ଅଗରତାଲା: ବିଜେପିର ବରିଷ୍ଠ ନେତା ତଥା ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କନ୍ନଡ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ତ୍ରିବେଣୀ ରାୟଙ୍କୁ ସେ ନିଜର ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି। ସୂତ୍ର ଅନୁସାରେ, ଗତ ଜୁନ୍ ୧୯ ତାରିଖରେ ଦିଲ୍ଲୀରେ ଦୁହିଁଙ୍କର ବିବାହ ସମ୍ପନ୍ନ ହୋଇଥିଲା। ଏହି ବିବାହକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଇଥିବା ବେଳେ ଏବେ ଅଗରତାଲାର ଏକ ତାରକା ହୋଟେଲରେ ଆୟୋଜିତ ଭବ୍ୟ ରିସେପ୍ସନ ପାର୍ଟିର ଫଟୋ ସାମ୍ନାକୁ ଆସିବା ପରେ ଏହି ଖବର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗତ ବର୍ଷ ପ୍ରଥମ ପତ୍ନୀଙ୍କୁ ଦେଇଥିଲେ ତଲାକ

୫୪ ବର୍ଷୀୟ ବିଜେପି ସାଂସଦ ବିପ୍ଳବ ଦେବଙ୍କର ଏହା ହେଉଛି ଦ୍ୱିତୀୟ ବିବାହ। ଏହା ପୂର୍ବରୁ ୨୦୦୧ ମସିହାରେ ସେ ନୀତି ଦେବଙ୍କୁ ବିବାହ କରିଥିଲେ। ଦୀର୍ଘ ୨୫ ବର୍ଷର ସଂସାର ପରେ ଗତ ୨୦୨୫ ମସିହାରେ ଦୁହିଁଙ୍କ ମଧ୍ୟରେ ଆପୋଷ ବୁଝାମଣାରେ ଛାଡ଼ପତ୍ର ହୋଇଥିଲା। ପ୍ରଥମ ପତ୍ନୀଙ୍କଠାରୁ ତାଙ୍କର ଏକ ପୁଅ ଏବଂ ଗୋଟିଏ ଝିଅ ମଧ୍ୟ ଅଛନ୍ତି। ଛାଡ଼ପତ୍ର ପରେ ପରିବାର ଲୋକଙ୍କ ସମ୍ମତି କ୍ରମେ ସେ ଅଭିନେତ୍ରୀ ତ୍ରିବେଣୀ ରାୟଙ୍କ ସହ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ, ତ୍ରିବେଣୀ କନ୍ନଡ ସିନେମା ଜଗତର ଜଣେ ଆଗଧାଡ଼ିର ଅଭିନେତ୍ରୀ ଏବଂ ସେ 'ତଙ୍ଗାରୁ', 'ଯୁବରତ୍ନ' ଭଳି ବହୁ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି।

ମୋଦୀ-ଶାହଙ୍କ ବେଶ୍ ପ୍ରିୟ ବିପ୍ଳବ

ରାଜନୀତିକୁ ଆସିବା ପୂର୍ବରୁ ବିପ୍ଳବ ଦେବ ଦିଲ୍ଲୀରେ ଏକ ଜିମ୍ ପରିଚାଳନା କରୁଥିଲେ। ୨୦୧୬ରେ ବିଜେପି ତାଙ୍କୁ ତ୍ରିପୁରାର ଦଳୀୟ ସଭାପତି ଦାୟିତ୍ଵ ଦେଇଥିଲା। ସେହି ସମୟରେ ତ୍ରିପୁରାରେ ବାମପନ୍ଥୀଙ୍କ ଶାସନ ଚରମ ସୀମାରେ ଥିଲା। କିନ୍ତୁ ବିପ୍ଳବଙ୍କ କଠିନ ପରିଶ୍ରମ ଯୋଗୁଁ ୨୦୧୮ରେ ବିଜେପି ସେଠାରେ ଐତିହାସିକ ବିଜୟ ହାସଲ କଲା ଏବଂ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବେଶ୍ ବିଶ୍ୱସ୍ତ ନେତା ଭାବେ ସେ ଜଣାଶୁଣା। ଏପରିକି ଓଡ଼ିଶା ଏବଂ ହରିୟାଣା ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ବିଜେପି ତାଙ୍କୁ ଗୁରୁତ୍ଵପୂର୍ଣ୍ଣ ସାଂଗଠନିକ ଦାୟିତ୍ଵ ଦେଇଥିଲା।