ଭୁବନେଶ୍ୱର ୨୯।୧୦: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ଏହି ବର୍ଷା ପରେ ଏହି ସବୁ ଜିଲ୍ଲାରେ ବଢ଼ିଛି ବନ୍ୟା ଆଶଙ୍କା । ବିଶେଷକରି ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଅଧିକ ବର୍ଷା ଯୋଗୁଁ ବଂଶଧାରା ଓ ଋଷିକୁଲ୍ୟା ନଦୀରେ ବନ୍ୟା ସ୍ଥିତି ଉପୁଜିଛି । ଋଷିକୁଲ୍ୟା ଅବବାହିକାରେ ପ୍ରାୟ ୨୦୦ ମିଲିମିଟର ଏବଂ ବଂଶଧାରା ଅବବାହିକାରେ ୧୨୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ରାଜ୍ୟର ୪୭ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି  ବୋଲି ସୂଚନା ଦେଇଛନ୍ତି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୁରୁବାର ଅପରାହ୍ନ ୪ଟା ପରେ ବନ୍ୟା ସ୍ଥିତିରେ ସୁଧାର ଆସିବା ଆଶା କରାଯାଉଛି । ଆସନ୍ତାକାଲି ସକାଳ ସୁଦ୍ଧା ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇପାରେ । ଅନ୍ୟପଟେ ପୁରୁଷୋତ୍ତମପୁରରେ ଜଳସ୍ତର ୧୯ ମିଟରରେ ପହଞ୍ଚିଛି, ଯେଉଁଠାରେ ବିପଦ ସଙ୍କେତ ୧୭ ମିଟର ରହିଛି । ଅର୍ଥାତ୍ ବିପଦ ସଙ୍କେତଠାରୁ ପ୍ରାୟ ୨ ମିଟର ଉପରେ ପାଣି ପ୍ରବାହିତ ହେଉଛି । ବାଉନ୍ଦା ନଦୀରେ ମଧ୍ୟ ବନ୍ୟା ସ୍ଥିତି ଦେଖାଦେଇଛି। ଜଳସ୍ତର କମିବାକୁ ଆହୁରି ୬ରୁ ୮ ଘଣ୍ଟା ସମୟ ଲାଗିପାରେ । ଏଥିଯୋଗୁଁ ଟ୍ରେନ୍ ଚଳାଚଳ ଉପରେ ମଧ୍ୟ ପ୍ରଭାବ ଜାରି ରହିବ ।

Also Read:-କ୍ୟାପଟେନ୍ ମଛାରଙ୍କ ଚିହ୍ନ ବଖାଣୁଛି କକପିଟ୍ ସଂଘର୍ଷର କାହାଣୀ, ମୁଣ୍ଡର ଷ୍ଟିଜ ଉପରେ ପଡ଼ିଲା ୟୁଏଇ ରାଷ୍ଟ୍ରପତିଙ୍କ ନଜର

ବାଘଲତି ଜଳଭଣ୍ଡାରରେ ୪ଟି ଗେଟ୍ ଖୋଲା ରହିଛି ଏବଂ ଜଳଭଣ୍ଡାରକୁ ଜଳ ପ୍ରବେଶର ପରିମାଣ କମିଛି। ବର୍ତ୍ତମାନ ମହାନଦୀର ଜଳସ୍ତର ୬୨୭ ଫୁଟ ରହିଛି । ଆଗାମୀ ବର୍ଷାରୁ ଆସିବାକୁ ଥିବା ଜଳକୁ ଜଳଭଣ୍ଡାରରେ ରଖିବା ପାଇଁ ଆକଳନ କରାଯାଇଛି । ଆବଶ୍ୟକ ପଡ଼ିଲେ ଆସନ୍ତା ୩୦ ତାରିଖରେ ଜଳଭଣ୍ଡାରର ଗେଟ୍ ଖୋଲାଯାଇପାରେ । ବର୍ତ୍ତମାନ ମହାନଦୀରେ ବନ୍ୟା ଆଶଙ୍କା ନଥିବା ସ୍ପଷ୍ଟ କରିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ବର୍ଷା ଓ ନଦୀର ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଇଥିବା ବେଳେ ଆଗାମୀ ସମୟରେ ସ୍ଥିତିର ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନିଆଯିବ ।

Watch Video:-