ନୂଆଦିଲ୍ଲୀ: ମାନସିକ ରୋଗରେ ପୀଡ଼ିତ ଥିଲା ପୁଅ। ବାପା କହିଲେ ଚାଲ ଡାକ୍ତରଖାନା ଯିବା, ଡାକ୍ତରକୁ ଟିକେ ଦେଖାଇ ଆସିବା। ସାଙ୍ଗରେ ପଡୋଶୀ କାକା ମଧ୍ୟ ଗଲେ। ପୁଅର ବିଶ୍ୱାସ ଜିତିବା ପାଇଁ ବାଟରେ ସିଙ୍ଗଡା ବି କିଣିଦେଲେ ବାପା। କିନ୍ତୁ କିଏ ଜାଣିଥିଲା ଜନ୍ମଦାତା ଯେ ଏମିତି ହଠାତ ଯମଦୂତ ପାଲଟିଯିବ? ନିତିଦିନିଆ ଏହି ଟେନସନରୁ ମୁକ୍ତିପାଇବା ପାଇଁ ୩୮ ବର୍ଷୀୟ ମାନସିକ ରୋଗୀ ପୁଅକୁ ପଥରରେ ଛେଚି, ରଶିରେ ତଣ୍ଟି ଚିପି ମାରିଦେଲା ୬୪ ବର୍ଷୀୟ ବାପା। ଏହି ଘଟଣା ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଦିଲ୍ଲୀର କାଳିନ୍ଦୀ କୁଞ୍ଜ ଅଞ୍ଚଳରେ ଜଣେ ୩୮ ବର୍ଷୀୟ ଯୁବକଙ୍କୁ ହତ୍ୟା ଅଭିଯୋଗରେ ତାଙ୍କ ୬୪ ବର୍ଷୀୟ ବାପା ଏବଂ ବାପାଙ୍କ ଜଣେ ବନ୍ଧୁଙ୍କୁ ପୋଲିସ ଗିରଫ କରିଛି। ଯୁବକଙ୍କୁ ପଥରରେ ଆକ୍ରମଣ କରିବା ପରେ କପଡ଼ାର ରଶିରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ପୋଲିସ କହିଛି। ମୃତ ଯୁବକ ହେଲେ ୩୮ ବର୍ଷୀୟ ଗୁଲ୍ ହସନ୍। ବାପା ତାଲୁକଦାର ଅନସାରୀ (୬୪) ଏବଂ ତାଙ୍କ ବନ୍ଧୁ ମହମ୍ମଦ ୱାସିମ୍ ଓରଫ୍ ଆକ୍ରମ୍ (୪୯) ଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ଉଭୟେ ପେସାରେ ଟେଲର ବୋଲି ପୋଲିସ କହିଛି।

ପୋଲିସ ଅନୁସାରେ, ପୁଅ ଗୁଲ୍ ହସନ୍ ସ୍କିଜୋଫ୍ରେନିଆରେ ପୀଡ଼ିତ ଥିଲେ। ତାଙ୍କ ଆଚରଣ ଆକ୍ରମଣାତ୍ମକ ହୋଇଯାଇଥିଲା ଏବଂ ଏଥିପାଇଁ ଅନସାରୀ ନିଜେ ଓ ପରିବାରର ଅନ୍ୟ ସଦସ୍ୟମାନେ ଅସୁବିଧାରେ ପଡ଼ୁଥିଲେ। ପୁଅର ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିପାରୁନଥିବାରୁ ସେ ନିରାଶ ଥିଲେ ବୋଲି ଅନସାରୀ ପୁଲିସକୁ କହିଥିବା ସୂଚନା ମିଳିଛି।

ଡାକ୍ତରଖାନା ନେବାକୁ କହି ମାରିଦେଲେ

ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଅଭିଯୁକ୍ତ ଦୁଇଜଣ ହସନଙ୍କୁ ଡାକ୍ତରଙ୍କ ପାଖକୁ ନେବା ବାହାନାରେ ଏକ ନିର୍ଜନ ସ୍ଥାନକୁ ନେଇଥିଲେ। ସେଠାରେ ପହଞ୍ଚିବା ପରେ ୱାସିମ୍ ଏକ ପଥରରେ ହସନଙ୍କ ମୁଣ୍ଡକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାପରେ ଅନସାରୀ ମଧ୍ୟ ତାଙ୍କୁ ଆକ୍ରମଣ କରିଥିଲେ। ପରେ ଏକ କପଡ଼ା ରଶିରେ ହସନଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ପୋଲିସ କହିଛି। ହତ୍ୟା ପରେ ମୃତଦେହକୁ ପରିତ୍ୟକ୍ତ କଣ୍ଟେନର ଭିତରେ ଛାଡ଼ି ଦୁଇଜଣ ଫେରି ଯାଇଥିଲେ। ଏହି ଘଟଣା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ୱେଠାରୁ ପ୍ରାୟ ୫୦୦ ମିଟର ଦୂରରେ ଘଟିଥିଲା।

ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ୧୩ ମିନିଟ୍‌ରେ କାଲିନ୍ଦୀ କୁଞ୍ଜରେ NTPC କାନ୍ଥ ନିକଟରେ ଥିବା ଏକ ପରିତ୍ୟକ୍ତ କଣ୍ଟେନର ଭିତରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ନେଇ ପୋଲିସ ଖବର ପାଇଥିଲା। ସୂଚନା ପାଇ ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ଏହି ସମୟରେ ମୃତକଙ୍କ ମୁଣ୍ଡରେ ଆଘାତ ଚିହ୍ନ ଦେଖିବାକୁ ମିଳିଥିଲା। ନିକଟରୁ ରକ୍ତ ଦାଗ ଥିବା ଏକ କଂକ୍ରିଟ୍ ପଥର ମଧ୍ୟ ପଡ଼ିଥିଲା। ଘଟଣାରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆଗକୁ ବଢ଼ାଇଥିଲା। ଜଏଣ୍ଟ କମିଶନର ଅଫ୍ ପୋଲିସ ବିଜୟ କୁମାରଙ୍କ ନିର୍ଦ୍ଦେଶରେ ଡିସିପି ବିନୀତ କୁମାରଙ୍କ ତତ୍ତ୍ୱାବଧାନରେ ଏକାଧିକ ଟିମ୍ ଗଠନ କରାଯାଇଥିଲା।

CCTVରୁ ମିଳିଲା ହତ୍ୟାର ସୁରାକ

କିଛି ଦିନ ଧରି CCTV ଫୁଟେଜ୍ର ବିଶ୍ଳେଷଣ ପରେ ମୃତକଙ୍କ ଜଣଙ୍କ ଗୁଲ୍ ହସନ୍ ବୋଲି ଜାଣିବାକୁ ପାଇଥିଲା। CCTVରେ ହସନ୍ ଦୁଇଜଣ ବ୍ୟକ୍ତିଙ୍କ ସହ ଘଟଣାସ୍ଥଳ ଦିଗକୁ ଯାଉଥିବା ଦେଖାଯାଇଥିଲା। ତଦନ୍ତ କରି ପୋଲିସ ଏହି ଦୁଇଜଣଙ୍କୁ ଦକ୍ଷିଣ-ପୂର୍ବ ଦିଲ୍ଲୀର ଗୋବିନ୍ଦପୁରୀସ୍ଥିତ ଏକ ସିଲେଇ କାରଖାନା ପର୍ଯ୍ୟନ୍ତ ଟ୍ରାକ୍ କରିଥିଲା। ଶୁକ୍ରବାର ଅପରାହ୍ନରେ ଏସିପି ଅନିଲ ଶର୍ମାଙ୍କ ନେତୃତ୍ୱରେ ଏସଏଚଏ ରମଣ କୁମାର ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ଟିମ୍ ଅନସାରୀ ଓ ୱାସିମଙ୍କୁ ଗିରଫ କରିଥିଲା।

ପ୍ରଥମେ ଯମୁନାରେ ଫିଙ୍ଗିବାକୁ ଯୋଜନା

ତଦନ୍ତରେ ଆହୁରି ଜଣାପଡ଼ିଛି ଯେ ହସନଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଯମୁନା ନଦୀରେ ଫିଙ୍ଗିଦେବାକୁ ଅଭିଯୁକ୍ତମାନେ ପ୍ରଥମେ ଯୋଜନା କରିଥିଲେ। କିନ୍ତୁ ନଦୀ ନିକଟରେ ଲୋକଙ୍କ ଭିଡ଼ ଦେଖିବା ପରେ ସେମାନେ ଯୋଜନା ବଦଳାଇଥିଲେ। ପୋଲିସ ଅନୁସାରେ, ହସନଙ୍କୁ ସନ୍ଦେହ ନ ହେବା ପାଇଁ ରାସ୍ତାରେ ଅନସାରୀ ତାଙ୍କ ପାଇଁ ସମୋସା ମଧ୍ୟ କିଣିଥିଲେ। ପୋଲିସ ଘଟଣାରେ ବ୍ୟବହୃତ କଂକ୍ରିଟ୍ ପଥର ଓ ରଶି ସହ ହତ୍ୟା ସମୟରେ ଅଭିଯୁକ୍ତମାନେ ପିନ୍ଧିଥିବା ରକ୍ତଦାଗ ଲାଗିଥିବା ପୋଷାକ ଜବତ କରିଛି। ମାମଲାରେ ଆହୁରି ତଦନ୍ତ ଜାରି ରହିଛି।