ବେଙ୍ଗାଲୁରୁ,୧୧/୦୮ବେଙ୍ଗାଲୁରୁରେ ସୋମବାର ଏକ ହୃଦୟବିଦାରକ ଘଟଣା ଘଟିଛି। ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ଜଣେ ବ୍ୟକ୍ତି ନିଜ ଦୁଇଝିଅଙ୍କୁ ହତ୍ୟା କରିଛନ୍ତି। ଏହାପରେ ନିଜ ଗଳା କାଟି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି । ତେବେ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରୁ ସୁଇସାଇଡ ନୋଟ ମିଳିଛି। ଏଥିରେ ବ୍ୟକ୍ତି ଜଣକ ପତ୍ନୀଙ୍କ ବିରୋଧରେ ପରକୀୟା ପ୍ରୀତି ଭଳି ଗମ୍ଭୀର ଅଭିଯୋଗ ଆଣିଛନ୍ତି। ବେଙ୍ଗାଲୁରୁର କେମ୍ପେଗୌଡ଼ା ବିମାନବନ୍ଦର ନିକଟ ଏକ ହୋଟେଲରେ ଏହି ବୀଭତ୍ସ ଘଟଣା ଘଟିଛି। ଦୁଇ ଝିଅଙ୍କୁ ହତ୍ୟା କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ୪୦ ବର୍ଷୀୟ ଏସ୍ ଜି ଇମ୍ରାନ । ସେ ତାଙ୍କର ୫ ଓ ୧୦ ବର୍ଷର ଦୁଇ ଝିଅଙ୍କୁ ତଣ୍ଟି କାଟି ମାରିଥିବା ଅଭିଯୋଗ ହୋଇଛି।

ଖବର ବାବଦରେ ଜାଣିବା ପରେ ସୁରକ୍ଷା କର୍ମୀ ସେଠାରେ ପହଞ୍ଚି ଦୁଇ ଝିଅଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହାପରେ ଇମ୍ରାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ।ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି।

ସୁଇସାଇଡ୍ ନୋଟରେ ବଡ କଥା

ଆତ୍ମହତ୍ୟା କରିବା ପୂର୍ବରୁ ଇମ୍ରାନ୍ ଏକ ସୁଇସାଇଡ୍ ନୋଟ୍ ଛାଡି ଯାଇଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, ତାଙ୍କ ସ୍ତ୍ରୀଙ୍କ ଚରିତ୍ର ଭଲ ନୁହେଁ । ଏପରି ଜଣେ ମାଆ ସହ ଝିଅ ବଡ ହୁଅନ୍ତୁ ବୋଲି ସେ ଚାହାଁନ୍ତି ନାହିଁ । ତେଣୁ ସେଦୁଇଝିଅ ଏବଂ ନିଜକୁ ମାରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ନୋଟରେ ଉଲ୍ଲେଖ କରିଛନ୍ତି ।

ଏମିତି ପୂରା ଘଟଣା

ପୋଲିସର କହିବାନୁସାରେ, ଇମ୍ରାନ ବେଙ୍ଗାଲୁରୁ ନିକଟବର୍ତ୍ତୀ ନାଗାଓ୍ୱାରାରେ ରୁହନ୍ତି । ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଯୋଗାଯୋଗ ପାଇଁ ଉଦ୍ୟମ ଚାଲିଛି । ତଦନ୍ତ ସରିନି । ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ସେ ହତ୍ୟାକାଣ୍ଡ କରିଥିବା ପ୍ରାରମ୍ଭିକ ସୂଚନା ମିଳିଛି । କିନ୍ତୁ ଏଥିରେ ସ୍ପଷ୍ଟତା ଆସିନାହିଁ । ସେ ସୁଇସାଇଡ୍ ନୋଟରେ କାରଣ ବାବଦରେ ଲେଖିଛନ୍ତି । ତାହା ପ୍ରକୃତ କାରଣ ନା ନାହିଁ ସେଦିଗରେ ଖୋଳତାଡ ଆରମ୍ଭ ହୋଇଛି । ପତ୍ନୀଙ୍କ ବୟାନକୁ ମଧ୍ୟ ତଦନ୍ତ ପରିସରରେ ସାମିଲ କରାଯାଇଛି । ଆହୁରି ମଧ୍ୟ ହୋଟେଲରୁ ପ୍ରମାଣ ଯୋଗାଡ ହେଉଛି । କର୍ମଚାରୀଙ୍କୁ ଜେରା କରାଯାଉଥିବା ଜଣାପଡିଛି ।