କେନ୍ଦୁଝର: ଠକେଇ, ଚଞ୍ଚକତା ଆଉ ବେଆଇନ ଭାବେ ଅନ୍ୟର ସମ୍ପତ୍ତି ହଡ଼ପ କରିବାର ସଙ୍ଗୀନ ଅଭିଯୋଗ। କୋଟି କୋଟି ଟଙ୍କାର କାରବାରକୁ ନେଇ ପୁଣି ଚର୍ଚ୍ଚାରେ ବିଜେଡି ଯୁବନେତା ରାଜା ଚକ୍ର। ମହିଳା ଶିଳ୍ପଦ୍ୟୋଗୀ ସସ୍ମିତା ବେଜଙ୍କ ୧ କୋଟି ୨୨ ଲକ୍ଷ ଟଙ୍କାର କ୍ରସର ୟୁନିଟ୍ ଓ ଜମି ଦଖଲ ସହ ଆତ୍ମସାତ୍ ଅଭିଯୋଗରେ ରୁଜୁ ହୋଇଛି ନୂଆ ମାମଲା। ଅଭିଯୋଗର ଖୋଳତାଡ଼ ପାଇଁ କେନ୍ଦୁଝରର ନୁନୁଝରଣରେ ପହଞ୍ଚିଛି ଭୁବନେଶ୍ୱର EOWର ଟିମ୍। କେନ୍ଦୁଝର ତହସିଲଦାର ଓ ପୋଲିସ ଅଧିକାରୀଙ୍କ ସହ ମିଳିତ ତଦନ୍ତ ସହ କ୍ରସର ୟୁନିଟ୍ର ଜମି ମାପଚୁପ କରାଯାଇଛି। ତେବେ କେବଳ ଆର୍ଥିକ ଅନିୟମିତତା ନୁହେଁ, ଜଙ୍ଗଲ ଜମିର ଦୁରୁପଯୋଗ ଓ କ୍ରସର ୟୁନିଟ୍କୁ ଅନ୍ୟ ରାଜ୍ୟରେ ବିକ୍ରି କରିଦେବା ଭଳି ଗୁରୁତର ଅଭିଯୋଗ ମଧ୍ୟ ଆସିଛି। କ’ଣ ରହିଛି ପୂରା ଘଟଣା ପଛର କାହାଣୀ?

ଅନ୍ୟର ଜମି, ଅନ୍ୟର କ୍ରସର… ଆଉ କୋଟି କୋଟି ଟଙ୍କାର ସମ୍ପତ୍ତିକୁ ନେଇ ବିବାଦ! ମହିଳା ଶିଳ୍ପଦ୍ୟୋଗୀ ସସ୍ମିତା ବେଜଙ୍କ ଅଭିଯୋଗ ଏବେ ରାଜା ଚକ୍ରଙ୍କ ପାଇଁ ବଢ଼ାଇଛି ଅଡୁଆ। ସେପ୍ଟେମ୍ବର ୨୫ ତାରିଖରେ ଭୁବନେଶ୍ୱର EOWରେ ଅଭିଯୋଗ କରିଥିଲେ ସସ୍ମିତା। ଏହାକୁ ଆଧାର କରି ଘଟଣାର ଆର୍ଥିକ ଦିଗ ସହ ସମ୍ପତ୍ତି ଦଖଲ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି।

Also Read: ପରକୀୟା ପ୍ରୀତି ସନ୍ଦେହ, ସ୍ବାମୀଙ୍କୁ ଅଚେତ କରି ଯୌନାଙ୍ଗ କାଟିଲା ସ୍ତ୍ରୀ, ତଦନ୍ତ କରୁଛି ପୁଲିସ

କାରବାରରେ ୧ କୋଟି ୨୨ ଲକ୍ଷ ଟଙ୍କା ଆତ୍ମସାତ୍

ଆଜି ସକାଳୁ କେନ୍ଦୁଝର ସଦର ବ୍ଲକ୍ର ନୁନୁଝରଣରେ ପହଞ୍ଚିଥିଲେ EOW, ସଦର ତହସିଲ ଓ ପୋଲିସର ଅଧିକାରୀ। କ୍ରସର ୟୁନିଟ୍ ଥିବା ସ୍ଥାନରେ ମାପଚୁପ କରିବା ସହ ଅଭିଯୋଗ ସମ୍ପର୍କରେ ଖୋଳତାଡ଼ କରାଯାଇଥିଲା। ଅଭିଯୋଗ ଅନୁସାରେ, ଜମି ଓ କ୍ରସର ୟୁନିଟକୁ ନେଇ ହୋଇଥିବା କାରବାରରେ ୧ କୋଟି ୨୨ ଲକ୍ଷ ଟଙ୍କା ଆତ୍ମସାତ୍ ହୋଇଛି। ଏପରିକି କ୍ରସର ୟୁନିଟକୁ ଝାଡ଼ଖଣ୍ଡରେ ବିକ୍ରି କରି ଦିଆଯାଇଥିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ସସ୍ମିତାଙ୍କ ସ୍ୱାମୀ ଅଞ୍ଜନ କୁମାର ବେଜ।

ଅଡ଼ୁଆ ସୃଷ୍ଟି କରିବ ନୂଆ ମାମଲା

ଅଭିଯୋଗର ଗମ୍ଭୀରତା ଏତିକିରେ ସୀମିତ ନୁହେଁ। ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ, ଗଛ କାଟିବା, ପଥର ଖନନ ଏବଂ ମେଟାଲ୍ ଓ ଚିପ୍ସ ଗଚ୍ଛିତ ରଖି ବିକ୍ରି କରିବା ଭଳି ଅନିୟମିତତାର ଅଭିଯୋଗ ମଧ୍ୟ ଉଠିଛି। ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଅନ୍ୟପଟେ, ନୂଆ ମାମଲାରେ ରାଜା ଚକ୍ରଙ୍କୁ ପଚରାଉଚରା କରାଯିବାର ସମ୍ଭାବନା ରହିଛି। ପୂର୍ବରୁ କିଛି ମାମଲାରେ ଜାମିନ ପାଇଥିବା ବେଳେ ଅନ୍ୟ କିଛି ମାମଲା ବିଚାରାଧୀନ ଥିବା କୁହାଯାଉଛି। ଏବେ ନୂଆ ଅଭିଯୋଗ ତାଙ୍କ ପାଇଁ କେତେ ଅଡୁଆ ସୃଷ୍ଟି କରୁଛି, ତାହା ତଦନ୍ତର ଅଗ୍ରଗତି ପରେ ସ୍ପଷ୍ଟ ହେବ।

Also Read: ମାଟି ମାଫିଆଙ୍କ ଗୁଣ୍ଡାଗର୍ଦ୍ଦି, ବିରୋଧ କରିବାରୁ ଘର ଉପରକୁ ବୋମାମାଡ଼

ଅଭିଯୋଗର ଗୋଟିଏ ପଟେ କୋଟିଏ ଟଙ୍କାର କାରବାର, ଅନ୍ୟପଟେ ଜମି ଓ କ୍ରସର ୟୁନିଟ୍ର ମାଲିକାନାକୁ ନେଇ ପ୍ରଶ୍ନ। ଏବେ ସମସ୍ତଙ୍କ ନଜର EOWର ତଦନ୍ତ ଉପରେ। ଅଭିଯୋଗ ପଛରେ କେତେ ସତ୍ୟତା ରହିଛି ଏବଂ କାହାର ଭୂମିକା କ’ଣ, ତାହା ତଦନ୍ତ ପରେ ହିଁ ସାମ୍ନାକୁ ଆସିବ।