ନୂଆଦିଲ୍ଲୀ, ୧୮/୧୦ : ୟୁକ୍ରେନର ଶକ୍ତି ଭିତ୍ତିଭୂମି ଉପରେ ବଡ଼ ଧରଣର ଆକ୍ରମଣ କରିଛି ରୁଷ । ୩୨୦ରୁ ଅଧିକ ଡ୍ରୋନ ଓ ମିସାଇଲ ମାଡ଼ ହେବା ଯୋଗୁ ୟୁକ୍ରେନର ୧୫ରୁ ଅଧିକ ଶକ୍ତି କେନ୍ଦ୍ର ଧ୍ବଂସ ହୋଇଯାଇଛି। ଏହାପରେ ଦେଶରେ ବିଦ୍ୟୁତ ଯୋଗାଣକୁ ସ୍ବାଭାବିକ କରିବା ପାଇଁ ଅଭିଯାନ ଜାରି ରହିଛି।

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି, ରୁଷ୍ ଆମର ପୃଥକ ପୃଥକ ଅଞ୍ଚଳରେ ବିଦ୍ୟୁତ ଉତ୍ପାଦନ ଓ ଯୋଗାଣ ସହ ଜଡ଼ିତ ୧୫ରୁ ଊର୍ଦ୍ଧ୍ବ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରିଛି। ଏହା ଯୋଗୁ ଲୁତ୍ତ୍ଵ, ରିଗ୍ନେ, ଝିତୋମିର, ବିନିସିଆ, ଶେପେତିଭକା,ନେତିଶିନ ଭଳି ସହରରେ ବିଜୁଳି ବ୍ୟବସ୍ଥା ଉପରେ ସର୍ବାଧିକ ପ୍ରଭାବ ପଡ଼ିଛି। ଖାରକିଭ, କିଭ୍ ଏବଂ ନିପ୍ରୋପେତ୍ରୋଭସ୍କ ଅଞ୍ଚଳରେ ମଧ୍ୟ ଶକ୍ତି ସହ ଜଡ଼ିତ ଠିକଣା ଉପରେ ହମଲା ହୋଇଛି।

Also Read :- ହାତ ଧରି ଧକ୍କା ଦେଲେ ରାହୁଲ ଗାନ୍ଧୀ ! ସାଙ୍ଘାତିକ ଅଭିଯୋଗ ଆଣିଲେ ସାମ୍ବାଦିକା

ସୂଚନା ମୁତାବକ, ଶୁକ୍ରବାର ସନ୍ଧ୍ୟା ୭ଟାରୁ ଶନିବାର ସକାଳ ୭ଟା ମଧ୍ୟରେ ରୁଷ୍ ସେନା ୩୨୦ରୁ ଅଧିକ ଡ୍ରୋନ ଏବଂ ମିସାଇଲ ମାଡ଼ କରିଥିଲା। ଏଥିରେ ସାହେଦ ଡ୍ରୋନ ସହିତ କ୍ରୁଜ ଏବଂ ବାଲିଷ୍ଟିକ ମିସାଇଲ ବ୍ୟବହୃତ ହୋଇଥିଲା। ଜେଲେନସ୍କି କହିଛନ୍ତି, ରୁଷ୍ ଶୀତ ପୂର୍ବରୁ ୟୁକ୍ରେନରେ ବିଜୁଳି ଯୋଗାଣ ଠପ୍ କରିଦେବା ଲାଗି ଉଦ୍ୟମ କରୁଛି। ଏହାର ମୁକାବିଲା ଲାଗି ଆମେ ସହଯୋଗୀ ଦେଶଗୁଡ଼ିକଠାରୁ ଆହୁରି ପ୍ରତିରକ୍ଷା ବ୍ୟବସ୍ଥା ପାଇବା ପାଇଁ ଅପିଲ୍ କରିଛୁ। ଏହି ହମଲାର ଆମେ ଭୀଷଣ ଜବାବ ଦେବୁ। ବିଦ୍ୟୁତ ବ୍ୟବସ୍ଥା ସ୍ବାଭାବିକ କରିବା କାର୍ଯ୍ୟରେ ଲାଗିଥିବା କର୍ମଚାରୀଙ୍କୁ ଜେଲେନସ୍କି କୃତଜ୍ଞତା ଜଣାଇଛନ୍ତି ।