ମୈସୁର: କର୍ଣ୍ଣାଟକ ମୈସୁରରେ ସୋମବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଠାରେ ଥିବା ଏକ ବାର-ରେଷ୍ଟୁରାଣ୍ଟରେ ନିଆଁ ଲାଗିବା ଯୋଗୁ ୨ ଜଣ ପୋଡି ହୋଇ ପ୍ରାଣ ହରାଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଆରଟି ନଗର ଅଞ୍ଚଳର ଦତ୍ତ ଗଳିସ୍ଥିତ ‘ଫକ୍ସଡେନ ଲିକର ଗ୍ୟାରେଜ ବାର ଆଣ୍ଡ ରେଷ୍ଟୁରାଣ୍ଟ’ରେ ଏହି ଅଗ୍ନିକାଣ୍ଡ ଘଟିଛି। ପ୍ରାରମ୍ଭିକ ସୂଚନାରୁ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି। ନିଆଁ ଏତେ ଦ୍ରୁତ ବ୍ୟାପିଥିଲା ଯେ ଲୋକେ କିଛି ବୁଝିବା ଆଗରୁ ଜଳିବାକୁ ଲାଗିଥିଲେ।

ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଜଣେ ନେପାଳ ନାଗରିକ ଥିବା କୁହାଯାଉଛି। ମୃତକଙ୍କ ଚିହ୍ନଟ ହୋଇଛି, ସେମାନେ ହେଲେ ଶାହିନ(୨୬) ଓ ପ୍ରକାଶ (୨୪)। ସାହିନ ଦାର୍ଜିଲିଂର ବାସିନ୍ଦା ହୋଇଥିବା ବେଳେ ପ୍ରକାଶ ନେପାଳ ନାଗରିକ ଭାବେ ଚିହ୍ନଟ ହୋଇଛି। ଉଭୟ ରେଷ୍ଟୁରାଣ୍ଟର କର୍ମଚାରୀ ବୋଲି କୁହାଯାଉଛି। ଅଗ୍ନିକାଣ୍ଡ ବେଳେ ଉଭୟ ଭିତରେ ଥିଲେ ଓ ଘଟଣାସ୍ଥଳରେ ପୋଡି ହୋଇ ସେମାନେ ପ୍ରାଣ ହରାଇଛନ୍ତି।

ଏହି ଅଗ୍ନିକାଣ୍ଡରେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକାରୀଙ୍କ ଅନୁସାରେ କିଛି ଲୋକ ଗୁରୁତର ପୋଡି ଯାଇଛନ୍ତି। ଅନ୍ୟମାନେ ଧୂଆଁ ଭରିଯିବାରୁ ନିଶ୍ୱାସପ୍ରଶ୍ୱାସ ନେଇ ନପାରି ଅସୁସ୍ଥ ହୋଇପଡିଛନ୍ତି। ରିପୋର୍ଟ ଅନୁସାରେ ନିଆଁ ଲାଗିବା ବେଳେ ରେଷ୍ଟୁରାଣ୍ଟରେ ୨୫ ଜଣ ଲୋକ ଥିଲେ।ଅଚାନକ ଧୂଆଁ ଭରିଯିବାରୁ ଲୋକେ ବାହାରକୁ ବାହାରି ପାରିନଥିଲେ। ଦମକଳ ବିଭାଗ କର୍ମଚାରୀ ପହଞ୍ଚି ନିଆଁ ଲାଗିଥିବା ବିଲ୍ଡିଂରୁ ଲୋକଙ୍କୁ ଉଦ୍ଧାର କରିଛନ୍ତି।