ଦିଗପହଣ୍ଡି, ୧୪/୦୯:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ବିଭିନ୍ନ ଗ୍ରାମରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ବ୍ଲକର ଜକର, ହାତୀଆଡ଼ି, ଦେଓଖାଳି, ବାଗଡ଼ା, ସୁମନ୍ତପୁର, କରପଡ଼ା ସମେତ ଚିକିଟି ବ୍ଲକର କେ.ନୂଆଗାଁ ଅଞ୍ଚଳରେ ହାତୀଙ୍କ ଚଳପ୍ରଚଳ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।

ଗତ ୪ ଦିନ ହେଲା ୩ଟି ହାତୀ ଦିଗପହଣ୍ଡି ବନାଞ୍ଚଳ ଚିକିଟି ସେକ୍ସନ ଅଧୀନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲର ପାହାଡ଼ ଅଞ୍ଚଳକୁ ଚାଲିଆସିଛନ୍ତି । ସନ୍ଧ୍ୟା ହେଲେ ଏହି ହାତୀମାନେ ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି । ଫଳରେ ଗ୍ରାମାଞ୍ଚଳରେ ବ୍ୟାପକ ଭାବେ ପନିପରିବା, କଦଳୀ ଓ ଧାନ ଫସଲ ନଷ୍ଟ ହେଉଛି ।

Also Read :-ଇଣ୍ଡୋନେସିଆରେ ଜାହାଜ ବୁଡ଼ି ଘଟଣା : ମିଳିଲା ୬ ଜଣଙ୍କ ମୃତଦେହ, ଏବେବି ୧୩୦ ନିଖୋଜ

ହାତୀ ଉପଦ୍ରବ ଯୋଗୁଁ ଚାଷୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଥିବା ବେଳେ ସନ୍ଧ୍ୟା ପରେ ରାସ୍ତାରେ ଚଳପ୍ରଚଳ କରିବାକୁ ମଧ୍ୟ ଲୋକେ ଭୟଭୀତ ହେଉଛନ୍ତି । ଡାକବାଜି ଯନ୍ତ୍ର ମାଧ୍ୟମରେ ସକାଳ ଓ ସନ୍ଧ୍ୟା ସମୟରେ ଜଙ୍ଗଲ ନିକଟକୁ ନଯିବା, ହାତୀଙ୍କ ଫଟୋ କିମ୍ବା ଭିଡିଓ ଉତ୍ତୋଳନ ନକରିବା ନେଇ ଲୋକଙ୍କୁ ବନବିଭାଗ ତରଫରୁ ସତର୍କ କରାଯାଉଛି ।