ଭୁବନେଶ୍ଵର: ଦୀର୍ଘ ଦିନ ହେଲା FCI ଗୋଦାମରେ ପଡ଼ିଥିବା ୧ ଲକ୍ଷ ଟନ୍ ଚାଉଳ ନିଲାମ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଲେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ସରକାରଙ୍କ ରାଜସ୍ବହାନୀ ହେବା ଆଶଙ୍କା ରହିଥିବା ବେଳେ ଚାଷୀଙ୍କ ସମସ୍ୟା ସମାଧାନ କିପରି କରିବେ ତାହା ମଧ୍ୟ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କାରଣ ସରକାର ମେ ୧ ତାରିଖରୁ ରବି ଋତୁ ଧାନ ଉଠାଇବାକୁ ଚିଠି ଜାରି କରିଛନ୍ତି । ହେଲେ ଏହି ଧାନ ଉଠିଲେ ରହିବ କେଉଁଠି । କାରଣ ଏପଟେ ନା ଖରିପ ଋତୁର ଧାନ ମିଲରୁ ନଉଠି ଗୋଦାମ ଘରେ ପଡ଼ି ରହିଥିବା ବେଳେ ଏଫସିଆଇ ଗୋଦାମ ଘରୁ ମଧ୍ୟ ଚାଉଳ ଉଠି ନପାରି ଗୋଦାମ ଘର ଭର୍ତ୍ତି ହୋଇ ରହିଛି।

FCIରେ ଗଚ୍ଛିତ ଚାଉଳ ହେବ ନିଲାମ । ଗଚ୍ଛିତ ୧ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ନିଲାମ କରିବାକୁ ରାଜ୍ୟ ସରକାର କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । ତେବେ କାହିଁକି ଚାଉଳ ନିଲାମ ପାଇଁ ନିଆଗଲା ନିଷ୍ପତ୍ତି ? ଏହା ଦ୍ବାରା ସରକାର କେତେ ଲାଭବାନ ହେବେ ? ଗୋଟିଏ ପଟେ FCI ଗୋଦାମ ଭିତରେ ଚାଉଳ ଭର୍ତ୍ତି ଯୋଗୁଁ ଗୋଦାମ ଖାଲି ନାହିଁ। ଅନ୍ୟପଟେ କିଛି ଜିଲ୍ଲାରୁ ମିଲର ମାନଙ୍କ ଠାରୁ ଚାଉଳ ଉଠାଯାଇ ପାରୁନି। ଫଳରେ ମିଲରେ ବି ଭର୍ତ୍ତି ହୋଇ ରହିଛି ଚାଉଳ । ପରିସ୍ଥିତି ଏପରି ହୋଇଛି ଯେ ଖରିଫ ଋତୁରେ ଚାଷୀଙ୍କ ଧାନ ଉଠାଇବାକୁ ନେଇ ସରକାରଙ୍କୁ କାଠ ଗଡ଼ାରେ ଠିଆ ହେବାକୁ ପଡିଛି । କାରଣ ମେ ୧ ତାରିଖରୁ ରବି ଧାନ ସଂଗ୍ରହ ପାଇଁ ସରକାର ଚିଠି କରିଛନ୍ତି ।

Also Read: ସିଏମ୍ କିଷାନ ଯୋଜନାରେ ଚାଷୀଙ୍କ ସଂଖ୍ୟା ଏତେ କେମିତି କଟିଲା...

ଗୋଦାମ ଖାଲି ନାହିଁ ଧାନ ଉଠାଇଲେ ରଖିବେ କେଉଁଠି ?

ହେଲେ ପ୍ରଶ୍ନ ଉଠୁଛି ମିଲ୍ ଖାଲି ନଥିବା ବେଳେ FCI ଗୋଦାମ ବି ଖାଲି ନାହିଁ । ସରକାର ଧାନ ଉଠାଇଲେ ରଖିବେ କେଉଁଠି ? ତେବେ ସରକାରଙ୍କ ଚାଉଳ ନିଲାମ ପ୍ରକ୍ରିୟା ସାମ୍ନାକୁ ଆସିବା ପରେ ବରଗଡ଼ ଓ ସୋନପୁରରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତି ପରଖିଥିଲା ନ୍ୟୁଜ 7 । ବରଗଡ଼ ଜିଲ୍ଲାରେ ଏପର୍ଯ୍ୟନ୍ତ ଯୋଗାଣ ବିଭାଗ ମିଲର୍ସ ମାନଙ୍କ ଠାରୁ ଧାନ ଉଠାଇ ନଥିବାରୁ ମିଲ ଓ ଗୋଦାମ ଗୁଡିକରେ ଧାନ ଭର୍ତ୍ତି ହୋଇ ରହିଛି । ଫଳରେ ଏବେ ଧାନ ସଂଗ୍ରହକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Also Read: ବୁଧବାର ରାଜ୍ୟ କ୍ୟାବିନେଟ୍ ବୈଠକ, ୧୨ଟି ପ୍ରସ୍ତାବ ଉପରେ ଲାଗିପାରେ ମୋହର

