ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ନୂଆ କାର୍ଯ୍ୟକାଳ ସେବା ତୀର୍ଥରେ ପ୍ରଥମ ନିଷ୍ପତ୍ତି ନିଆଯାଇଛି । ଚାଷୀ, ମହିଳା, ଯୁବକଙ୍କ ଉପରେ କେନ୍ଦ୍ରିତ ଅନେକ ଯୋଜନାର ଫାଇଲ୍ ଉପରେ ପିଏମ୍ ମୋଦୀ ସ୍ୱାକ୍ଷର କରିଛନ୍ତି । ପିଏମ୍ ରାହାତ (PM RAHAT) ଯୋଜନା, ଲକ୍ଷପତି ଦିଦିଙ୍କ ସଂଖ୍ୟାକୁ ଦ୍ୱିଗୁଣ କରି ୬ କୋଟି କରିବା ପାଇଁ ଟାର୍ଗେଟ୍ ଦିଆଯାଇଛି । ଏହି ନିଷ୍ପତ୍ତି ଅଧିନରେ କୃଷି ଭିତ୍ତିଭୂମି ପାଣ୍ଠି (ଏଗ୍ରୀକଲ୍ଚର ଇନଫ୍ରାଷ୍ଟ୍ରକ୍ଚର ଫଣ୍ଡ)କୁ ଦ୍ୱିଗୁଣିତ କରି ୨ ଲକ୍ଷ କୋଟି ଟଙ୍କା କରାଯାଇଛି । ଅନ୍ୟପଟେ ୧୦,୦୦୦ କୋଟି ଟଙ୍କାର କର୍ପସ ସହିତ ଷ୍ଟାର୍ଟଅପ୍ ଇଣ୍ଡିଆ ଏଫଓଏଫ ୨.୦କୁ ଅନୁମୋଦନ କରିଛନ୍ତି ।

୧. ପ୍ରଧାନମନ୍ତ୍ରୀ ରାହାତ ଯୋଜନା: ପ୍ରତ୍ୟେକ ନାଗରିକଙ୍କ ପାଇଁ ଜୀବନ ରକ୍ଷାକାରୀ ସୁରକ୍ଷା

PM RAHAT ଯୋଜନା ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଅନୁମୋଦନ କରିଛନ୍ତି । ଏହି ପଦକ୍ଷେପ ଅଧୀନରେ, ଦୁର୍ଘଟଣା ପୀଡିତମାନେ ୧.୫ ଲକ୍ଷ ପର୍ଯ୍ୟନ୍ତ କ୍ୟାସଲେସ୍ ଚିକିତ୍ସା ପାଇବେ । ଏହାଦ୍ୱାରା ପୀଡ଼ିତକୁ ଯେପରି ତତ୍କାଳ ଚିକିତ୍ସା ମିଳିପାରିବ ଏବଂ ତୁରନ୍ତ ଚିକିତ୍ସା ସହାୟତା ଅଭାବରୁ କାହାର ଯେପରି ଜୀବନ ଯିବ ନାହିଁ ତାହା ସୁନିଶ୍ଚିତ କରାଯିବ ।

୨. ଲକ୍ଷପତି ଦିଦି ଟାର୍ଗେଟ୍ ଦ୍ୱିଗୁଣିତ କରି ୬ କୋଟି କରାଯାଇଛି

ସରକାର ମାର୍ଚ୍ଚ ୨୦୨୭ର ଟାର୍ଗେଟ୍ ସମୟର ଗୋଟିଏ ବର୍ଷ ପୂର୍ବରୁ ୩ କୋଟି ଲକ୍ଷପତି ଦିଦିଙ୍କ ସଂଖ୍ୟା ଅତିକ୍ରମ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏବେ ମାର୍ଚ୍ଚ ୨୦୨୯ ସୁଦ୍ଧା ୬ କୋଟି ଲକ୍ଷପତି ଦିଦିଙ୍କ ଲକ୍ଷ୍ୟ ହାସଲ କରିବା ପାଇଁ ଏକ ଟାର୍ଗେଟ୍ ରଖିଛନ୍ତି ।

୩. କୃଷକଙ୍କ ପାଇଁ ବଡ଼ ପ୍ରୋତ୍ସାହନ

କୃଷି ଭିତ୍ତିଭୂମି ପାଣ୍ଠିକୁ ଦୁଇ ଗୁଣ ବୃଦ୍ଧି କରି ୨ ଲକ୍ଷ କୋଟି ଟଙ୍କା କରାଯାଇଛି । ଭାରତର ସମଗ୍ରିକ କୃଷି ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବା ଲକ୍ଷ୍ୟରେ, ପ୍ରଧାନମନ୍ତ୍ରୀ ମୋଦୀ କୃଷି ଭିତ୍ତିଭୂମି ପାଣ୍ଠିର ବ୍ୟୟ ପରିମାଣକୁ ୧ ଲକ୍ଷ କୋଟିରୁ ୨ ଲକ୍ଷ କୋଟିକୁ ଦ୍ୱିଗୁଣିତ କରିବାକୁ ଅନୁମୋଦନ କରିଛନ୍ତି ।

୪. ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡ୍ସ ୨.୦

ଭାରତର ଇନୋଭେସନ (ନବସୃଜନ) ଇକୋସିଷ୍ଟମକୁ ମଜଭୁତ କରିବା ପାଇଁ, ବିଶେଷକରି ଡିପ୍ ଟେକ୍, ନୂଆ ଆଇଡିଆ, ଉନ୍ନତ ଉତ୍ପାଦନ ଏବଂ ଯୁଗାନ୍ତକାରୀ ପ୍ରଯୁକ୍ତିବିଦ୍ୟା ପାଇଁ ପ୍ରଧାନମନ୍ତ୍ରୀ ୧୦,୦୦୦ କୋଟି ଟଙ୍କାର କର୍ପସ ସହିତ ଷ୍ଟାର୍ଟଅପ୍ ଇଣ୍ଡିଆ ଏଫଓଏଫ ୨.୦କୁ ଅନୁମୋଦନ କରିଛନ୍ତି ।