ନୂଆଦିଲ୍ଲୀ: ୟୁରୋପରେ ଏବେ ଭୀଷଣ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ଫ୍ରାନ୍ସ, ବ୍ରିଟେନ, ଇଟାଲୀ, ସ୍ପେନ୍, ବେଲଜିୟମ, ନେଦରଲ୍ୟାଣ୍ଡ ଓ ସ୍ୱିଜରଲ୍ୟାଣ୍ଡ ସମେତ ଅନେକ ଦେଶରେ ଲଗାତାର ତାପମାତ୍ରାର ନୂଆ ରେକର୍ଡ ସୃଷ୍ଟି ହେଉଛି। ତାପମାତ୍ରା ବୃଦ୍ଧି ଯୋଗୁ ପରିସ୍ଥିତି ଏପରି ହୋଇଛି ଯେ ଅନେକ ସ୍ଥାନରେ ସ୍କୁଲ ବନ୍ଦ କରାଯାଇଛି। ତାପମାତ୍ରା ବୃଦ୍ଧି ଯୋଗୁ ଟ୍ରେନ ଓ ଅନ୍ୟ ପରିବହନ ସେବାଗୁଡିକ ଉପରେ ପ୍ରଭାବ ପଡୁଛି। ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ଘରେ ରହିବାକୁ ଓ ପର୍ଯ୍ୟାପ୍ତ ପାଣି ପିଇବାକୁ କହୁଛନ୍ତି।

ଗ୍ରୀଷ୍ମ ପ୍ରବାହ ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଫ୍ରାନ୍ସ। ସୂଚନା ଅନୁସାରେ ଦକ୍ଷିଣ-ପଶ୍ଚିମ ସହର ପିସ୍ସୋସରେ ତାପମାତ୍ରା ୪୪ ଡିଗ୍ରି ସେଲସିୟସ୍ ପାର ହୋଇଛି। ଗତ ବର୍ଷମାନଙ୍କରେ ରେକର୍ଡ ହୋଇଥିବା ତାପମାତ୍ରା ଠାରୁ ଏହା ସର୍ବାଧିକ। ବଢୁଥିବା ତାପମାତ୍ରାକୁ ନଜରରେ ରଖି ପ୍ରଶାସନ ଅନେକ ଅଞ୍ଚଳରେ ଆଲର୍ଟ ଜାରି କରିଛି। ଉତ୍ତାପ ବୃଦ୍ଧି ଯୋଗୁ ବିଜୁଳି ବ୍ୟବସ୍ଥା ଓ ସାର୍ବଜନିକ ସେବା ଉପରେ ଚାପ ବଢି ଯାଇଛି। ତାପମାତ୍ରା ବୃଦ୍ଧିର ପ୍ରଭାବ ଲୋକଙ୍କ ଜୀବନ ଉପରେ ମଧ୍ୟ ପଡୁଛି। ଗରମରୁ ରକ୍ଷା ପାଇବା ପାଇଁ ଫ୍ରାନ୍ସରେ ଲୋକେ ନଦୀ ଓ ଜଳ ଉତ୍ସକୁ ମୁହାଁଇଛନ୍ତି। ଏଣୁ ପାଣିରେ ବୁଡି ଅନେକ ଲୋକ ପ୍ରାଣ ହରାଇଲେଣି।

ଫ୍ରାନ୍ସ ରେ ଗ୍ରୀଷ୍ମ ମୃତ୍ୟୁ ସଂଖ୍ୟା ୪୦ରୁ ବଢି ୪୮କୁ ପହଞ୍ଚିଛି। ସେହିପରି ସ୍ପେନରେ ଗ୍ରୀଷ୍ମ ପ୍ରବାହ ଯୋଗୁ ଅଂଶୁଘାତରେ କିଛି ଲୋକଙ୍କ ମୃତ୍ୟୁ ହୋଇଛି। ଏପରି ଗ୍ରୀଷ୍ମ ପ୍ରବାହ ପାଇଁ ପାଣିପାଗ ବୈଜ୍ଞାନିକ ‘ହିଟ ଡୋମ’ ନାମକ ପାଣିପାଗ ସ୍ଥିତିକୁ ଦାୟି କରିଛନ୍ତି। ଏଥିରେ ଗରମ ପବନର ବିଶାଳ ବଳୟ କୌଣସି ଏକ କ୍ଷେତ୍ର ଉପରେ ସ୍ଥାୟୀ ହୋଇ ରହିଯାଏ। ଏଣୁ ଶୀତଳ ପବନ ଅଞ୍ଚଳକୁ ପଶି ପାରେ ନାହିଁ ଓ ସେଠାକାର ତାପମାତ୍ରା ବଢିବଢି ଚାଲେ।

ବ୍ରିଟେନ ପରିସ୍ଥିତି ମଧ୍ୟ ଚିନ୍ତାଜନକ, ଭୀଷଣ ଗରମ ଲାଗି ସ୍କୁଲ ବନ୍ଦ ଘୋଷଣା ହୋଇଛି। ଏହା ଛଡା ରେଳ ସେବାକୁ ସତର୍କତା ସ୍ୱରୂପ ଧିମେଇ ଦିଆଯାଇଛି। କେବଳ ଏତିକି ନୁହେଁ ତାପମାତ୍ରା ବୃଦ୍ଧି ଯୋଗୁ ନେଦର ଲ୍ୟାଣ୍ଡ ଓ ବେଲଜିୟମରେ କ୍ରିଡା ପ୍ରତିଯୋଗୀତା ସବୁ ବନ୍ଦ କରିଦିଆଯାଇଛି। ସେହିପରି ସାର୍ବଜନିକ କାର୍ଯ୍ୟକ୍ରମ ବଦଳା ଯାଇଛି। ବିଶେଷଜ୍ଞଙ୍କ କହିବା ଅନୁସାରେ ଜଳବାୟୁ ପରିବର୍ତ୍ତନ କାରଣରୁ ଏପରି ଚରମ ପାଗ ସମ୍ପର୍କିତ ଘଟଣା ପୂର୍ବାପେକ୍ଷା ବଢିବାରେ ଲାଗିଛି। ଏଥିରେ ପାଣିପାଗ ବିଭାଗ ଚେତାବନୀ ଦେଇଛି ଯେ ଦକ୍ଷିଣ ଓ ମଧ୍ୟ ୟୁରୋପର ଅନେକ ଅଞ୍ଚଳରେ ଆଗାମୀ ଦିନରେ ଗ୍ରୀଷ୍ମ ପ୍ରକୋପରୁ ଆଶ୍ୱସ୍ତି ମିଳିବାର ସମ୍ଭାବନା କମ୍।