ପୁରୀ ୧୩।୩: ଚଳିତବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଭାବରେ ଆୟୋଜନ କରିବା ପାଇଁ ଉଭୟ ସରକାର ଏବଂ ପୁରୀ ଜିଲ୍ଲା ପ୍ରଶାସନ ଅଧିକ ଗୁରୁତ୍ଵ ଦେଉଛନ୍ତି । ୨୦୧୫ ରଥଯାତ୍ରାରେ ଅନେକ ବିଶୃଙ୍ଖଳା ଘଟିଥିବାରୁ ଚଳିତ ବର୍ଷ ଯେଭଳି ଏହାର ପୁନରାବୃତ୍ତି ନହୁଏ ତାକୁ ଦୃଷ୍ଟିରେ ରଖି ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଉଛି । ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ପୁରୀ ଜିଲ୍ଲା ପ୍ରଶାସନର ରଥଯାତ୍ରା ପ୍ରସ୍ତୁତିକୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଯାତାୟାତ, ଟ୍ରାଫିକ, ପାର୍କିଂ, ପର୍ଯ୍ୟାପ୍ତ ପାନୀୟ ଜଳ ଏବଂ ଶୌଚାଳୟ ବ୍ୟବସ୍ଥା, ସ୍ବଚ୍ଛତା ଉପରେ ଅଧିକ ଗୁରୁତ୍ଵ ଦେଇ କାର୍ଯ୍ୟ କରିବାକୁ ପୁରୀ ଜିଲ୍ଲା ପ୍ରଶାସନକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରାରେ ଶୃଙ୍ଖଳା ରକ୍ଷାପାଇଁ ଅନେକ ନୂଆ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ଗ୍ରହଣ କରାଯାଇଛି ।

ଏ ଖବର ବି ପଢ଼ନ୍ତୁ:- ବିଜେଡିକୁ ଘାରୁଛି କି କ୍ରସ୍ ଭୋଟିଂ ଭୟ ? ମାଧବ ଧଡାଙ୍କ ସହ କଥା ହେଲେ ନବୀନ

୨୦୨୬ ରଥଯାତ୍ରାକୁ ସମ୍ପୂର୍ଣ୍ଣ ଶୃଙ୍ଖଳିତ ଭାବରେ ଆୟୋଜନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୨୦୨୫ ରଥଯାତ୍ରାରେ ଅନେକ ବିଶୃଙ୍ଖଳା ହୋଇଥିବାବେଳେ ୨୦୨୬ ରଥଯାତ୍ରାରେ ଏହାର ଯେଭଳି କୌଣସି ବିଶୃଙ୍ଖଳା ସୃଷ୍ଟି ନହୁଏ ସେନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ ପୁରୀ ଗସ୍ତରେ ଆସି ଜିଲ୍ଲା ପ୍ରଶାସନର ଚଳିତ ବର୍ଷର ରଥଯାତ୍ରା ପ୍ରସ୍ତୁତିକୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ରାସ୍ତାଘାଟ ମରାମତି, ଲୋକଙ୍କ ଶୃଙ୍ଖଳିତ ଯାତାୟାତ ବ୍ୟବସ୍ଥା, ଶୃଙ୍ଖଳିତ ଟ୍ରାଫିକ, ପାର୍କିଂ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ଵ ଦେଇ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସମଗ୍ର ପୁରୀ ସହରରେ ସ୍ବଚ୍ଛତାକୁ ବଜାୟ ରଖାଯିବା, ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ, ପର୍ଯ୍ୟାପ୍ତ ପରିମାଣରେ ଅସ୍ଥାୟୀ ଶୌଚାଳୟ ନିର୍ମାଣ ସହିତ ବର୍ଷା ହେଲେ ଯେଉଁଭଳି ଜଳବନ୍ଦୀ ସ୍ଥିତି ନଉପୁଜେ ସେ ଦିଗରେ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ସେ ପୁରୀ ପୌରନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଚଳିତ ବର୍ଷ ରଥଯାତ୍ରାରେ ବଡ଼ଦାଣ୍ଡରେ ସବୁ ସ୍ଥାନରେ ଭକ୍ତଙ୍କୁ ରନ୍ଧାଖାଦ୍ୟ ବିତରଣ କରାଯିବ ନାହିଁ । ପ୍ରଶାସନ ଦ୍ବାରା ଚିହ୍ନଟ ହୋଇଥିବା ସ୍ଥାନରେ ସ୍ବେଚ୍ଛାସେବୀ ସଂସ୍ଥା ମାନେ ଭକ୍ତଙ୍କୁ ମାଗଣା ରନ୍ଧାଖାଦ୍ୟ ବଣ୍ଟନ କରିପାରିବେ । ବଡ଼ଦାଣ୍ଡରେ ପରିଷ୍କାର ପରିଚ୍ଛନ୍ନତାକୁ ବଜାୟ ରଖିବା ଏବଂ ଖାଦ୍ୟ ଅପଚୟକୁ ରୋକିବା ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ଚଳିତ ବର୍ଷ ରଥଯାତ୍ରାରେ ହଜାରରୁ ଅଧିକ ଶୌଚାଳୟ ନିର୍ମାଣ କରାଯିବ । ସ୍ବେଚ୍ଛାସେବୀ ସଂସ୍ଥା ଗୁଡ଼ିକୁ ସଠିକ୍ ଭାବେ ପରିଚାଳନା ପାଇଁ ଏକ ଏସ୍‌ଓପି ମଧ୍ୟ କରାଯିବ । ସେପଟେ ବୁଦ୍ଧିଜୀବୀ କହିଛନ୍ତି ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ତାଳମେଳ ରଖି ସବୁ କାର୍ଯ୍ୟ କରାଗଲେ କୌଣସି ବିଶୃଙ୍ଖଳା ସୃଷ୍ଟି ହେବନାହିଁ ।

ଏ ଖବର ବି ପଢ଼ନ୍ତୁ:- କୁଆଡ଼େ ଯାଇଛନ୍ତି କଂଗ୍ରେସ ବିଧାୟକ? ଦଳୀୟ ନେତାଙ୍କ କଥାରେ ନାହିଁ କି ତାଳମେଳ

୨୦୨୫ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟା ଘଟଣା ଘଟି ୩ ଭକ୍ତଙ୍କର ମୃତ୍ୟୁ ଘଟିଥିଲା । ଟ୍ରାଫିକ୍ ପରିଚାଳନାରେ ବିଫଳତା, ସିସିଟିଭି କ୍ୟାମେରା ସଠିକ ଭାବେ କାର୍ଯ୍ୟ ନକରିବା, କେତେକ ପୋଲିସ ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ଦଳାଚକଟା ଘଟଣା ଘଟିଥିଲା ବୋଲି ସରକାରଙ୍କୁ ରିପୋର୍ଟ କରିଥିଲେ କମିଶନ । ଏଣୁ କମିଶନଙ୍କ ରିପୋର୍ଟକୁ ଆଧାର କରି ପୂର୍ବବର୍ଷ ଯାହା ତ୍ରୁଟି ବିଚ୍ୟୁତି ହୋଇଛି ତାହା ଯେଭଳି ଚଳିତ ବର୍ଷ ରଥଯାତ୍ରାରେ ପୁନରାବୃତ୍ତି ନଘଟେ ସେନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିବାକୁ ପୁରୀ ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ପୁରୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ରଥଯାତ୍ରାରେ ପୁରୀ ପୌରପାଳିକାର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବାବେଳେ ସମସ୍ତ କାର୍ଯ୍ୟ କିଭଳି ସୁରୁଖୁରୁରେ ସମ୍ପାଦନ ହେବ ସେନେଇ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଉଛି । ସେହିପରି ୨୦୨୫ରେ ଘଟିଥିବା ଦଳାଚକଟା ଘଟଣାର କାରଣକୁ ସମୀକ୍ଷା କରାଯାଇ ଚଳିତ ବର୍ଷ ନୂଆ ବ୍ୟବସ୍ଥାରେ ଭିଡ଼ ନିୟନ୍ତ୍ରଣ ଏବଂ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ​​​​​​​ଘେରାବନ୍ଦୀରେ ସରଣ୍ଡା ଜଙ୍ଗଲ : କେଉଁଠି ଲୁଚିଛି ମିଶିର, ପାଉନାହାନ୍ତି ସୁରକ୍ଷା ବାହିନୀ

ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଏହି ରଥଯାତ୍ରାରେ ୧୦ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ଆୟୋଜନ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି।