ପାଟନା: ବିହାର ରାଜନୀତିରେ ସରକାରୀ ବାସଭବନକୁ ନେଇ ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (RJD) ନେତ୍ରୀ ରାବଡ଼ୀ ଦେବୀ ନିଜର ପୁରୁଣା ସରକାରୀ ବାସଭବନ '୧୦ ସର୍କୁଲାର ରୋଡ୍' ଖାଲି କରିବାକୁ ସ୍ପଷ୍ଟ ମନା କରିଦେଇଛନ୍ତି। ଶନିବାର ଦିଲ୍ଲୀରୁ ପାଟନା ଫେରିବା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ଆଜି (ଶନିବାର) ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ରାବଡ଼ୀ ଦେବୀ ଦିଲ୍ଲୀରୁ ପାଟନା ବିମାନବନ୍ଦରରେ ପହଞ୍ଚିବା ପରେ ସାମ୍ବାଦିକମାନେ ତାଙ୍କୁ ବଙ୍ଗଳା ଖାଲି କରିବା ନୋଟିସ ସମ୍ପର୍କରେ ପଚାରିଥିଲେ। ପ୍ରଥମେ ସେ ଏହାକୁ ଏଡ଼ାଇ ଯାଇଥିଲେ ମଧ୍ୟ ପରେ କ୍ଷୋଭର ସହ କଡ଼ା ଭାଷାରେ କହିଥିଲେ, ‘ଫୋର୍ସ (ସୁରକ୍ଷା ବଳ) ପଠାଇ ଖାଲି କରିଦିଅନ୍ତୁ।’

ରାବଡ଼ୀ ଦେବୀଙ୍କ ଏହି ଗୋଟିଏ ଧାଡ଼ିର ଜବାବରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ସେ କୌଣସି ପରିସ୍ଥିତିରେ ବି ୧୦ ସର୍କୁଲାର ରୋଡ୍ ବାସଭବନ ଛାଡ଼ିବା ସପକ୍ଷରେ ନାହାନ୍ତି କିମ୍ବା ତାଙ୍କୁ ଆବଣ୍ଟିତ ହୋଇଥିବା ନୂଆ ବାସଭବନ '୩୯, ହାର୍ଡିଂ ରୋଡ୍'କୁ ଯିବାକୁ ଚାହୁଁନାହାନ୍ତି।

ବଙ୍ଗଳା ଖାଲି କରିବା ପାଇଁ କାହିଁକି ଆସିଲା ନୋଟିସ୍ ?

ଏହି ସରକାରୀ ବଙ୍ଗଳା ଖାଲି କରିବା ପଛରେ ସରକାରୀ ନିୟମ ଓ ନୂତନ ଆବଣ୍ଟନ ପ୍ରକ୍ରିୟା ରହିଛି । ବିହାର ବିଧାନସଭା ନିର୍ବାଚନ ଶେଷ ହେବା ପରେ, ୨୫ ନଭେମ୍ବର ୨୦୨୫ରେ ଭବନ ନିର୍ମାଣ ବିଭାଗର ଆଦେଶ ସଂଖ୍ୟା ୧୨୨ ଅନୁଯାୟୀ ରାବଡ଼ୀ ଦେବୀଙ୍କୁ ୩୯ ହାର୍ଡିଂ ରୋଡ୍ ସ୍ଥିତ ଏକ ନୂଆ ସରକାରୀ ବାସଭବନ ପ୍ରଦାନ କରାଯାଇଥିଲା। ଏଥିପାଇଁ ତାଙ୍କୁ ଚିଠି ମଧ୍ୟ ପଠାଯାଇଥିଲା। ନୂଆ ବଙ୍ଗଳା ମିଳିବାର ପ୍ରାୟ ୬ ମାସ ବିତିଯାଇଥିଲେ ମଧ୍ୟ ରାବଡ଼ୀ ଦେବୀ ପୁରୁଣା ଘର ଖାଲି କରିନଥିଲେ।

ଗତ ୨୭ ମେ ୨୦୨୬ରେ ଭବନ ନିର୍ମାଣ ବିଭାଗ ପକ୍ଷରୁ ୧୦ ସର୍କୁଲାର ରୋଡ୍ ବାସଭବନକୁ ବିହାରର ନୂତନ ମତ୍ସ୍ୟ, ଡାଏରୀ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ନନ୍ଦକିଶୋର ରାମଙ୍କୁ ଆବଣ୍ଟିତ କରାଯାଇଛି। ଏହା ପରେ ଶୁକ୍ରବାର (୨୯ ମେ) ଦିନ ବିଭାଗ ପକ୍ଷରୁ ରାବଡ଼ୀ ଦେବୀଙ୍କୁ ତୁରନ୍ତ ଘର ଖାଲି କରିବା ପାଇଁ ଅନ୍ତିମ ନୋଟିସ ଜାରି କରାଯାଇଛି ।

୧୦ ସର୍କୁଲାର ରୋଡ୍ ବଙ୍ଗଳା ସହ ଲାଲୁ ପରିବାରର ୨୦ ବର୍ଷର ସମ୍ପର୍କ

ଏହି ସରକାରୀ ବାସଭବନ ସହ ଲାଲୁ ପ୍ରସାଦ ଯାଦବ ଓ ରାବଡ଼ୀ ଦେବୀଙ୍କ ପରିବାରର ଅନେକ ସ୍ମୃତି ଜଡ଼ିତ ରହିଛି । ରାବଡ଼ୀ ଦେବୀ ଗତ ପ୍ରାୟ ୨୦ ବର୍ଷ ହେବ ଏହି ବଙ୍ଗଳାରେ ରହୁଛନ୍ତି। ନଭେମ୍ବର ୨୦୦୫ ବିଧାନସଭା ନିର୍ବାଚନରେ ଆରଜେଡିର ପରାଜୟ ପରେ ତାଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ କୋଟାରେ ଏହି ବିଶାଳ ବାସଭବନ ମିଳିଥିଲା । ୨୦୧୯ ମସିହାରେ ଯେତେବେଳେ ତେଜସ୍ୱୀ ଯାଦବ ନିଜ ବାସଭବନ ମାମଲାକୁ ନେଇ ପାଟନା ହାଇକୋର୍ଟ ଯାଇଥିଲେ, ସେତେବେଳେ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କହିଥିଲେ ଯେ, କୌଣସି ପୂର୍ବତନ ମୁଖ୍ୟମନ୍ତ୍ରୀ ବା ଉପ-ମୁଖ୍ୟମନ୍ତ୍ରୀ ସରକାରୀ ବଙ୍ଗଳା ରଖିପାରିବେ ନାହିଁ, କାରଣ ଏହା ଜନସାଧାରଣଙ୍କ ସମ୍ପତ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ, ୧୦ ସର୍କୁଲାର ରୋଡ୍ ବଙ୍ଗଳାକୁ ରାବଡ଼ୀ ଦେବୀଙ୍କୁ 'ବିହାର ବିଧାନ ପରିଷଦର ବିରୋଧୀ ଦଳ ନେତ୍ରୀ' ଭାବେ ଆବଣ୍ଟନ କରାଯାଇଥିଲା। ୨୦୨୫ ନିର୍ବାଚନ ପରେ ପରିସ୍ଥିତି ବଦଳିଛି ଏବଂ ନିୟମ ଅନୁସାରେ ତାଙ୍କୁ ନୂଆ ଘରକୁ ଯିବାକୁ କୁହାଯାଉଛି। ମାତ୍ର ରାବଡ଼ୀ ଦେବୀଙ୍କ ଜିଦ୍ ଏବଂ କଡ଼ା ଆଭିମୁଖ୍ୟ ଯୋଗୁଁ ଆଗାମୀ ଦିନରେ ବିହାରର ରାଜନୈତିକ ପାଣିପାଗ ଆହୁରି ସରଗରମ ହେବା ନିଶ୍ଚିତ ମନେ ହେଉଛି।