ଭୁବନେଶ୍ୱର: ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ଦ୍ରୁତ ଗତିରେ ସ୍ୱାଭାବିକ ହେବାରେ ଲାଗିଛି। ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ସ୍ଥିତିର ନିୟମିତ ସମୀକ୍ଷା କରାଯାଉଛି। ଏହି କ୍ରମରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ ଦେବଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଦ୍ୟୁତ୍ ବିତରଣ କମ୍ପାନୀ (ଡିସକମ୍) ଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

୯୩ ପ୍ରତିଶତ ଅଞ୍ଚଳରେ ଫେରିଲା ବିଦ୍ୟୁତ୍

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ବନ୍ୟା ଜଳ ହ୍ରାସ ପାଇବା ସହ ବିଭାଗୀୟ ତତ୍ପରତା ଯୋଗୁଁ ପ୍ରଭାବିତ ଅଞ୍ଚଳଗୁଡ଼ିକର ପ୍ରାୟ ୯୩ ପ୍ରତିଶତ ଉପଭୋକ୍ତାଙ୍କୁ ପୁନର୍ବାର ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଛି। ସାମଗ୍ରିକ ଭାବେ କୌଣସି ବଡ଼ ଧରଣର ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇନଥିବା ବେଳେ ଯେଉଁ ସ୍ଥାନରେ ଟ୍ରାନ୍ସଫର୍ମର ଅଚଳ ହୋଇଛି, ସେଗୁଡ଼ିକୁ ତୁରନ୍ତ ବଦଳାଯାଉଛି।

କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ସାମାନ୍ୟ ବିଳମ୍ବ

ଅଧିକାଂଶ ସ୍ଥାନରେ ମରାମତି କାର୍ଯ୍ୟ ଶେଷ ହୋଇଥିଲେ ବି କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାର କେତେକ ତଳିଆ ଅଞ୍ଚଳରେ ଜଳସ୍ତର ଅଧିକ ରହିଛି। ଗମନାଗମନରେ ସମସ୍ୟା ଉପୁଜୁଥିବାରୁ ସେହିସବୁ ନିର୍ଦ୍ଦିଷ୍ଟ ଅଞ୍ଚ ସେବା ପୂର୍ଣ୍ଣାଙ୍ଗ ହେବାରେ ସାମାନ୍ୟ ବିଳମ୍ବ ହେଉଛି। ତେବେ ପରିସ୍ଥିତି ସୁଧୁରିବା କ୍ଷଣି ସେଠାରେ ମଧ୍ୟ ସଂଯୋଗ ସ୍ୱାଭାବିକ କରାଯିବ।

ଜନସାଧାରଣଙ୍କ ସୁରକ୍ଷା ପ୍ରଥମ

ଶକ୍ତି ବିଭାଗ ପକ୍ଷରୁ ସୁରକ୍ଷା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଳମଗ୍ନ ଲାଇନ୍ଗୁଡ଼ିକୁ ଚାଲୁ କରିବା ପୂର୍ବରୁ ଆବଶ୍ୟକ ସୁରକ୍ଷା ଯାଞ୍ଚ କରିବାକୁ କୁହାଯାଇଛି, ଯେପରି କୌଣସି ଜୀବନପ୍ରତି ବିପଦ ସୃଷ୍ଟି ନହୁଏ। ଏହାସହ ଦୁର୍ଗମ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଡିସକମ୍ଗୁଡ଼ିକୁ ସୂଚନା ଦିଆଯାଇଛି।