ଚାନ୍ଦବାଲି ୨୭।୧୨: ଟ୍ରଲରରେ ମାଛ ମାରିବା ବେଳେ ଅଘଟଣ । ମେସିନ୍‌ରେ ପିଟିହୋଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ଧାମରାରେ ମତ୍ସ୍ୟ ପୋତାଶ୍ରୟ ଅଧୀନରେ ଥିବା ଏକ ମାଛଧରା ଟ୍ରଲରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମାଛ ମାରୁଥିବା ସମୟରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛି ପୋଲିସ । 

ସୂଚନାଯୋଗ୍ୟ ଯେ, ମା’ ନାଚିନ୍ଦା ନାମକ ଟ୍ରଲର ଗଭୀର ସମୁଦ୍ରରେ ମାଛ ମାରୁଥିଲେ ମତ୍ସ୍ୟଜୀବୀ । ଏହି ସମୟରେ ଟ୍ରଲରରେ ଥିବା ମତ୍ସ୍ୟଜୀବୀ ଜଣଙ୍କ ଅସାବଧାନତା ବଶତଃ ଏକ ମେସିନରେ ପିଟିହୋଇ ଯାଇଥିଲେ । ଫଳରେ ମତ୍ସ୍ୟଜୀବୀ ଜଣଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତଦେହ ଟ୍ରଲରରୁ ଉଦ୍ଧାର କରାଯାଇଛି । ମୃତ ମତ୍ସ୍ୟଜୀବୀ ଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ରଙ୍ଗଣୀ ଗ୍ରାମର ନୃସିଂହ ଦଳେଇ ବୋଲି ଜଣାପଡିଛି । 

​​​​​​​

ତେବେ ଏ ନେଇ ଧାମରା ସାମୁଦ୍ରିକ ଥାନାରେ ଏକ ମାମଲା ରୁଜୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏହାସହ ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି l