ରାଉରକେଲା: ଆଲୋକର ପର୍ବରେ ଗୋଟିଏ ପରିବାରରେ ଖେଳିଗଲା ଅନ୍ଧକାର । ହସ ଖୁସି ଛଡ଼ାଇ ନେଲା ବାଣ । ଆର ପାରିକୁ ଅବେଳରେ ଚାଲିଗଲା ୧୪ ବର୍ଷର ପୁଅ । ଭଉଣୀ ଆଗରେ ଆଖି ବୁଜିଦେଲା ଭାଇ। ପୁଅକୁ ହରାଇ ବାପା ବି ଧୈର୍ଯ୍ୟହରା । କହୁ କହୁ ରୁନ୍ଧି ହୋଇଯାଉଛି ଗଳା। ଚାପିବାକୁ ଚାହୁଁଛନ୍ତି ମନର କୋହକୁ। କିନ୍ତୁ ପାରୁନାହାନ୍ତି । କେମିତିବା ସମ୍ଭାଳିବେ । ଗୋଟିଏ ବାପାର କୋହ ଭରା କଥା ଅନେକ କିଛି ବୁଝାଇଦେଉଛି । ଯେଉଁ ଘର ହସଖୁସିରେ ଫାଟି ପଡୁଥିଲା, ଆଜି ସେଠି ଖେଳି ଯାଇଛି ଭୟଙ୍କର ନିରବତା । ରାଉରକେଲା ରଘୁନାଥପାଲି ଥାନା କୌଶଲ୍ୟା ବିହାରର ଘଟଣା ସମସ୍ତଙ୍କୁ ସବ୍ଧ କରିଦେଇଛି ।

ଶନିବାର ରାତି ପାଖାପାଖି ୯ ଟା । ଟିଉସନ୍ ସାରଙ୍କ ଘରକୁ ଯାଉଥିଲେ କୌଶଲ୍ୟା ବିହାରର ପ୍ରଦୀପ ସାହୁଙ୍କ ପୁଅ ଚିନ୍ମୟ ଓ ଝିଅ ପ୍ରିୟଙ୍କା । ଦୀପାବଳିରେ ସାରଙ୍କ ଘରେ ଥିଲା ଭୋଜି । ହୋମଓ୍ୱର୍କ ବିଷୟରେ କଥା ହୋଇ ଭାଇଭଉଣୀ ଯାଉଥିଲେ । ଘରୁ ଟିଉସନ ସାରଙ୍କ ଘର ପାଖାପାଖି ୪୦୦ ମିଟର । ପହଞ୍ଚିବାକୁ ଆଉ ଅଳ୍ପ ବାଟଥିଲା । ଆଉ ଠିକ ଏତିକି ବେଳେ ଘଟିଲା ଅଘଟଣ । ଭଉଣୀ ଆଗରେ ଚାଲିଗଲା ଭାଇର ଜୀବନ । ଜୀବନ ନେଇଗଲା ବାଣ ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ ବାଣ ଉପରେ ରଖାଯାଇଥିଲା କାଚ ଗ୍ଲାସ। ଆଉ କାଚ ଗ୍ଲାସ ଫାଟିବାରୁ ସେହି ପଟେ ଦେଇଯାଉଥିବା ଚିନ୍ମୟଙ୍କ ଦେହରେ ବାଜିଥିଲା। ସାରା ଦେହରେ କାଚ ଭର୍ତ୍ତି ହୋଇଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲା । କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଥିଲେ ସାନ ଭଉଣୀ ପ୍ରିୟଙ୍କା ପ୍ରିୟଦର୍ଶନୀ ଓ ତାଙ୍କର ଅନ୍ୟ ଜଣେ ସାଙ୍ଗ ।

ଏହାରି ଭିତରେ ବାପା ପ୍ରଦୀପ ସାହୁଙ୍କ ନିଷ୍ପତ୍ତି ସମାଜ ପାଇଁ ସୃଷ୍ଟି କରିଛି ନୂତନ ପ୍ରେରଣା । ଅବେଳରେ ସିନା ପୁଅ ଛାଡ଼ି ଚାଲିଗଲା । ହେଲେ ମୃତ ପୁଅର ଆଖିରେ ଅନ୍ୟ କାହାର ପୁଅ ଦେଖିବ ଦୁନିଆ । ମୃତ ପୁଅର କରିଛନ୍ତି ଚକ୍ଷୁ ଦାନ। ସେପଟେ ଘଟଣା ସ୍ଥଳରେ ରଘୁନାଥପାଲି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ କରାଯାଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

also read- ବନ୍ୟା ସହାୟତା ପାଣ୍ଠିକୁ ଗୋଟିଏ ମାସର ଦରମା ଦାନ କଲେ ଛତ୍ରପୁର ବିଧାୟକ, ସହଯୋଗ ପାଇଁ ଅନ୍ୟଙ୍କୁ କଲେ ଅପିଲ୍

କଣ ଥିଲା ୧୪ ବର୍ଷ ନାବାଳକ ପୁଅର ଚିନ୍ମୟ ଭୁଲ? ବାଣ ଫୁଟାଇବାର ଖୁସି ଯେତେବେଳେ ଅନ୍ୟର ଜୀବନ ପ୍ରତି ବିପଦ ସୃଷ୍ଟି ହୁଏ, ସେତେବେଳେ ତାହା କେବଳ ଭୁଲ୍ ନୁହେଁ, ଏକ ଗୁରୁତର ଅପରାଧ। ଯଦି ବାଣ ଉପରେ କାଚ ଗ୍ଲାସ୍ ରଖି ଏଭଳି ବିପଜ୍ଜନକ କାର୍ଯ୍ୟ କରାଯାଇଥାଏ, ତେବେ ଏହା ପଛରେ ଥିବା ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରିବ ତ ପୋଲିସ? କାରଣ ଆଜି ଚିନ୍ମୟ ଚାଲିଗଲା, କାଲି ଯେପରି ଆଉ କୌଣସି ନିରୀହ ଜୀବନ ଏଭଳି ଅପରାଧର ଶିକାର ନହୁଏ। ସେଥିପାଇଁ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବା ଆବଶ୍ୟକ।