ନୂଆଦିଲ୍ଲୀ: ପେପ୍‌ସିକୋର ପୂର୍ବତନ ସିଇଓ ଇନ୍ଦ୍ରା ନୁଇ ଏକ ସାକ୍ଷାତକାରେ ଭାରତରେ ଥିବା ଅବ୍ୟସ୍ଥା ଉପରେ ଏକାଧିକ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେ ଏଥିରେ ଚୀନକୁ ଭାରତ ସହ ତୁଳନା କରିଛନ୍ତି। ଆମେରିକୀୟ ରାଜନୀତି ବୈଜ୍ଞାନିକ ଏବଂ ପୂର୍ବତନ ବିଦେଶ ସଚିବ କଣ୍ଡୋଲିଜା ରାଇସଙ୍କ ସହ ଏକ ଆଲୋଚନା ବେଳେ ନୂଇ ଭାରତ ଏବଂ ଚୀନର ରହଣୀସହଣୀ, ସେଠାକାର ଚାଲିଚଳନ ଓ ଲୋକମାନସିକତାକୁ ତୁଳନା କରିଛନ୍ତି।

ଚୀନ ସହ ଭାରତକୁ ତୁଳନା

୭୦ ବର୍ଷୀୟା ବିଜନେଶ ଲିଡର ନୁଇ ଦୁଇ ଏସୀୟ ଦେଶ ମଧ୍ୟରେ ଥିବା ବିଭେଦତା ଦର୍ଶାଇ କହିଛନ୍ତି ଯେ ଚୀନ ତୁଳନାତ୍ମକ ଭାବରେ ହୋମୋଜେନିୟସ( ଗୋଟିଏ ପ୍ରକାର ଅଂଶରେ ଗଠିତ, ସମାନ ଦେଖା ହେବା ଭଳି ବା ଏକଜାତ)। ତେଣୁ ଏଠାକୁ ଆସୁଥିବା ବାହାର ଲୋକଙ୍କୁ ଏଠାରେ ଯାତ୍ରା କରିବା ଓ ଏହାକୁ ବୁଝିବା ସହଜ ହୋଇଥାଏ। ହେଲେ ଅନ୍ୟପକ୍ଷରେ ଭାରତର ସବୁଠାରୁ ବଡ଼ ପରିଚୟ ହେଉଛି ଏହାର ବିବଧତା ଓ ଅବ୍ୟବସ୍ଥା। ଭାରତର ସୁନ୍ଦରତା ଏହାର ଅବ୍ୟବସ୍ଥାରେ ଲୁଚିଛି। ଯେଉଁମାନେ ଭାରତକୁ ଭଲଭାବେ ଜାଣନ୍ତି କିମ୍ବା ଏଠାରେ ରହିଛନ୍ତି, ସେମାନେ ଧୀରେ ଧୀରେ ଏହାର ଅପ୍ରତ୍ୟାଶିତ ସ୍ୱଭାବ ଓ ବିବିଧତା ପ୍ରତି ଏକ ସ୍ୱତନ୍ତ୍ର ଆକର୍ଷଣ ଅନୁଭବ କରିଥାନ୍ତି।

ଇନ୍ଦ୍ରା ନୂଇ କହିଛନ୍ତି “"ଭାରତ ଏକ ଅବ୍ୟବସ୍ଥିତ ଦେଶ। ଭାରତର ସୌନ୍ଦର୍ଯ୍ୟ ଏହାର ଅବ୍ୟବସ୍ଥା ମଧ୍ୟରେ ହିଁ ରହିଛି। ଏଠାରେ ସବୁକିଛି ଅବ୍ୟବସ୍ଥିତ ମନେ ହୁଏ। କିନ୍ତୁ ଯଦି ଆପଣ ଭାରତକୁ ଭଲଭାବେ ଜାଣିଛନ୍ତି, ପୂର୍ବରୁ ଏଠାରେ ଭ୍ରମଣ କରିଛନ୍ତି ଏବଂ ଏହି ଅବ୍ୟବସ୍ଥାକୁ ପସନ୍ଦ କରନ୍ତି, ତେବେ ଆପଣ ବାରମ୍ବାର ଭାରତକୁ ଫେରି ଆସିବେ। ଏହା ଏକ ନିଶା ଭଳି। ଥରେ ଏହାର ଅଭ୍ୟାସ ହୋଇଗଲେ, ଏହା ପ୍ରତି ଆପଣ ଆକୃଷ୍ଟ ହୋଇ ରହିବେ।"

