ନୂଆଦିଲ୍ଲୀ ୨୭।୩: ଫାଇନାନ୍ସ ବିଲ୍ ୨୦୨୬କୁ ଶୁକ୍ରବାର ସଂସଦର ମଞ୍ଜୁରୀ ମିଳିଯାଇଛି। ରାଜ୍ୟସଭାରେ ବିଲ୍ ଧ୍ୱନୀମତରେ ଗୃହୀତ ହେବା ପରେ ଲୋକସଭାକୁ ଫେରାଇ ଦିଆଯାଇଛି। ଏଣୁ କେନ୍ଦ୍ରୀୟ ବଜେଟ ୨୦୨୬-୨୭ର ପ୍ରସ୍ତାବଗୁଡିକୁ ଆଇନଗତ ସମର୍ଥନ ଲାଗି ବିଧାୟୀ ପ୍ରକ୍ରିୟା ପୂରଣ ହୋଇଛି, ଯାହା ୧ ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ନୂଆ ଆର୍ଥିକ ବର୍ଷରୁ ଲାଗୁ ହେବ। ମାର୍ଚ୍ଚ ୨୫ ତାରିଖ ଦିନ ଲୋକସଭାରେ ବିଲ୍ କୁ ୩୨ ସଂଶୋଧନ ସହିତ ଗୃହୀତ କରାଯାଇଥିଲା। ଏହା ପରେ ବିଲ୍ କୁ ନେଇ ରାଜ୍ୟସଭାରେ ସଂକ୍ଷିପ୍ତ ଚର୍ଚ୍ଚା ହେବା ପରେ ସାଂସଦଙ୍କ ପ୍ରଶ୍ନର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉତ୍ତର ଦେଇଥିଲେ। ଏହା ପରେ ବିଲ୍ କୁ ମଞ୍ଜୁରୀ ମିଳିଯାଇଛି।

୨୦୨୬-୨୭ କେନ୍ଦ୍ରୀୟ ବଜେଟରେ ମୋଟ ଖର୍ଚ୍ଚ ୫୩.୪୭ ଲକ୍ଷ କୋଟି ଟଙ୍କା ରଖା ଯାଇଛି। ଯାହା ଜାରି ଆର୍ଥିକ ବର୍ଷ (୩୧ ମାର୍ଚ୍ଚ ୨୦୨୫-୨୬) ତୁଳନାରେ ୭.୭% ଅଧିକ। ଏହି ବଜେଟରେ ବଡ଼ ଭିତ୍ତିଭୂମି ପ୍ରକଳ୍ପ ଲାଗି ୧୨.୨ଲକ୍ଷ କୋଟି ଟଙ୍କାର ପୁଞ୍ଜିଗତ ଖର୍ଚ୍ଚ ଲାଗି ପ୍ରସ୍ତାବ ଦିଆଯାଇଛି। ଏହା ଦ୍ୱାରା ଅର୍ଥ ବ୍ୟବସ୍ଥାକୁ ବିକାଶ ଓ ରୋଜଗାରକୁ ପ୍ରୋତ୍ସାହନ ମିଳିବ। ଏହା ଗତବର୍ଷ ତୁଳନାରେ ୨.୨ଲକ୍ଷ କୋଟି ଟଙ୍କା ଅଧିକ। ଏହି ଅବସରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ବଡ଼ ବଡ଼ ପ୍ରକଳ୍ପ ଶୀଘ୍ର ଶେଷ କରିବା ଲାଗି ଏକ ‘ଇନଫ୍ରାଷ୍ଟ୍ରକ୍ଚର ରିସ୍କ ଡେଭଲପମେଣ୍ଟ ଫଣ୍ଡ ’ ଗଢାଯିବ।

ଅର୍ଥମନ୍ତ୍ରୀ ୨୦୨୬-୨୭ ବର୍ଷ ନିମନ୍ତେ ରାଜକୋଷ ନିଅଣ୍ଟକୁ ହ୍ରାସ କରି ଜିଡିପିର ୪.୩%କୁ ଆଣିବା ପାଇଁ ଲକ୍ଷ୍ୟ ମଧ୍ୟ ରଖିଛନ୍ତି। କହିଛନ୍ତି ଯେ ସରକାର ଆର୍ଥିକ ବିକାଶ ସହିତ ବିତ୍ତିୟ ସ୍ଥିରତା ମଧ୍ୟ ଚାହାନ୍ତି। ଏଣୁ ଏ ଦିଗରେ କାମ କରାଯାଉଛି। ରାଜକୋଷ ନିଅଣ୍ଟ ପୁରା କରିବା ପାଇଁ ୨୦୨୭ ମସିହାରେ ସରକାର ୧୧.୭ଲକ୍ଷ କୋଟି ଟଙ୍କା ନେଟ୍ ଋଣ କରିବେ। ଏହି ସମୟରେ ମୋଟ ବଜାର ଋଣ ୧୭.୨ଲକ୍ଷ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ବଜେଟରେ ହାଇୱେ, ପୋର୍ଟ, ରେଲୱେ ଏବଂ ପାୱାର ପ୍ରୋଜେକ୍ଟସ ଭଳି ଇନଫ୍ରାଷ୍ଟ୍ରକ୍ଚର ସେକ୍ଟରକୁ ମଜଭୁତ କରିବା ସହିତ ୭ ରଣନୈତିକ ସେକ୍ଟରରେ ମେନୁଫେକ୍ଚରିଂ ବଢାଇବାକୁ ଓ ଏମଏସଏମଇକୁ ଆଗକୁ ଆଣିବାକୁ ଜୋର ଦିଆଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆର୍ଥିକ ଅନୁଶାସନ ଓ ମୌଦ୍ରିକ ସ୍ଥିରତା କାୟମ ରଖି ସରକାର ସାର୍ବଜନିକ ନିବେଶ ଉପରେ ମଜଭୁତ ଫୋକସ ରଖିଛନ୍ତି। ସେ କହିଛନ୍ତି ଯେ ଭାରତର ଋଣରୁ ଜିଡିପି ଅନୁପାତ ୨୦୨୫-୨୬ରେ ହ୍ରାସ ହୋଇ ୫୬.୧% ରହିଛି। ଏହାକୁ ୨୦୨୬-୨୭ ଆର୍ଥିକ ବର୍ଷରେ ଆହୁରି ହ୍ରାସ କରି ୫୫.୬% କରିବାକୁ ଲକ୍ଷ୍ୟ ରଖା ଯାଇଛି।