରେ ଇଥାନାଲର ମାତ୍ର ୧୦% କାରବାର ରହିଛି। ସେମାନଙ୍କ କମ୍ପାନୀମାନଙ୍କ ଉପରେ ୧,୬୦୦ କୋଟିର ଋଣ ରହିଛି। ଏ ବାବଦେ ଯାହା ବି କୁହାଯାଉଛି ସବୁ ମିଛ କଥା। ଏହା ଗୁଜବ ଛଡା ଅନ୍ୟ କିଛି ନୁହେଁ। ସେ କହିଛନ୍ତି ଯେ ସାରା ଦେଶର ଇଥାନଲ ବିଜନେସ୍ ରେ ମୋ ପୁଅଙ୍କ କାରଖାନାର ଭାଗିଦାରୀ ମାତ୍ର ୦.୦୫ ପ୍ରତିଶତରୁ ବି କମ୍।

ତେବେ ସେ କହିଛନ୍ତି ଯେ ଭାରତ ଅଶୋଧିତ ତୈଳର ଏକ ବଡ଼ ଆମଦାନୀକାରୀ ଦେଶ। ମୁଁ କେବଳ ଆଖୁରୁ ମିଳୁଥିବା ଇଥାନଲର ତରଫଦାରୀ କରୁନି, ଏହାର ପ୍ରାରମ୍ଭ ତ ମକ୍କାରୁ ହଇଥିଲା। ପାନିପତରେ ପାଳକୁଟାରୁ ଇଥାନଲ ତିଆରି ହେଉଛି। ଆସାମରେ ବାଉଁଶରୁ ଓ ଆଉ କେତେକ ସ୍ଥାନରୁ ଚାଉଳରୁ ଇଥାନଲ ତିଆରି ହେଉଛି। ବ୍ରାଜିଲ ଦୀର୍ଘ ଦଶନ୍ଧୀରୁ ଇଥାନଲ ଉପଯୋଗ କରିଆସୁଛି। ହେଲେ ସେ ଦେଶରେ କୌଣସି ସମସ୍ୟା ହେଉନି, ହେଲେ ଆମ ଦେଶରେ ହେଉଛି।

ତେବେ ୧୦୦% ଶୁଦ୍ଧ ପେଟ୍ରୋଲ ଉପଲବ୍ଧ କରାଇବା ପ୍ରସଙ୍ଗରେ ଗଡ଼କରୀ କହିଛନ୍ତି ଯେ ଏଥି ପାଇଁ ଅଧିକ ପଇସା ପୈଠ କରିବାକୁ ପଡିବ। ଗଡ଼କରୀ କହିଛନ୍ତି ଯେ ଇ-୮୫ର ମୂଲ୍ୟ ଇ-୨୦ଠାରୁ ମଧ୍ୟ କମ୍। ସେ କହିଛନ୍ତି ପଶ୍ଚିମ ଏସିୟ ଦେଶ ଓ ଆମେରିକାରେ ପ୍ରଚୁର ଇନ୍ଧନ ଅଛି। ହେଲେ ଇଣ୍ଡୋନେସିଆ ଓ ଥାଇଲ୍ୟାଣ୍ଡ ଏବେ ବାୟୋଫୁଏଲ ଆଡକୁ ପାଦ ବଢାଉଛନ୍ତି। ଏଥିରେ ଆମେ ଯଦି କିଛି ଅଗ୍ରୀମ ପଦକ୍ଷେପ ନେଉଛେ ଏଥି ପାଇଁ ଏତେ ବିରୋଧ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।