ସାକ୍ଷୀଗୋପାଳ ୧୬।୦୯ : ଥାନା ଏତଲା, ତାହା ପୁଣି ମଣିଷ ନାଁ ନୁହେଁ । ଷଣ୍ଢ ନାଁରେ ଦିଆଯାଇଛି ଏତଲା । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନାରେ ମଙ୍ଗଳବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ସାରା ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି ।

ଷଣ୍ଢଙ୍କ ଉପଦ୍ରବରେ ଅତିଷ୍ଠ ହୋଇ ବଳପୁର ପଞ୍ଚାୟତର ଶତାଧିକ ଚାଷୀ ସତ୍ୟବାଦୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନା ବାହାରେ ଚାଷୀମାନଙ୍କ ଭିଡ଼ ଏବଂ ହାତରେ କାଗଜପତ୍ର ଧରିଥିବା ଦେଖି ପୁଲିସ ବାବୁମାନେ ବି ତାଟକା ହେଲେ । ବୁଝୁବୁଝୁ ଜଣାପଡ଼ିଲା ଯେ ସେମାନେ ଷଣ୍ଢଙ୍କ ଦାଉରୁ ଫସଲ ରକ୍ଷା କରିବା ଦାବିରେ ଥାନାକୁ ଆସିଛନ୍ତି । ଥାନାବାବୁ ଦେଖିଲେ ସେମାନଙ୍କ ଆଖିରେ ଲୁହ ଆଉ ମନରେ ଅସନ୍ତୋଷ । ସବୁ ଗୋଚର ଓ ଦଣ୍ଡା ଜମି ଜବରଦଖଲ ହୋଇଗଲାଣି । ଗୋରୁ ଚରିବେ କେଉଁଠି ? ସେଥିପାଇଁ ପେଟ ବିକଳରେ ସେମାନେ ଆସି ଆମ ବିଲରେ ପଶୁଛନ୍ତି ଓ ସବୁ ଫସଲ ଖାଇ ନଷ୍ଟ କରୁଛନ୍ତି ।

Also Read:-ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ନଦୀରେ ବୁଡ଼ି ଚାଲିଗଲା ୨ ନାବାଳକଙ୍କ ଜୀବନ

ସତ୍ୟବାଦୀ ଥାନା ଆଇଆଇସି କହିଛନ୍ତି ଯେ, ଚାଷୀମାନଙ୍କ ସମସ୍ୟା ଅତ୍ୟନ୍ତ ସମ୍ବେଦନଶୀଳ । ସେମାନଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଯଥାର୍ଥ । ଷଣ୍ଢ ବା ଗୋରୁଙ୍କ ଉପରେ ଆଇନଗତ ମାମଲା କରିବା ସମ୍ଭବ ନହେଲେ ମଧ୍ୟ ଆମେ ଚାଷୀ ଭାଇମାନଙ୍କ ସହ ଆଲୋଚନା କରିଛୁ । ସ୍ଥାନୀୟ ପ୍ରଶାସନ, ବ୍ଲକ କର୍ତ୍ତୃପକ୍ଷ ଓ ସରପଞ୍ଚଙ୍କ ସହ ମିଶି ଏହାର ଏକ ବିକଳ୍ପ ସମାଧାନ କରାଯିବ । ବୁଲାଗୋରୁଙ୍କ ପାଇଁ କୌଣସି ଅସ୍ଥାୟୀ ଗୋଶାଳା କିମ୍ବା ସେମାନଙ୍କୁ ଚରିବା ପାଇଁ ବ୍ୟବସ୍ଥା କରି ଚାଷୀଙ୍କ ଫସଲକୁ କେମିତି ସୁରକ୍ଷିତ ରଖାଯାଇପାରିବ, ସେ ଦିଗରେ ଆମେ ଖୁବ୍ଶୀଘ୍ର ପଦକ୍ଷେପ ନେବୁ ବୋଲି ଶ୍ରୀ ମହାଳିକ କହିଛନ୍ତି ।