କୋଲକାତା: ସୋସିଆଲ ମିଡିଆରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗାଁର ଶରଳତା ଓ ପ୍ରକୃତି ସମ୍ପର୍କିତ ଭିଡିଓ ପ୍ରସ୍ତୁତ କରି ଲୋକପ୍ରୀୟ ହୋଇଥିବା ୨୩ ବର୍ଷ ବୟଷ୍କା କଣ୍ଟେଣ୍ଟ କ୍ରିୟେଟର ସୟୋନୀ ଚକ୍ରବର୍ତ୍ତୀଙ୍କ ପରଲୋକ ହୋଇଛି। ତାଙ୍କର ଅଚାନକ ବିୟୋଗ ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ଶୋକ ଖେଳାଇ ଦେଇଛି। ସାୟୋନୀ ପଶ୍ଚିମବଙ୍ଗର ବାସିନ୍ଦା। ସେ ତାଙ୍କ କଣ୍ଟେଣ୍ଟ ବଳରେ ଲୋକଙ୍କ ମନରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିଥିଲେ।

ତାଙ୍କ ଭିଡିଓ ଗ୍ରାମୀଣ ଜୀବନର ଝଲକ, ପ୍ରାକୃତିକ ପରିବେଶ ଓ ଗୃହପାଳିତ ପଶୁଙ୍କ ପ୍ରତି ତାଙ୍କର ଗଭୀର ଆଶକ୍ତିକୁ ଦେଖାଇଥାଏ। ତାଙ୍କର ଏହି ଅନନ୍ୟ ଶୈଳୀ ପାଇଁ ସେ ଖୁବ୍ ଶୀଘ୍ର ସୋସିଆଲ ମିଡିଆରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିଲେ। ରିପୋର୍ଟ ଓ ଖବର ଅନୁସାରେ ସୟୋନୀଙ୍କ ଶବ ତାଙ୍କ ଘରୁ ଝୁଲନ୍ତ ଅବସ୍ଥାରେ ଉଦ୍ଧାର ହୋଇଛି। ଏ ସମ୍ପର୍କରେ ପୋଲିସକୁ ସୂଚନା ମିଳିବାମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହୋଇଛି। ପୋଲିସ ତାଙ୍କ ଘରେ ପହଞ୍ଚି ଶବ ଜବତ କରିବା ସହିତ ପୋଷ୍ଟମର୍ଟମ ପାଇଁ ପଠାଇଛି।

ସେ ଆତ୍ମହତ୍ୟା କରିଥିବା ଭଳି ଲାଗୁଛି। ହେଲେ ପୋଲିସ୍ ଏ ପର୍ଯ୍ୟନ୍ତ ପୁଷ୍ଟି କରି ନାହିଁ। ସବୁ କଥାକୁ ଧ୍ୟାନରେ ରଖି ପୋଲିସ ଏବେ ଯାଞ୍ଚ ଜାରି ରଖିଛି। ରିପୋର୍ଟ ଅନୁସାରେ ପୋଲିସକୁ ଘଟଣାସ୍ଥଳରୁ ସୁଇସାଇଡ ନୋଟ୍ ମିଳି ନାହିଁ। ତେବେ ଶବକୁ ଇମାମପାଡା ହସ୍ପିଟାଲକୁ ପୋଷ୍ଟମର୍ଟମ ନିମନ୍ତେ ପଠାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଓ ତଦନ୍ତରୁ ମିଳିବାକୁ ଥିବା ତଥ୍ୟକୁ ଆଧାର କରି ଆଗାମୀ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପୋଲିସ କହିଛି।