ନୂଆଦିଲ୍ଲୀ: ଲୋକସଭାରେ ହଟ୍ଟଗୋଳ ମଧ୍ୟରେ ‘ବିଦେଶୀ ଯୋଗଦାନ (ରେଗୁଲେସନ) ସଂଶୋଧନ ବିଧେୟକ ୨୦୨୬’ (ଏଫସିଆରଏ ବିଲ୍) ବୁଧବାର ଉଭୟ ସଦନର ସଂଯୁକ୍ତ ସଂସଦୀୟ କମିଟି (ଜେପିସି) ନିକଟକୁ ପଠାଇବା ପ୍ରସ୍ତାବ ମଞ୍ଜୁର ହୋଇଛି। ଲୋକସଭାରେ ବିରୋଧୀ ଦଳ ଏଫସିଆଏ ବିଲ୍ କୁ ଜେପିସିକୁ ପଠାଇବା ପ୍ରସ୍ତାବକୁ ବିରୋଧ କରିଛନ୍ତି। ଏଥି ପାଇଁ ଗୃହର କେନ୍ଦ୍ରସ୍ଥଳକୁ ପହଞ୍ଚି ବିଲ୍ ପ୍ରତ୍ୟାହାର ଦାବିରୋ ବିକ୍ଷୋଭ ମଧ୍ୟ କରିଥିଲେ।

ଏହା ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁ ବିରୋଧୀଙ୍କୁ ଚ୍ୟାଲେଞ୍ଜ କରିଥିଲେ ଓ କହିଥିଲେ ଏହି ବିଲ୍ ରେ ଏପରି କୌଣସି ଏକ ପ୍ରାବଧାନ ସମ୍ପର୍କରେ କୁହନ୍ତୁ ଯାହା ସଂଖ୍ୟାଲଘୁଙ୍କ ସ୍ୱାର୍ଥର ବିପରୀତ ବୋଲି କହିଥିଲେ। ଏଥିରେ ବିରୋଧୀ ମୌନ ରହିବାରୁ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ବିଧେୟକକୁ ଜେପିସିକୁ ପଠାଇବାକୁ ପ୍ରସ୍ତାବ ଦେଇଥିଲେ। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଏହି ପ୍ରସ୍ତାବ ଗୃହୀତ ହୋଇଯାଇଛି।

ଏହି ବିଧେୟକ ପାଇଁ ପ୍ରସ୍ତାବିତ ଜେପିସିରେ ୩୧ ଜଣ ସଦସ୍ୟ ରହିବେ। ଏଥିରୁ ୨୧ ଜଣ ସଦସ୍ୟ ଲୋକସଭାରୁ ରହିବେ ଓ ବାକି ୧୦ ଜଣ ରାଜ୍ୟସଭାରୁ ରହିବେ। ପ୍ରସ୍ତାବ ଅନୁସାରେ ଏହି ଯୁଗ୍ମ କମିଟି ସଂସଦର ଶୀତକାଳୀନ ଅଧିବେଶନ ପ୍ରଥମ ସପ୍ତାହର ଶେଷ ଦିନ ସୁଦ୍ଧା ତାଙ୍କ ରିପୋର୍ଟ ସଂସଦକୁ ଦେବେ। କମିଟି ବୈଠକ ସଞ୍ଚାଳନ ଲାଗି କୋରମ ମୋଟ ସଦସ୍ୟ ସଂଖ୍ୟାର ଏକ ତୃତିୟୀଂଶ ନିର୍ଦ୍ଧାରଣ କରାଯାଇଛି। ଏହା ଛଡା କାର୍ଯ୍ୟକ୍ରମ ସୂଚାରୁ ସଞ୍ଚାଳନ ନିମନ୍ତେ ସଂସଦୀୟ କମିଟିମାନଙ୍କ ଠାରୁ ସମ୍ବଦ୍ଧିତ ଲୋକସଭାର କାର୍ଯ୍ୟପ୍ରକ୍ରିୟା ଓ କାର୍ଯ୍ୟକ୍ରମର ସବୁ ନିୟମ ଲାଗୁ ହେବ ବୋଲି କୁହାଯାଇଛି।