ଭାରତୀୟଙ୍କ ମାନସିକତା, ଓ ରାସ୍ତାକଡ଼ ଜୀବନ ଏମିତି…

ଭାରତର ରାସ୍ତା ସମ୍ପର୍କିତ ଅଭିଜ୍ଞତା ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଭାରତରେ ଗାଡ଼ିମଟର ସହ ଗାଈଗୋରୁ ବି ରସ୍ତାରେ ବୁଲିବା ଏକ ସାଧାରଣ କଥା। କିନ୍ତୁ ଶୃଙ୍ଖଳିତ ଓ ପିରଷ୍କାର ଜୀବନଶୈଳୀକୁ ପସନ୍ଦ କରୁଥିବା ଭ୍ରମଣକାରୀ ଯଦି ପ୍ରଥମ ଥର ଭାରତ ଯିବେ, ତେବେ ତାଙ୍କୁ ଏସବୁ ହୁଏତ ଦ୍ୱନ୍ଦ୍ୱରେ ପକାଇପାରେ। କିନ୍ତୁ ବହୁତ ଭାରତୀୟ ଏସବୁକୁ ସେମାନଙ୍କର ନିତିଦିନିଆ ଜୀବନର ଏକ ଅଂଶ ବୋଲି ଭାବନ୍ତି। ଇନ୍ଦ୍ରା ନୂୟୀଙ୍କ କହିବା ଅନୁସାରେ, ଭାରତୀୟମାନେ ପ୍ରାୟତଃ ‘ଏ ସମୟ ବି ଦିନେ ବିତିଯିବ’ ଭଳି ମାନସିକତାକୁ ଆପଣାଇଥାନ୍ତି। ତାଙ୍କ ମତରେ, ଭାରତୀୟମାନେ ବିଶୃଙ୍ଖଳା ଓ ଅବ୍ୟବସ୍ଥାକୁ ଦେଶର ସାମାଜିକ ବ୍ୟବସ୍ଥାର ଏକ ସ୍ୱାଭାବିକ ଅଂଶ ଭାବେ ଗ୍ରହଣ କରି ନେଇଛନ୍ତି।

ଚୀନ ଓ ଆମେରିକାକୁ ପ୍ରଶଂସା

ଇଣ୍ଟରଭ୍ୟୁରେ ଇନ୍ଦ୍ରା କହିଛନ୍ତି "ଚୀନକୁ ପଛୁଆ ସ୍ଥିତିରୁ ବାହାରକୁ ଆଣିଥିବା ଚୀନର ବ୍ୟବସ୍ଥାକୁ ମୁଁ ସମ୍ମାନ କରେ। ସେମାନେ କେନ୍ଦ୍ରୀୟ ସ୍ତରରେ ଯୋଜନାବଦ୍ଧ ଭାବେ କାମ କରିଥିବାରୁ ଚୀନ ଆଜି ଏକ ବିଶ୍ୱଶକ୍ତିରେ ପରିଣତ ହୋଇଛି। ଭାରତ ଏବେ ମଧ୍ୟ ବିଶ୍ୱଶକ୍ତି ହେବା ପାଇଁ ସଂଘର୍ଷ କରୁଛି, କାରଣ ଏଠାରେ ଗଣତନ୍ତ୍ର ରହିଛି ଏବଂ ଉନ୍ନତିର ଗତି ତୁଳନାମୂଳକ ଭାବେ ମନ୍ଥର। କିନ୍ତୁ ମୋତେ ଖୁସି ଲାଗୁଛି ଯେ, ଭାରତ ଏକ ଗଣତାନ୍ତ୍ରିକ ଦେଶ।"

ଇନ୍ଦ୍ରା ନୂଇ ଭାରତ ବିଷୟରେ ଆଉ ଏକ ଅକାଟ୍ୟ ସତକଥା କହିଛନ୍ତି ଯାହାକୁ ସୋସିଆଲ୍ ମିଡିଆରେ ତାରିଫ କରାଯାଉଛି। ଆମେରିକାକ ଭାରତ ସହ ତୁଳନା କରି ସେଠାରେ ଥିବା ଯୋଗ୍ୟତା-ଆଧାରିତ ବ୍ୟବସ୍ଥା (Meritocracy)କୁ ସେ ପ୍ରଶଂସା କରିଛନ୍ତି। ଏନେଇ ସେ କହିଛନ୍ତି ଆମେରିକା ଏତେ ସଫଳ ହେବାର ଏକ ବଡ଼ କାରଣ ହେଉଛି ସେଠାରେ ଯୋଗ୍ୟତାକୁ ସମ୍ମାନ ଓ ପ୍ରୋତ୍ସାହନ ଦିଆଯାଏ, କିନ୍ତୁ ଭାରତରେ ସେଭଳି ବ୍ୟବସ୍ଥା ପର୍ଯ୍ୟାପ୍ତ ଭାବେ ଦେଖିବାକୁ ମିଳେ ନାହିଁ।

ଆମେରିକାର ବ୍ୟବସ୍ଥାକୁ ପ୍ରଶଂସା କରି ନୂଇ କହିଛନ୍ତି "ଭାରତ ସମେତ ବିଶ୍ୱର ଅନ୍ୟ କୌଣସି ଦେଶରେ ମୁଁ କେବେ ବି କୌଣସି କମ୍ପାନୀର ସିଇଓ ହୋଇପାରି ନଥାନ୍ତି। ଏହାର କାରଣ ହେଉଛି, ଆମେରିକାର ବ୍ୟବସ୍ଥା ଯୋଗ୍ୟତା-ଆଧାରିତ। ସେଠାରେ ମେଣ୍ଟରମାନେ ଆପଣ ପୁରୁଷ କିମ୍ବା ମହିଳା, ତାହାକୁ ଗୁରୁତ୍ୱ ଦିଅନ୍ତି ନାହିଁ। ସେମାନଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି, ସବୁଠାରୁ ଯୋଗ୍ୟ ବ୍ୟକ୍ତି ହିଁ ସର୍ବୋଚ୍ଚ ସ୍ଥାନରେ ପହଞ୍ଚନ୍ତୁ।"

ଇନ୍ଦ୍ରାଙ୍କ ମନ୍ତବ୍ୟକୁ ନେଇ ତେଜିଲା ବିବାଦ

ଇନ୍ଦ୍ରାଙ୍କ ବିବାଦକୁ ନେଇ ସୋସିଆଲ୍ ମିଡିଆରେ ନାନା ଆଲୋଚନା ଆରମ୍ଭ ହୋଇଯାଇଛି। କିଛି ତାଙ୍କ ମନ୍ତବ୍ୟକୁ ସମର୍ଥନ କରୁଥିବା ବେଳେ ଆଉ କିଛି ତାଙ୍କ ସମାଲୋଚନାର ଯୌକ୍ତିତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଜଣେ ୟୁଜର କହିଛନ୍ତି ଆମେ ହୋମୋଜେନିୟସ ହୋଇପାରିବୁ ନାହିଁ। ଏସବୁ ସତ୍ତ୍ୱେ ବି ଆମେ ମିଳିମିଶି କାମ କରିପାରୁଛୁ। ସେହିଭଳି କିଛି ୟୁଜର ଲେଖିଛନ୍ତି ଯେ ଭାରତକୁ ସୁସ୍ଥ ସମାଲୋଚନାକୁ ସ୍ୱୀକାର କରିବାକୁ ପଡ଼ିବ। ପ୍ରକୃତରେ ଆମର କେତକ ରାଜ୍ୟକୁ କିଭଳି ଦୁର୍ନୀତିଗ୍ରସ୍ତଭାବେ ଓ ଖରାପ ଭାବରେ ପରିଚାଳନା କରାଯାଉଛି, ବିଦେଶକୁ ଯିବା ପରେ ଭାରତୀୟାନେ ଏକଥା ଅନୁଭବ କରିପାରୁଛନ୍ତି।

ତେବେ ଅନ୍ୟଜଣେ ୟୁଜର ନୂଇଙ୍କ ମନ୍ତବ୍ୟକୁ କଟାକ୍ଷ କରି କହିଛନ୍ତି "ବିଶୃଙ୍ଖଳାରେ ଗର୍ବ କରିବା ଭଳି କୌଣସି କଥା ନାହିଁ। ଏହାର ଅର୍ଥ ହେଉଛି, ବ୍ୟବସ୍ଥା ଓ ସମାଜ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣିବା ପାଇଁ କୌଣସି ପ୍ରୟାସ କରିବାକୁ ଆଗ୍ରହୀ ନୁହେଁ।"

ସେହିଭଳି ଅନ୍ୟ ଜଣେ ଲେଖିଛନ୍ତି ବିଶୃଙ୍ଖଳା କେବେ ବି ସୁନ୍ଦର ହୋଇପାରେନା ମୋର ମନେହୁଏ, ନାଗରିକ ସଚେତନତା ଓ ପରିଷ୍କାର-ପରିଚ୍ଛନ୍ନତାର ଅଭାବ ପାଇଁ ଭାରତକୁ ଆନ୍ତର୍ଜାତିକ ସ୍ତରରେ ସମାଲୋଚନାର ସମ୍ମୁଖୀନ ହେବା ଦରକାର। ହୁଏତ ତାହାପରେ ପରିସ୍ଥିତିରେ କିଛି ସୁଧାର ଆସିପାରେ।"