ନୂଆଦିଲ୍ଲୀ: ଆନ୍ଦୋଳନର ନିଆଁରେ ଜଳୁଛି ଫ୍ରାନ୍ସ। ସ୍ଥିତି ଅନିୟନ୍ତ୍ରିତ। ଦେଶରେ ବଢୁଥିବା ଦରବୃଦ୍ଧି, ଶୋଚନୀୟ ସାର୍ବଜନୀନ ସେବା ଏବଂ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ବିରୋଧରେ ଶନିବାର ବ୍ୟାପକ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଛି। ପ୍ୟାରିସ ସମେତ ଅନେକ ପ୍ରମୁଖ ସହରରେ ବିକ୍ଷୋଭକାରୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ଘଟିଛି। ପରିଣାମସ୍ଵରୂପ ସହରଗୁଡ଼ିକରେ ଭଙ୍ଗାରୁଜା ସହ ଜଳାପୋଡା ଏବଂ ଲୁଟପାଟ୍ ସ୍ଥିତି ଉପୁଜିଛି। ବିକ୍ଷୋଭକାରୀ ଅନେକ କୋଠାରେ ନିଆଁ ଲଗାଇ ଦେଇଛନ୍ତି। ହିଂସା ପରେ ୧୨୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିବା ଫ୍ରାନ୍ସର ପ୍ରଧାନମନ୍ତ୍ରୀ ସେବେଷ୍ଟିୟନ ଲେକୋର୍ଣ୍ଣୁ ସୂଚନା ଦେଇଛନ୍ତି।

ଫ୍ରାନ୍ସର ଗୃହ ମନ୍ତ୍ରୀ ଲାରେଣ୍ଟ ନୁନେଜଙ୍କ ଅନୁସାରେ, ସମଗ୍ର ଦେଶରେ ପ୍ରାୟ ୫.୫ ଲକ୍ଷ ଲୋକ ବିକ୍ଷୋଭରେ ସାମିଲ୍ ହୋଇଛନ୍ତି। ଏଥିରୁ ପ୍ରାୟ ୧.୧ ଲକ୍ଷ ଲୋକ ପ୍ୟାରିସର ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି। ହେଲେ ଆନ୍ଦୋଳନକାରୀ ସଂଗଠନର କହିବା କଥା ବିକ୍ଷୋଭକାରୀଙ୍କ ସଂଖ୍ୟା ୮ ଲକ୍ଷରୁ ଅଧିକ ହେବ।

Also Read: ୟୁକ୍ରେନ ଉପରେ ୩୨୦ ଡ୍ରୋନ୍ ମାଡ଼ କଲା ଋଷିଆ : ଧ୍ୱଂସ ହେଲା ୧୫ ଶକ୍ତିକେନ୍ଦ୍ର

ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ

ପ୍ୟାରିସରେ ଦିନ ବେଳା ବିରୋଧ ପ୍ରଦର୍ଶନ କିଛି ମାତ୍ରାରେ ଶାନ୍ତିପୂର୍ଣ୍ଣ ରହିଥିଲା। ମାତ୍ର ସନ୍ଧ୍ୟା ହେବା ସହ ସହରର ଅନେକ ସ୍ଥାନରେ ସ୍ଥିତି ବିଗିଡ଼ିବାରେ ଲାଗିଥିଲା। କିଛି ବିକ୍ଷୋଭକାରୀ ରାସ୍ତାରେ ନିଆଁ ଲଗାଇବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ପ୍ଲେସ ଡେ ଲା ରିପବ୍ଲିକ ଆଖପାଖ ଅଞ୍ଚଳରେ ଜଳାପୋଡ଼ା ସହ ପୋଲିସ ସହ ସଂଘର୍ଷ ଘଟିଥିବା ଖବର ସାମ୍ନାକୁ ଆସିଛି।

ସ୍ଥିତି ନିୟନ୍ତ୍ରଣ ଏବଂ ଭିଡ଼ ଘଉଡ଼ାଇବ ପାଇଁ ପୋଲିସକୁ ଲୁହବୁହା ଗ୍ୟାସ ପ୍ରୟୋଗ ଏବଂ ପାଣିମାଡ଼ କରିବାକୁ ପଡ଼ିଛି। କିଛି ସ୍ଥାନରେ ପୋଲିସକୁ ଲାଠିଚାର୍ଜ ମଧ୍ୟ କରିବାକୁ ପଡ଼ିଛି। ତଥାପି ବିକ୍ଷୋଭକାରୀ ଉତ୍ପାତ ମଚାଇବା ସହ ଅନେକ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଲୁଟପାଟ୍ କରିବା ସହ ଭଙ୍ଗାରୁଜା କରିଛନ୍ତି।

Also Read: କ୍ଷମତା ବୋଝରେ ଚାପି ହୋଇଯିବେ... ପାକିସ୍ତାନୀ ସେନାକୁ ଟାର୍ଗେଟ କଲେ ଦେଶର ବିରୋଧୀ ଦଳ ନେତା

ନିନ୍ଦା କଲେ ମାକ୍ରୋନ

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଜଳାପୋଡ଼ା, ଲୁଟପାଟ୍ ଏବଂ ସରକାରୀ ପ୍ରତିଷ୍ଠାନ, ଐତିହାସିକ କୋଠା ଉପରେ ଆକ୍ରମଣରେ ସାମିଲ୍ ଲୋକଙ୍କ ଘୋର ନିନ୍ଦା କରିଛନ୍ତି। ହିଂସା ଏବଂ ଭଙ୍ଗାରୁଜା କରିଥିବା ବିକ୍ଷୋଭକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ସେବେଷ୍ଟିୟନ ଲେକୋର୍ନୁ କହିଛନ୍ତି, କାହାରିକୁ ବି ହିଂସା ଜରିଆରେ ନିଜର ରାଜନୈତିକ ଏଜେଣ୍ଡାକୁ ଆଗକୁ ବଢିବାର ସୁଯୋଗ ଦିଆଯିବ ନାହିଁ। ସରକାର ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରୁଥିବା ଲୋକଙ୍କୁ ବାଦ୍ ଦେଇ ହିଂସାରେ ସାମିଲ ବିକ୍ଷୋଭକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

କାହିଁକି ସଡ଼କକୁ ଓହ୍ଲାଇଲେ ଲୋକ ?

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ଫ୍ରାନ୍ସରେ ଏହି ଆନ୍ଦୋଲନର ଆରମ୍ଭ ହୋଇଥିଲା। ଧିରେ ଧିରେ ଏଥିରେ ଦରବୃଦ୍ଧି, ପେଟ୍ରୋଲ-ଗ୍ୟାସ୍ ଦର, ଆର୍ଥିକ ମାନ୍ଦାବସ୍ଥା ଏବଂ ସାର୍ବଜନୀନ ସେବାର ଜର୍ଜର ବ୍ୟବସ୍ଥା ପରି ପ୍ରସଙ୍ଗ ସାମିଲ୍ ହୋଇ ଚାଲିଲା। ପୁଣି ଟ୍ରେଡ ୟୁନିୟନ ବେତନ ଏବଂ ପେନସନରେ ସୁଧାର ତଥା ଜରୁରୀ ସେବା ଉନ୍ନତ କରିବା ଦାବିରେ ଏହି ଆନ୍ଦୋଳନକୁ ସମର୍ଥନ ଦେଲେ।

Also Read: ଇରାନ ଉପରେ ସବୁଠୁ ବଡ଼ ଆକ୍ରମଣ ପାଇଁ ଆମେରିକାର ଯୋଜନା, ପକାଇବ ‘ମଦର ଅଫ ଅଲ ବମ୍ବସ୍’!

ସଂଗଠନର କହିବା କଥା ପ୍ରଦର୍ଶନରେ ସାମିଲ ସମସ୍ତ ଲୋକ ହିଂସାରେ ସଂପୃକ୍ତ ନାହାନ୍ତି। ଅନେକ ସହରରେ ବହୁ ସଂଖ୍ୟାରେ ଜନତା ଶାନ୍ତିପୂର୍ବକ ରାଲି ବାହାର କରିଥିଲେ। ଯେଉଁଠି ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଲା ସେଠି ହିଁ ହିଂସାତ୍ମକ ଘଟଣା ଘଟିଛି। ଉତ୍ତ୍ୟକ୍ତ ବିକ୍ଷୋଭକାରୀ ରାସ୍ତାରେ ଛିଡ଼ା ଗାଡ଼ିରେ ନିଆଁ ଲଗାଇବା ସହ ଦୋକାନ ଓ ସରକାରୀ ଅନୁଷ୍ଠାନରେ ଭଙ୍ଗାରୁଜା କରିଛନ୍ତି।