FCIକୁ ନେଇ ଉଠିଲା ପ୍ରଶ୍ନ

ସୋନପୁର ଜିଲ୍ଲାର ସ୍ଥିତି। ଏଠାରେ ମିଲ ଗୁଡିକରେ ଗଚ୍ଛିତ ଥିବା ଚାଉଳକୁ ଏପ୍ରିଲ୍ ମାସ ଆରମ୍ଭରୁ ଉଠାଇବା ଆରମ୍ଭ କରିଛି ଯୋଗାଣ ବିଭାଗ। ଜିଲ୍ଲାରେ ଗତ କିଛି ଦିନ ହେବ ମିଲର୍ସଙ୍କ ପାଖରେ ଚାଉଳ ପଡି ରହିଥିବାରୁ ବାରମ୍ବାର ମିଲର୍ସ ମାନେ ଚାଉଳ ଉଠାଇବାକୁ ଦାବି କରିଆସୁଥିଲେ l ମିଲର୍ସ ପାଖରୁ ଗତ ଗୋଟିଏ ବର୍ଷର ଚାଉଳ FCI ଉଠାଇ ନଥିବାରୁ ଚାଉଳର ମାନ କମିବାକୁ ଲାଗିଥିଲା ଓ ଚିନ୍ତା ବଢିଥିଲା। ହେଲେ ପୂର୍ବ ବର୍ଷର ଚାଉଳକୁ ରାଜ୍ୟ ସରକାର ଉଠାଉଥିବା ବେଳେ ଚଳିତ ବର୍ଷର ଚାଉଳକୁ FCI ଉଠାଉଛିl ତେଣୁ ମିଲ ମାଲିକମାନେ ଟିକେ ଚିନ୍ତାରୁ ମୁକ୍ତି ପାଇଛନ୍ତି l କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯଦି FCI ଏପ୍ରିଲ ପହିଲାରୁ ଏହି ଚାଉଳ ଉଠାଇ ପାରୁଛି ତାହେଲେ ପୂର୍ବରୁ କାହିଁକି ଉଠାଉ ନଥିଲା l

ପୁଣି ଉପୁଜିବ ସମସ୍ୟା !

ଗତ ବର୍ଷ ଖରିଫ୍ ଋତୁରେ ମିଲରସ୍ ଧାନ କିଣା ବିକା ପ୍ରକ୍ରିୟାରେ ସାମିଲ ହେବାକୁ ମନା କରି ଦେଇଥିଲେ ଏବଂ ଆନ୍ଦୋଳନ ମଧ୍ୟ କରିଥିଲେ । ତେଣୁ ଚଳିତ ବର୍ଷ ପୁଣିଥରେ ଏହି ସମସ୍ୟା ଦେଖିବାକୁ ମିଳିପାରେ ବୋଲି ଆଶଙ୍କା କରାଯାଉଛି । ଗୋଟିଏ ପଟେ ଏଫସିଆଇର ଗୋଦାମ ଗୃହ ଭର୍ତ୍ତି ରହିଥିବା ବେଳେ ମିଲ ମାନଙ୍କରେ ମଧ୍ୟ ଗୋଦାମ ଗୃହ ଭର୍ତ୍ତି ରହିଛି । ଏବେ ପୁଣି ରବି ଋତୁର ଧାନ ରଖିବା ପାଇଁ ମଧ୍ୟ ଜାଗା ନାହିଁ। ବର୍ଷ ବର୍ଷ ଧରି ପଡି ରହୁଥିବା ଚାଉଳ ମୂଷା ଖାଉଛି । ବସ୍ତା ଗୁଡ଼ିକ ଫାଟି ନଷ୍ଟ ହେବାରେ ଲାଗିଛି।

Also Read: ମିଳିଥିବା ଘର ଭଡ଼ାରେ ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ: ମେୟରଙ୍କ ଚେତାବନୀ

ମିଲର ମାଲିକ ମାନଙ୍କ କହିବା ଅନୁଯାୟୀ ଯଦି ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଉଳ ନ ଉଠିବ ତା ହେଲେ ପୁଣି ପରିସ୍ଥିତି ବିଗିଡିବାର ସମ୍ଭାବନା ରହିଛି। ଯଥା ଶୀଘ୍ର ସରକାର କେନ୍ଦ୍ରୀୟ ଯୋଗାଣ ବିଭାଗ ସହିତ ଆଲେଚନା କରି ଚାଉଳ ଉଠାଇବାର ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି । ସରକାର ସିନା ମେ ୧ ରୁ ରବି ରୁତୁ ଧାନ ଉଠିବାକୁ ଚିଠି କରି ଦେଲେ ହେଲେ ସେ ଧାନ ଉଠିଲେ ରହିବ କେଉଁଠି ତାହା ଏବେ ବଡ଼ ପ୍ରଶ୍ନ।