ଭୁବନେଶ୍ବର: ବିଜେଡିରେ ମିଶିବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଏବଂ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ। ବୁଧବାର ନବୀନ ନିବାସରେ ମିଶ୍ରଣ ପର୍ବରେ ଦୁଇ ବରିଷ୍ଠ ନେତା ବିଜେଡିରେ ମିଶିବେ। ଦୁଇ ନେତା ଅପରାହ୍ଣ ୫ଟାରେ ଶଙ୍ଖ ଭବନରେ ପହଞ୍ଚି ସେଠାରୁ ରାଲିରେ ନବୀନ ନିବାସ ଯିବେ। ଆଉ ସେଠାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଉଭୟ ବିଜେଡିରେ ସାମିଲ ହେବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଗତ କିଛି ହେଲା ଏହି ଦୁଇ ନେତା ବିଜେଡିକୁ ଫେରିବା ନେଇ ଚର୍ଚ୍ଚା ହେଉଥିଲା। ତେବେ ଏହି ଦୁଇ ନେତା ବିଜେଡିରେ ସାମିଲ ହେବା ଦ୍ବାରା ବାଲେଶ୍ଵର ଜିଲ୍ଲାର ରାଜନୀତିରେ ଏବେ ନୂଆ ସମୀକରଣ ହେବାକୁ ଯାଉଛି।

୨୦୧୯ରେ ବିଜେଡି ଛାଡ଼ିଥିଲେ ରଘୁନାଥ

ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ୨୦୧୯ରେ ବିଜେଡି ଛାଡି ବିଜେପିରେ ସାମିଲ ହେବା ସହ ବସ୍ତା ଆସନରୁ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ। ଅବଶ୍ୟ ସେ ଏହା ପୂର୍ବରୁ ୫ ଥର ବସ୍ତାରୁ ବିଧାୟକ ହୋଇଥିଲେ। ଏମିତିକି ବିଜେଡିର ଜଣେ ଟାଣୁଆ ନେତା ଭାବରେ ମଧ୍ୟ ସେ ଖୁବ୍ ପରିଚିତ ଥିଲେ।

ହେଲେ ବଧୂ ନିର୍ଯାତନା ମାମଲାରେ ଛନ୍ଦି ହେବା ଯୋଗୁ ବିଜେଡିରୁ ନିଲମ୍ବିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଦଳୀୟ ଟିକେଟ ନମିଳିବାରୁ ବିଜେପିରେ ଯୋଗ ଦେଇ ନିର୍ବାଚନ ଲଢ଼ିଥିଲେ ରଘୁନାଥ ମହାନ୍ତି। ମାତ୍ର ୨୦୨୪ ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡ଼ିଥିଲେ।

Also Read: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି, କହିଲା- ଅନ୍ୟ ରାଜ୍ୟକୁ ଶିଳ୍ପ ଚାଲିଯିବା ଅସ୍ମିତା ନା ଅପାରଗତା ?

୨୦୨୦ରେ ବିଜେଡି ଛାଡ଼ିଥିଲେ ପ୍ରଦୀପ

ଜୀବନ ପ୍ରଦୀପ ଦାସ ପ୍ରଥମେ ୨୦୦୦ ମସିହାରେ ବିଜେପି ଟିକେଟରେ ବାଲେଶ୍ୱର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ୨୦୦୯ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେଡିରେ ଯୋଗ ଦେଇ ସାମିଲ ହୋଇଥିଲେ ଏବଂ ଟିକେଟ ପାଇ ବାଲେଶ୍ବର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୧୪ରେ ମଧ୍ୟ ବିଜେଡି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୯ରେ ସେ ପରାଜୟର ସାମ୍ନା କରିଥିଲେ। ମାତ୍ର ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ହୋଇଥିଲା। ହେଲେ ବିଜେଡି ଉପନିର୍ବାଚନ ପାଇଁ ପ୍ରଦୀପଙ୍କୁ ପୁନଃ ଟିକେଟ ଦେଇନଥିଲା।

ବରଂ ଅଭିଯୋଗ ହୋଇଥିଲା ଯେ, ସେ ଦଳ ବିରୋଧୀ ଆଭିମୁଖ୍ୟ ଆପଣାଇ ବିଜେପି ପ୍ରାର୍ଥୀଙ୍କୁ ସହଯୋଗ କରିଥିଥିଲେ। ଯାହାକୁ ନେଇ ବିଜେଡି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଏମିତିରେ ୨୦୨୦ ନଭେମ୍ବର ମାସରେ ତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା। ନିଲମ୍ବନ ହେବା ପର ଦିନ ସେ ବିଜେଡିରୁ ଇସ୍ତଫା ଦେଇଥିଲେ।୨୦୨୧ ଜାନୁଆରୀ ମାସରେ ସେ ପୁଣି ବିଜେପିରେ ଯୋଗ ଦେଇଥିଲେ। ହେଲେ ଏବେ ୫ ବର୍ଷ ପରେ ସେ ବିଜେପିରୁ ପୁଣି ଇସ୍ତଫା ଦେଇଛନ୍ତି।