ନୂଆଦିଲ୍ଲୀ: ୟୁରୋପରେ ଆଖପାଖରେ ଗ୍ରୀଷ୍ମରୁ ଆଶ୍ୱସ୍ତି ମିଳିବାର ସମ୍ଭାବନା କମ୍। ଗ୍ରୀଷ୍ମ ପ୍ରକୋପ ଯୋଗୁ ମୃତ୍ୟ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କେବଳ ଫ୍ରାନ୍ସରେ ଜୁନ ଶେଷ ସପ୍ତାହରେ ହୋଇଥିବା ହିଟୱେଭ ମୃତ୍ୟୁ ସଂଖ୍ୟା ୨୦୨୫ ପରିସ୍ଥିତିକୁ ବଳେଇ ଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଷ୍ଟେଫନୀ ରିଷ୍ଟ ମଧ୍ୟ ମୃତ୍ୟୁ ସଂଖ୍ୟାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଆଗାମୀ ଦିନରେ ମଧ୍ୟ ଗରମରୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ। ଏଣୁ ଗରମ ବଢିବା ଯୋଗୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିପାରେ। ହିଟୱେଭ ମୃତ୍ୟୁ ସଂଖ୍ୟା ଏତେ ବଢିଯାଇଛି ଯେ ଏବେ ଅନ୍ତିମ ସଂସ୍କାର କରିବାକୁ ମଧ୍ୟ ସମସ୍ୟା ହେଉଛି। ଏଣୁ ଫ୍ରାନ୍ସ ସ୍ୱାସ୍ଥ୍ୟ ବିଭାଗ ସତର୍କତା ଜାରି କରିଛନ୍ତି। ଏହା ପୂର୍ବରୁ ଅଗଷ୍ଟ ୨୦୦୩ ମସିହାରେ ଏପରି ପରିସ୍ଥିତି ଉପୁଜିଥିଲା।

ଗତମାସରେ ଫ୍ରାନ୍ସରେ ତାପମାତ୍ରା ରେକର୍ଡ ଭାଙ୍ଗିଥିବା ବେଳେ ସବୁଠୁ ଗରମ ସପ୍ତାହରେ ମୃତ୍ୟୁ ସଂଖ୍ୟା ମଧ୍ୟ ଏକ ତୃତୀୟାଂଶ ବୃଦ୍ଧି ହୋଇଥିଲା। ପବ୍ଲିକ୍ ହେଲଥ୍ ଫ୍ରାନ୍ସ ଶୁକ୍ରବାର ଏହି ସୂଚନା ଦେଇଛି। ପ୍ରାଧିକରଣଙ୍କ ନୂଆ ତଥ୍ୟ ଅନୁସାରେ ମୃତକଙ୍କ ସଂଖ୍ୟା ଏହା ପୂର୍ବ ରବିବାର ତୁଳନାରେ ଦୁଇଗୁଣ ହୋଇଯାଇଛି। ସେ ସମୟରେ ପ୍ରାଧିକରଣ ପାଖାପାଖି ୧ ହଜାର ମୃତ୍ୟୁ ଅନୁମାନ କରିଥିଲା। ପ୍ରାଧିକରଣଙ୍କ ଏହି ଅନୁମାନ ସେ ସମୟରେ ସବୁଠୁ ଉତପ୍ତ ୩ ଦିନକୁ ଆକଳନ କରି କୁହାଯାଇଥିଲା। ପ୍ରାଧିକରଣ କହିଛନ୍ତି ଯେ ପ୍ରାରମ୍ଭିକ ସଂଖ୍ୟା ୧୫ରୁ ୨୧ ଜୁନ ସପ୍ତାହରେ ରେକର୍ଡ ୬,୯୪୮ ମୃତ୍ୟୁ ତୁଳନାରେ ୨୯% ବୃଦ୍ଧିକୁ ଦର୍ଶାଉଛି। ତେବେ ସ୍ୱାସ୍ଥ୍ୟ ଏଜେନ୍ସୀ କହିଛନ୍ତି ଯେ ତାଙ୍କ ଦ୍ୱାରା ସଂଗୃହୀତ ତଥ୍ୟ କମ୍ ହୋଇ ପାରେ। କାରଣ ଏହା ଆକଳନ ଆଧାରିତ ଥିଲା। ବାସ୍ତବିକ ସଂଖ୍ୟା ଅଧିକ ହୋଇପାରେ।

