ଜଳେଶ୍ବର ୨୧।୮: ଟଳିଲା ସୁବର୍ଣ୍ଣରେଖା ନଦୀର ବନ୍ୟା । ଆଜି ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ପାଣି । ଉପର ମୁଣ୍ଡରେ ବନ୍ୟା ପାଣି କମୁଛି ହେଲେ ଏବେ ତଳିଆ ଅଞ୍ଚଳ ପାଣି ଘେରରେ ରହିଛି । ବନ୍ୟା ଆସିବା ଫଳରେ ବାଲିଆପାଳ ବ୍ଲକର ୫ଟି ପଞ୍ଚାୟତ ଅସ୍ତି, ମଧୁପୁରା, ବାଲିଆପାଳ, ଜାମକୁଣ୍ଡା, ବିଷ୍ଣୁପୁର ସମ୍ପୂର୍ଣ୍ଣ ଭାବେ ପ୍ରବାହିତ ହୋଇଛି । ସେହିପରି ୩ଟି ପଞ୍ଚାୟତ ଆଂଶିକ ପ୍ରବାହିତ ହୋଇଛି ।

ଏବେବି ରାସ୍ତା ଉପରେ ୪ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ଲୋକେ ଯାଆ ଆସ ପାଇଁ ବୋଟ୍ର ସାହାରା ନେଉଛନ୍ତି । ଆଉ କିଏ କିଏ ଛାତିଏ ପାଣିରେ ପଶି ଯାଆସ କରୁଛନ୍ତି । ଏବେବି ଗାଁ ଗାଁରେ ରହିଛି ବନ୍ୟା ପାଣି । ଧୀରେ ଧୀରେ ବନ୍ୟା ପାଣି ଛାଡିବା ପରେ ଲୋକ ମାନେ ନଦୀ ବନ୍ଧ ଉପରୁ ନିଜ ନିଜ ଘରକୁ ଯାଇ ସଜାଡୁଛନ୍ତି ଆସବାବପତ୍ର ।

ସେପଟେ ଭୋଗରାଇ ବ୍ଲକର ୨୦ରୁ ଅଧିକ ପଞ୍ଚାୟତରେ ବନ୍ୟା ପାଣି ପଶି ଲୋକଙ୍କ ଜିନିଷ ପତ୍ର ନଷ୍ଟ ହୋଇଥିବା ବେଳେ ବିଶେଷ କରି କୁମ୍ଭୀରଗଡି ପଞ୍ଚାୟତର କୁଲ୍ହା, ପନ୍ତେଇ ଖୋଳାବାଡ଼ିଆ ଆଦି ଗାଁରେ ଘରଦ୍ବାର ପାଣିରେ ବୁଡି ରହିଛି । ଲୋକେ ଗୃହପାଳିତ ପଶୁ ଓ କୁନି କୁନି ପିଲାଙ୍କୁ ନେଇ ନଦୀ ବନ୍ଧ ଉପରେ ସାହାରା ନେଇଥିଲେ ।

ତେବେ ବନ୍ୟା ପାଣିରେ ଭାସି ଯାଇଥିବା ଘରଦ୍ୱାରକୁ କେମିତି ସଜାଡ଼ିବେ ଲୋକେ ତାକୁ ନେଇ ଚିନ୍ତାରେ ପଡିଛନ୍ତି । ଭୋଗରାଇ ବ୍ଲକର ପ୍ରାୟ ୧୧୦ ହେକ୍ଟର ପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବନ୍ୟାଜଳରେ ତଳିଆ ଅଞ୍ଚଳ ଏବେବି ବୁଡ଼ି ରହିଛି ।