ଭୁବନେଶ୍ବର,|୦୬:୧ ନମ୍ବର ହାଟରେ ଚା’ ଦୋକାନ ଖୋଲିଥିଲେ। ରାତାରାତି ବଡ଼ଲୋକ ହେବାକୁ ମନ ବଳାଇଲେ। ରେଳବାଇରେ ଚାକିରି କରାଇ ଦେବାକୁ କହି ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଲେ। ଏଭଳି ଜଣେ ଠକ ଓ ତାଙ୍କ ଝିଅଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ। ଗିରଫ ବାପା-ଝିଅ ହେଲେ ବୟାବାବା ମଠ ବସ୍ତିରେ ରହୁଥିବା ଭଦ୍ରକ ରୁରାଲ ଆନନ୍ଦବଜାରର ବିଦ୍ୟାଧର ଦାଶ(୫୨) ଏବଂ ତାଙ୍କ ଝିଅ ସୁମତି ଦାଶ(୩୧)। ପୁଲିସ ସେମାନଙ୍କ ଠାରୁ ଠକାମୀ ସମ୍ବନ୍ଧୀୟ କିଛି କାଗଜପତ୍ର ଜବତ କରିଛି।

ପୁଲିସ ସୂଚନା ଅନୁଯାୟୀ, ବିଦ୍ୟାଧର ୟୁନିଟ୍-୧ ହାଟରେ ‘ମୋ ସ୍ପର୍ଶ ଟି’ ଦୋକାନ କରିଛନ୍ତି। ସୂଚନା ଭବନ କ୍ୟାଣ୍ଟିନ ମ୍ୟାନେଜର ନୃସିଂହ ଚରଣ ସାହୁ ବିଦ୍ୟାଧରଙ୍କ ଚା’ ଦୋକାନରୁ ନିୟମିତ ଚା’ପତ୍ର ଆଣିବାକୁ ଯାଆନ୍ତି। ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ଏହାର ସୁଯୋଗ ନେଇ ବିଦ୍ୟାଧର ନୃସିଂହଙ୍କୁ କହିଥିଲେ, ମୋ ଝିଅ ସୁମତି ରେଳବାଇରେ ଚାକିରି ପାଇଛି।

ତେଣୁ ସେ ଯାହାକୁ ଚାହିଁବେ ରେଳବାଇ ଚାକିରି କରାଇଦେବେ। ଏଭଳି କଥା ଶୁଣି ନୃସିଂହ ତାଙ୍କର ଜଣେ ସଂପର୍କୀୟର ରେଳବାଇରେ ଚାକିରି କରାଇ ଦେବାକୁ କହିଥିଲେ। ବିଦ୍ୟାଧର ତାଙ୍କ ନିକଟରେ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ। ନୃସିଂହ ବିଭିନ୍ନ ପର୍ଯ୍ୟାୟରେ ବିଦ୍ୟାଧର ଏବଂ ତାଙ୍କ ଝିଅଙ୍କ ଆକାଉଣ୍ଟ୍କୁ ୧୭ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ।

ଟଙ୍କା ପାଇବା ପରେ ସେ ରେଳବାଇ ଚାକିରି କରାଇ ଦେଇପାରି ନଥିଲେ । ବାରମ୍ବାର ପଚାରିବା ପରେ ଶେଷରେ ନୃସିଂହ ଟଙ୍କା ଫେରସ୍ତ ମାଗିଥିଲେ। ହେଲେ ବାପା-ଝିଅ ଟଙ୍କା ଫେରସ୍ତ କରି ନଥିଲେ। ଶେଷରେ ନୃସିଂହଙ୍କୁ ବିଭିନ୍ନ ପ୍ରକାର ଧମକଚମକ ଦେଇଥିଲେ। ଠକାମୀର ଶିକାର ହୋଇଥିବା ଜାଣି ନୃସିଂହ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ଠକେଇ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ବାପା-ଝିଅ ଏପରି ଅନେକ ଲୋକଙ୍କୁ ରେଳବାଇରେ ଚାକିରି କରାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଇ ଆତ୍ମସାତ କରିଛନ୍ତି।

ପୁଲିସ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ସମ୍ବନ୍ଧୀୟ କାଗଜପତ୍ର ଜବତ କରିବା ପରେ ବିଦ୍ୟାଧର ଓ ତାଙ୍କ ଝିଅ ସୁମତିଙ୍କୁ ଗିରଫ କରିଥିଲା। ଅପରାହ୍ନରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏବେ ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗର ଫର୍ଦ୍ଦ ବଢ଼ିବାରେ ଲାଗିଛି। ସେମାନେ ଏପରି କେତେ ଲୋକଙ୍କୁ ଠକିଛନ୍ତି, ସେନେଇ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ କହିଛି।