ପ୍ୟାରିସ୍ ରେ ଅନ୍ତିମ ସଂସ୍କାର ବ୍ୟବସାୟ ସହ ଜଡିତ ଲୋକଙ୍କ ଅନୁସାରେ ଅନ୍ତିମ ସଂସ୍କାର ପୂର୍ବରୁ ଶବ ରଖିବା ଲାଗି ସ୍ଥାନ ଖୋଜିବାରେ ସମସ୍ୟା ହେଉଛି। କିଛି ଶବ ଗୃହ ସମ୍ପୂର୍ଣ୍ଣ ଭରି ଯାଇଛି ଓ ଏଠାରେ ଅଧିକ ଶବ ଗ୍ରହଣ କରିବାକୁ ମନା କରିଦିଆଯାଉଛି। ପ୍ରାଧିକରଣ ଦ୍ୱାରା ଜାରି ମୃତ୍ୟୁର ତାଜା ତଥ୍ୟ ୨୨ରୁ ୨୮ ଜୁନ ସପ୍ତାହର। ଏହି ଅବଧିରେ ଫ୍ରାନ୍ସ ଇତିହାସର ସବୁଠୁ ଅଧିକ ଗରମ ପଡିଥିଲା ଓ ଦେଶର ଅନେକ ସହର ଓ ଜନବସତି କ୍ଷେତ୍ରରେ ରାତି ଓ ଦିନର ତାପମାତ୍ରା ରେକର୍ଡ ଭାଙ୍ଗିଥିଲା। ଏହି ଗରମ ୟୁରୋପର ଅନ୍ୟ ଦେଶରେ ମଧ୍ୟ ଅଧିକତମ ତାପମାତ୍ରା ରେକର୍ଡ ଭାଙ୍ଗିଛି। ପ୍ରାଧିକରଣ କହିଛନ୍ତି ଯେ ସେ ଏହି ସପ୍ତାହ କାଳରେ ୮,୯୭୩ ମୃତ୍ୟୁ ରେକର୍ଡ କରିଛନ୍ତି।

ୟୁରୋପର ସେହି ଅଞ୍ଚଳ ଯେଉଁଠି ମହାଦ୍ୱୀପର ଦୁଇ ତୃତିୟାଂଶ ଜନସଂଖ୍ୟା ବାସ କରନ୍ତି ସେଠାରେ ୧୫ରୁ ୩୦ ଜୁନ ମଧ୍ୟରେ ୩୫ ଡିଗ୍ରି ସେଲସିୟସରୁ ବି ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଏଥିରୁ ଋତୁ ର ପ୍ରକୋପକୁ ସହଜରେ ଅନୁମାନ କରାଯାଇ ପାରେ। କୁହାଯାଉଛି ଲଗାତାର ଜାରି ହିଟୱେଭ କାରଣରୁ ଏପରି ହେଉଛି। ବେଲଜିୟମ ଓ ନେଦର ଲ୍ୟାଣ୍ଡ ପରିସ୍ଥିତି ମଧ୍ୟ ଠିକ୍ ଏହି ପରି। ଏଠାରେ ମଧ୍ୟ ଗରମରୁ ଆଶ୍ୱସ୍ତିର କୌଣସି ସମ୍ଭାବନା ଦେଖା ଯାଉନି। ୟୁରୋପରେ ୨୦ରୁ ୨୮ ଜୁନ ମଧ୍ୟରେ ସବୁଠୁ ଅଧିକ ଗରମ ପଡିଥିଲା। ଏପରି ଗ୍ରୀଷ୍ମ ପ୍ରବାହ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପକାଇବା ସହିତ ସ୍ୱାସ୍ଥ୍ୟ ସୁବିଧା ଓ ବିଦ୍ୟୁତ ଉତ୍ପାଦନକୁ ମଧ୍ୟ ପ୍ରଭାବିତ କରିଛି।