ଦିଲ୍ଲୀ : ଦେଶର ପ୍ରମୁଖ ଫୁଡ କମ୍ପାନୀ ଡାବରକୁ ଲାଗିଛି ବଡ଼ ଝଟକା । '100% ଶୁଦ୍ଧ ' ଓ '100% ଅର୍ଗାନିକ୍' ଦାବି ଏବେ ଡାବର ପାଇଁ ଅଡ଼ୁଆ ସାଜିଛି। ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା FSSAI କମ୍ପାନୀର ଏଭଳି ବିଜ୍ଞାପନ ଦାବିକୁ ନେଇ କଡ଼ା ଆପତ୍ତି ଉଠାଇଛି। ଉପଭୋକ୍ତାଙ୍କୁ ଭ୍ରମିତ କରିପାରୁଥିବା ଦାବି ଉପରେ ସ୍ପଷ୍ଟୀକରଣ ମାଗିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ FSSAI ନିର୍ଦ୍ଦେଶ ଦେଇଛି। ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା FSSAI ଡାବରର କିଛି ଖାଦ୍ୟ ପଦାର୍ଥ ଉପରେ ଲଗାଯାଇଥିବା '100% ନ୍ୟାଚୁରାଲ', '100% ଶୁଦ୍ଧ ', '100% ଅର୍ଗାନିକ୍' ଭଳି ଦାବିକୁ ଭ୍ରମାତ୍ମକ ବୋଲି କହି ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି । ଏହାସହ କମ୍ପାନୀକୁ ୧୫ ଦିନ ମଧ୍ୟରେ ଆକ୍ସନ୍ ଟେକନ୍ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କୁହାଯାଇଛି । ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆ ବା FSSAIର କହିବା ଅନୁସାରେ,'100% ପ୍ୟୁର' ଓ '100% ଅର୍ଗାନିକ୍' ଭଳି ଶବ୍ଦ ବ୍ୟବହାର କରି ପ୍ରଚାର କରୁଥିବା ଜଣାପଡିଛି । ନିୟାମକ ସଂସ୍ଥାର ମତରେ, ଏଭଳି ଦାବି କରିବା ପାଇଁ ନିର୍ଦ୍ଧାରିତ ନିୟମ ଓ ବୈଜ୍ଞାନିକ ପ୍ରମାଣ ରହିବା ଆବଶ୍ୟକ।

FSSAI ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଏହି ମାମଲାରେ ତଦନ୍ତ କରିବା ସହ କମ୍ପାନୀଠାରୁ ସ୍ପଷ୍ଟୀକରଣ ମାଗିବାକୁ କହିଛି। ଯଦି ବିଜ୍ଞାପନରେ କରାଯାଇଥିବା ଦାବି ନିୟମ ଅନୁଯାୟୀ ପ୍ରମାଣିତ ନ ହୁଏ, ତେବେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇପାରେ। ଖାଦ୍ୟ ସାମଗ୍ରୀର ଲେବେଲିଂ ଓ ବିଜ୍ଞାପନରେ ସଠିକ୍ ତଥ୍ୟ ଦେବା ନିର୍ମାତା କମ୍ପାନୀମାନଙ୍କର ଦାୟିତ୍ୱ। ଉପଭୋକ୍ତାଙ୍କ ବିଶ୍ୱାସ ବଜାୟ ରଖିବା ସହ ଭ୍ରମିତକାରୀ ପ୍ରଚାରକୁ ରୋକିବା ପାଇଁ FSSAI ଏଭଳି ମାମଲାରେ ଶୂନ୍ୟ ସହନଶୀଳତା ନୀତି ଅପନାଉଥିବା କହିଛି। ନିୟାମକ ସଂସ୍ଥାର ମତରେ ଏଭଳି ସମ୍ପୂର୍ଣ୍ଣ ବା ନିରପେକ୍ଷ ଦାବିକୁ ପ୍ରମାଣ କରିବା କଷ୍ଟସାଧ୍ୟ ଏବଂ ଏହା ଗ୍ରାହକଙ୍କୁ ବିଭ୍ରାନ୍ତ କରିପାରେ ।

ଏହି ନିର୍ଦ୍ଦେଶର ପରିସରରେ ମହୁ, ଗାଈ ଘିଅ, ଅର୍ଗାନିକ୍ ଆପଲ୍ ସାଇଡର ଭିନେଗାର, ଭର୍ଜିନ୍ କୋକୋନଟ ଅଏଲ୍, ରାଶି ତେଲ, କୋକୋନଟ ୱାଟର, କୋକୋନଟ ମିଲ୍କ ଭଳି ଅନେକ ଉତ୍ପାଦ ସାମିଲ ଥିବା ଜଣାପଡ଼ିଛି। କିଛି ଉତ୍ପାଦରେ ବୈଧ ଅନୁମୋଦନ ବିନା ଜୈବିକ ଭାରତ ଲୋଗୋ ବ୍ୟବହାର କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି । FSSAI କହିଛି, ଏହା ପୂର୍ବରୁ ମଧ୍ୟ କମ୍ପାନୀକୁ ନୋଟିସ୍ ଜାରି କରାଯାଇଥିଲା । କିନ୍ତୁ ସନ୍ତୋଷଜନକ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ ନ ହେବାରୁ ବର୍ତ୍ତମାନ କଠୋର ନିର୍ଦ୍ଦେଶ ଜାରି କରାଯାଇଛି । କମ୍ପାନୀକୁ ତୁରନ୍ତ ଏଭଳି ଦାବି ଥିବା ଉତ୍ପାଦର ବିକ୍ରି ବନ୍ଦ କରି ୧୫ ଦିନ ମଧ୍ୟରେ କି ଆକ୍ସନ୍ ନିଆଗଲା, ସେନେଇ ରିପୋର୍ଟ ଦେବାକୁ କୁହାଯାଇଛି । ଏହି ଘଟଣା ପରେ ଖାଦ୍ୟ ପଦାର୍ଥର ଲେବେଲିଂ, ବିଜ୍ଞାପନ ଏବଂ ଗ୍ରାହକଙ୍କ ପ୍ରତି କରାଯାଉଥିବା ଦାବିକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି ।

Watch Video: