ନୂଆଦିଲ୍ଲୀ : ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ ସୋମବାର ଜଷ୍ଟିସ୍ ସଞ୍ଜୟ କିସନ କୌଲଙ୍କ ଆଗାମୀ ସମସ୍ମରଣ ପୁସ୍ତକ ‘ୱିଦାଉଟ୍ ଫିୟର ଆଣ୍ଡ ଫେଭର’ରେ କରାଯାଇଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳରେ କଲେଜିୟମର ସବୁ ନିଷ୍ପତ୍ତି ସର୍ବସମ୍ମତିରେ ନିଆଯାଇଥିଲା ଓ ଜଷ୍ଟିସ୍ କୌଲ କୌଣସି ଔପଚାରିକ ସୁପାରିଶ ଉପରେ କେବେ ଅସହମତି ପ୍ରକାଶ କରି ନାହାନ୍ତି। ତେବେ ଜଷ୍ଟିସ୍ କୌଲ ତାଙ୍କ ପୁସ୍ତକରେ ଅଭିଯୋଗ କରିଛନ୍ତି ଯେ ତତ୍କାଳୀନ ସିଜେଆଇ ବିଚାରପତିଙ୍କ ନିଯୁକ୍ତି ମାମଲାରେ କେନ୍ଦ୍ର ସରକାରଙ୍କ ପ୍ରତି ଆବଶ୍ୟକତା ଠାରୁ ଅଧିକ ନରମ ଆଭିମୁଖ୍ୟ ଆପଣାଉଥିଲେ।

ଜଷ୍ଟିସ୍ କୌଲ ଏହା ବି ଦାବି କରିଛନ୍ତି ଯେ କିଛି ଅବସରରେ କଲେଜିୟମର ଔପଚାରିକ ଚର୍ଚ୍ଚା ପୂର୍ବରୁ ସରକାରଙ୍କ ରାୟ ଅଥବା ସହମତି ନେବାକୁ ଉଦ୍ୟମ କରାଯାଉଥିଲା। ଜଷ୍ଟିସ କୌଲ ତାଙ୍କ ସମସ୍ମରଣ ପୁସ୍ତକରେ ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି ସମ୍ପର୍କିତ ଏକ ଘଟଣାର ଉଲ୍ଲେଖ କରିଛନ୍ତି। ତାଙ୍କ ଅନୁସାରେ ଶୀର୍ଷ ନ୍ୟାୟାଳୟର ୬ ରିକ୍ତ ପଦବୀ ପୂରଣ ପାଇଁ ପାଞ୍ଚଟି ନାମ ଉପରେ ସହମତି ହୋଇ ସାରିଥିଲା, ତେବେ ତତ୍କାଳୀନ ସିଜେଆଇ ଚନ୍ଦ୍ରଚୂଡ଼ ଷଷ୍ଠ ନାମ ପ୍ରସ୍ତାବ କରିଥିଲେ। କୌଲଙ୍କ ଅନୁସାରେ ସେତେବେଳେ ସରକାରଙ୍କ ଆଭିମୁଖ୍ୟ ଜାଣିବା ପାଇଁ ଫୋନ କରିବାକୁ ବିଚାର କରାଯାଇଥିଲା।

ଜୀବନୀ ପୁସ୍ତକରେ ସେ ଆଉ ଗୋଟିଏ ଘଟଣା ମଧ୍ୟ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ସଂଖ୍ୟାଲଘୁ ସମୂଦାୟରୁ ଆସୁଥିବା ଏକ ଜୁଡିସିଆଲ କ୍ୟାଣ୍ଡେଟଙ୍କ ନାମକୁ ନେଇ ମତପାର୍ଥକ୍ୟ ଦେଖା ଦେଇଥିଲା ବୋଲି ସେ ଦାବି କରିଛନ୍ତି। ଜଷ୍ଟିସ୍ କୌଲଙ୍କ ଅନୁସାରେ ଏହି ପ୍ରସଙ୍ଗରେ ଅସହମତି ଏତେ ବଢି ଯାଇଥିଲା ଯେ ସେ ବାଧ୍ୟ ହୋଇ ବୈଠକରୁ ଉଠି ଚାଲି ଯାଇଥିଲେ। ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ସେ ଏ ପର୍ଯ୍ୟନ୍ତ ଜଷ୍ଟିସ୍ କୌଲଙ୍କ ପୁସ୍ତକ ପଢି ନାହାନ୍ତି। ଏଣୁ ଏହାର ସବୁ ସନ୍ଦର୍ଭ ଓ ଟିପ୍ପଣୀକୁ ନ ବୁଝି ବିସ୍ତୃତ ଜବାବ ଦେବା ଉଚିତ ହେବ ନାହିଁ।

ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି ଯେ କଲେଜିୟମର ଅଫିସିଆଲ ରେକର୍ଡରେ ସୁପାରିଶ ଓ ତାର କାରଣକୁ ସାର୍ବଜନିକ କରାଯାଉଥିଲା। ଚନ୍ଦ୍ରଚୂଡ଼ଙ୍କ ଅନୁସାରେ ଏହି ସବୁ ରେକର୍ଡରେ ଜଷ୍ଟିସ୍ କୌଲଙ୍କ ସହମତି ମଧ୍ୟ ସାମିଲ ଥିଲା ଓ ସରକାରଙ୍କୁ ପଠାଯାଇଥିବା କୌଣସି ଔପଚାରିକ ପ୍ରସ୍ତାବ ଉପରେ ତାଙ୍କର କୌଣସି ଅସହମତି ନଥିଲା। ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି ଯେ କଲେଜିୟମ ବୈଠକ ଅଚାନକ ବସୁନଥିଲା। ତାଙ୍କ ଅନୁସାରେ ବିଚାରପତିମାନଙ୍କ ମଧ୍ୟରେ ଅନୌପଚାରିକ ଏବଂ ଔପଚାରିକ ଚର୍ଚ୍ଚା ଅନେକ ପର୍ଯ୍ୟାୟରେ ହେଉଥିଲା, ଏହା ପରେ ଯାହା ନିଷ୍ପତ୍ତି ନିଆଯାଉଥିଲା। ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି ଯେ କେଉଁ ବୈଠକରେ ଜଷ୍ଟିସ କୌଲ ଉଠି ଚାଲିଯାଇଥିଲେ ତାହା ତାଙ୍କର ମନେ ନାହିଁ। ତେବେ ତାଙ୍କ ସହ ମୋର ସମ୍ପର୍କ ଅତ୍ୟନ୍ତ ସମ୍ମାନଜନକ ଥିଲା ଓ କଲେଜିୟମ ବୈଠକ ଅତ୍ୟନ୍ତ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ପରିବେଶରେ ହେଉଥିଲା।

ତେବେ ଜଷ୍ଟିସ୍ କୌଲଙ୍କ ଅଭିଯୋଗ ପରେ ବିଚାରପତିଙ୍କ ନିଯୁକ୍ତିରେ କଲେଜିୟମର ଭୂମିକା, ନିର୍ଣ୍ଣୟ ପ୍ରକ୍ରିୟାର ପାରଦର୍ଶିତା ଓ କେନ୍ଦ୍ର ସରକାରଙ୍କ ସହ ଏହାର ସମ୍ବଦ୍ଧକୁ ନେଇ ପୁଣି ବିତର୍କ ଆରମ୍ଭ ହୋଇଯାଇଛି। ଭାରତରେ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ କେଲଜିୟମର ସୁପାରିଶ ସହିତ କେନ୍ଦ୍ର ସରକାର ଓ ରାଷ୍ଟ୍ରପତିଙ୍କ ସାମ୍ବିଧାନିକ ଭୂମିକା ମଧ୍ୟ ରହୁଥିଲା। ଜଷ୍ଟିସ୍ ସଞ୍ଜୟ କିସନ କୌଲ ଡିସେମ୍ବର ୨୦୨୩ରେ ସୁପ୍ରିମକୋର୍ଟରୁ ଅବସର ଗ୍ରହଣ କରିଥିଲେ। ତାଙ୍କ ପୁସ୍ତକ ‘ୱିଦାଉଟ୍ ଫିୟର ଆଣ୍ଡ ଫେଭର’ ଚଳିତମାସ ଶେଷ ବେଳକୁ ଜଗରନଟ ପ୍ରକାଶନ ଦ୍ୱାରା ପ୍ରକାଶିତ ହେବ ବୋଲି ସୂଚନା ମିଳିଛି।