ବ୍ରହ୍ମପୁର, ୧୬|୦୭: ସାଧାରଣ ଲୋକଙ୍କୁ ନୁହେଁ, ଏସ୍ପି, ଉପଜିଲ୍ଲାପାଳଙ୍କୁ ଦୁଇଜଣ ଦେଖାଇଲେ ଜାଲ୍ ପରିଚୟପତ୍ର । ନିଜକୁ ଇନଟେଲିଜେନ୍ସ ବ୍ୟୁରୋ(ଆଇବି) ଏବଂ ରିସର୍ଚ୍ଚ ଏଣ୍ଡ୍ ଆନାଲିସିସ୍ ୱିଙ୍ଗ୍(ର) ଏଜେଣ୍ଟ ବୋଲି ପରିଚୟ ଦେଲେ। ବ୍ରହ୍ମପୁର ଏସ୍ପି ଉଭୟଙ୍କ ଉପରେ ସନ୍ଦେହ ପ୍ରକଟ କରି ଥାନାକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପରେ ଦୁଇଜଣ ଧରାପଡିଛନ୍ତି ।

Also Read :- ଛାଡ଼ିବନି ବର୍ଷା, ଆସୁଛି ପୁଣି ଏକ ଲଘୁଚାପ : ଏହି ସବୁ ଜିଲ୍ଲାବାସୀ ରୁହନ୍ତୁ ସତର୍କ

ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଦୁଇଜଣଙ୍କୁ ଗିରଫ କରିଛି। ଆନ୍ଧ୍ରପ୍ରଦେଶ ପଲାସା ଥାନା ବ୍ରାହ୍ମଣତରଙ୍ଗ ଗ୍ରାମର ଦୁର୍ଗା ପ୍ରସାଦ ବ୍ରହ୍ମା ଓ ଆଙ୍କୁଲିର ପ୍ରଦୀପ କୁମାର ମଣ୍ଡଳଙ୍କୁ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୁଲିସ ଗିରଫ କରିଥିବା ବ୍ରହ୍ମପୁର ଏସପି ଡା. ସରବଣା ବିବେକ ଏମ୍ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି। ଉଭୟ ଅବସରପ୍ରାପ୍ତ ସେନା କର୍ମଚାରୀ। ସେମାନଙ୍କୁ ପଚରାଉଚରା କରାଯାଉଛି। ସମ୍ପଭି ବିବାଦର ସମାଧାନ ପାଇଁ ଉଭୟ ଏଭଳି କରିଥିବା ଜଣାଯାଇଛି।

ଆଙ୍କୁଲିର ପ୍ରଦୀପ ମଣ୍ଡଳ ସେନାରେ କାମ କରିବା ସମୟରେ ବାହାରେ ରହୁଥିଲେ। ସେହି ସମୟରେ ତାଙ୍କ ଭାଇମାନେ ତାଙ୍କୁ ପୈତୃକ ସମ୍ପତ୍ତି ମାଲିକାନାରୁ ବାଦ ଦେଇଥିଲେ। ଉତ୍ତରାଧିକାରୀ ପ୍ରମାଣପତ୍ରରେ ତାଙ୍କ ନାମ ମଧ୍ୟ ନଥିଲା । ସେ ବ୍ରହ୍ମପୁର ଫେରିବା ପରେ ଏ ସମ୍ପର୍କରେ ଜାଣିଥିଲେ। ପୈତୃକ ସମ୍ପତ୍ତି ଫେରି ପାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ ପ୍ରଦୀପ। ସେ ତାଙ୍କ ବନ୍ଧୁ ଦୁର୍ଗାଙ୍କୁ ଡାକି ସହାୟତା ମାଗିଥିଲେ । ଏଥି ପାଇଁ ସେମାନେ ଯୋଜନାବନ୍ଧ ଭାବେ ପରିଚୟପତ୍ର ପ୍ରସ୍ତୁତ କରିଥିଲେ ।

ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟି ଦୁର୍ଗା ନିଜକୁ ‘ର’ ଏଜେଣ୍ଟ ଏବଂ ପ୍ରଦୀପ ନିଜକୁ ଆଇବି ଏଜେଣ୍ଟ ବୋଲି ପରିଚୟ ଦେଇଥିଲେ । ପରେ ସେମାନେ ଭିଜିଲାନ୍ସ ଅଫିସକୁ ଯାଇ ମଧ୍ୟ ନିଜକୁ ସେହିଭଳି ପରିଚିତ କରାଇଥିଲେ। ପରବର୍ତ୍ତୀ ସମୟରେ ଉଭୟ ବ୍ରହ୍ମପୁର ଏସପି ଡା. ସରବଣା ବିବେକ ଏମ୍ ଙ୍କୁ ସାକ୍ଷାତ କରି ଆଇବି ଓ ର ଏଜେଣ୍ଟ ବୋଲି ପରିଚୟ ଦେବା ପରେ ସେ ସନ୍ଦେହ ବଢିଥିଲା। ସେମାନେ କଥା ହୋଇ ଫେରିବା ପରେ ଉଭୟଙ୍କ ସମସ୍ତ କାଗଜପତ୍ର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ଉଭୟଙ୍କୁ ଥାନାକୁ ଡାକି ପଚରାଉଚରା କରିବା ପରେ ସେମାନେ ସମ୍ପତ୍ତି ବିବାଦର ସମାଧାନ କରିବାକୁ ଏଭଳି ପରିଚୟ ଦେଉଥିଲେ ବୋଲି ଜଣାପଡ଼ି ଥିଲା। ଏଏସଆଇ ଅନନ୍ତ ପ୍ରଧାନ ଉଭୟଙ୍କ ନାମରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଏହାର ତଦନ୍ତ କରିବା ସହ ପ୍ରଦୀପ ଓ ଦୁର୍ଗାଙ୍କୁ ଗିରଫ କରିଛି ।