ମୁମ୍ବାଇ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇର ନାହୁର ୱେଷ୍ଟରେ ଏକ ବିବାହ ଭୋଜି ଖାଇ ଶତାଧିକ ଲୋକେ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ନବ ବରବଧୂ ମଧ୍ୟ ଅଛନ୍ତି। ଏହି ବିବାହ ଉତ୍ସବରେ ଯୋଗ ଦେଇଥିବା ପାଖାପାଖି ୭୦ରୁ ୧୦୦ ନିମନ୍ତ୍ରିତ ଅତିଥି ବିବାହ ଭୋଜି ଖାଇବା ପରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୧ ଜଣ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ବାକି ଲୋକେ ସ୍ୱାସ୍ଥ୍ୟ ବିଭାଗ ଦେଖରେଖରେ ଚିକିତ୍ସିତ ହେଉଛନ୍ତି।

ପୋଲିସ ସୂଚନା ଅନୁସାରେ ଏହି ବିବାହ ଉତ୍ସବ ନଭେମ୍ବର ୧ ତାରିଖ ଦିନ ନାଳନ୍ଦା ବୁଦ୍ଧ ବିହାର ହଲ୍ ରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପାଖାପାଖି ୪୦୦ରୁ ୫୦୦ ଅତିଥି ଯୋଗ ଦେଇଥିଲେ। ଡିସିପି ଅଭୟ ସିଂହ ଦେଶମୁଖ କହିଛନ୍ତି ଯେ ଭୋଜି ସରି ଆସିବା ବେଳକୁ ପାଖାପାଖି ୧୦୦ ଲୋକ ଭୋଜି ଖାଇ ଅସୁସ୍ଥ ହୋଇପଡିଥିଲେ। ଏହା ପରେ ଲୋକେ ପେଟରେ ଯନ୍ତ୍ରଣା, ବାନ୍ତି ଓ ଝାଡାରେ ଆକ୍ରାନ୍ତ ହୋଇଥିଲେ। ଆକ୍ରାନ୍ତ ଲୋକଙ୍କୁ ଆଖପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏମଟି ଅଗ୍ରୱାଲ ହସ୍ପିଟାଲର ମେଡିକାଲ ଅଫିସର ଡା. କୈଳାଶ ମାରସ୍କୋଲେ କହିଛନ୍ତି ଯେ ତାଙ୍କ ହସ୍ପିଟାଲକୁ ମୋଟ ୨୭ ଜଣ ରୋଗୀ ଆସିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ପିଲା ଅଛନ୍ତି। ରୋଗୀମାନଙ୍କୁ ଝାଡା ଓ ବାନ୍ତି ହେଉଥିବା ଅଭିଯୋଗ ହୋଇଥିଲା। ରବିବାର ରାତି ୧୧ଟା ୪୦ ମିନିଟ୍ ରୁ ହସ୍ପିଟାଲକୁ ରୋଗୀ ଆସିବା ଆରମ୍ଭ ହୋଇଥିଲା। ସମସ୍ତଙ୍କୁ ଆବଶ୍ୟକ ଚିକିତ୍ସା ଦିଆଯାଇଛି ଓ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ଭାଣ୍ଡୁପ ପୋଲିସ ମାମଲା ସମ୍ପର୍କରେ ମହାରାଷ୍ଟ୍ର ଫୁଡ ଆଣ୍ଡ ଡ୍ରଗ ଆଡମିନେଷ୍ଟ୍ରେସନ (ଏଫଡିଏ)କୁ ଜଣାଇଛି।