ନୂଆଦିଲ୍ଲୀ: ଦୀର୍ଘ ପାଞ୍ଚ ଦଶନ୍ଧିରୁ ଅଧିକ ସମୟର ଅପେକ୍ଷା ପରେ ଗୋଟିଏ ପରିବାରର ସ୍ୱପ୍ନ ପୂରଣ ହୋଇଛି। ପ୍ରାୟ ୫୨ ବର୍ଷ ପରେ ପରିବାରରେ ଜଣେ କନ୍ୟା ସନ୍ତାନ ଜନ୍ମଗ୍ରହଣ କରିବା ପରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ଏହି ଭାବପ୍ରବଣ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି, ଯାହା ଲୋକଙ୍କୁ ପ୍ରଭାବିତ କରିଛି। ଡାକ୍ତର ବେଲା ଶାହ ଜୈନ୍ ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍ (Instagram) ରେ ପୋଷ୍ଟ କରି ଲେଖିଛନ୍ତି, ‘କେବେ କେବେ ଚମତ୍କାର ହେବା ପାଇଁ ପିଢ଼ି ପରେ ପିଢ଼ି ବିତିଯାଏ। ୫୨ ବର୍ଷ ଧରି କେବଳ ପୁତ୍ର ସନ୍ତାନ ସ୍ୱାଗତ କରିବା ପରେ, ଏହି ପରିବାରକୁ ଶେଷରେ ଜଣେ କନ୍ୟାରତ୍ନର ଆଶୀର୍ବାଦ ମିଳିଛି। ଏହି ଦିନଟି ଚିରଦିନ ପାଇଁ ମନେ ରହିବ।’

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଡାକ୍ତର ଜଣଙ୍କ ନବଜାତ ଶିଶୁକନ୍ୟାକୁ ଅପରେସନ୍ ଥିଏଟର (OT) ରୁ ବାହାରକୁ ଆଣିବା ମାତ୍ରେ ପରିବାର ଲୋକେ ଅତି ଖୁସି ହୋଇଯାଉଛନ୍ତି । ଶିଶୁର ମା' ମୁସ୍କାନ୍ ଅଗ୍ରୱାଲ୍ ଡାକ୍ତର ବେଲା ଶାହ ଜୈନଙ୍କୁ କୃତଜ୍ଞତା ଜଣାଇ ଲେଖିଛନ୍ତି, ‘ଆମର ଏହି ଯାତ୍ରାରେ ଆପଣ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଆମେ ନିଜକୁ ଭାଗ୍ୟବାନ୍ ମନେକରୁଛୁ। ଆପଣ ଏହି ସମୟକୁ ଆମ ପାଇଁ ଅତି ସହଜ କରିଦେଲେ। ଆପଣ ଆମ ପରିବାର ପାଇଁ ଅତ୍ୟନ୍ତ ଖାସ୍।’

ନେଟିଜେନ୍ସଙ୍କ ପ୍ରତିକ୍ରିୟା
ଶିଶୁ କନ୍ୟାର ଆଗମନକୁ ଇଣ୍ଟରନେଟ୍‌ରେ ଲୋକମାନେ ଉତ୍ସାହର ସହ ସ୍ୱାଗତ କରିଛନ୍ତି । ଜଣେ ଲେଖିଛନ୍ତି, ‘ମୋ ଜେଜେ ମା’ ସବୁବେଳେ କହୁଥିଲେ ଯେତେବେଳେ ଘରେ ଝିଅଟିଏ ଜନ୍ମହୁଏ, ଭଗବାନ ଓ ପ୍ରକୃତି ସେହି ପରିବାରର ସମସ୍ତ ପାପ କ୍ଷମା କରିଦିଅନ୍ତି। ଝିଅଟିଏ ପାଇବା ସମସ୍ତଙ୍କ ଭାଗ୍ୟରେ ନଥାଏ।’ ଅନ୍ୟ ଜଣେ ସେୟାର କରିଛନ୍ତି, ‘ଆମ ପରିବାରରେ ମଧ୍ୟ ୮୦ ବର୍ଷ ପରେ ଜଣେ ଶିଶୁକନ୍ୟାର ଜନ୍ମ ହୋଇଥିଲା।’ ଅନ୍ୟ ଜଣେ ଲେଖିଛନ୍ତି, ‘ପୁଅ ଭଳି ଝିଅର ଆଗମନକୁ ମଧ୍ୟ ସମାନ ଆନନ୍ଦର ସହ ସ୍ୱାଗତ କରାଯାଉଥିବା ଦେଖିଲେ ହୃଦୟ ଖୁସିରେ ଭରିଯାଏ। ଏବେ ସମୟ ବଦଳିଛି ଏବଂ ଏହା ଦେଖି ବହୁତ ଭଲ ଲାଗୁଛି।’ ଆଉ ଜଣେ କମେଣ୍ଟ କରିଛନ୍ତି, ‘ପ୍ରତ୍ୟେକ ଶିଶୁକନ୍ୟାକୁ ଏହିପରି ଆଦର ଓ ଉତ୍ସାହର ସହ ସ୍ୱାଗତ କରାଯିବା ଉଚିତ୍।’