ଭୁବନେଶ୍ବର ୨୨।୧୦: ସରିଲା ଦଶହରା । ପୁଣି ଆର ବର୍ଷକୁ ଅପେକ୍ଷା । ଆଜି ବିଦାୟ ନେଉଛନ୍ତି ମା’ । ଅନୁଷ୍ଠିତ ହେଉଛି ମହାମାୟାଙ୍କର ଭସାଣି ଉତ୍ସବ । ମା’ଙ୍କ ମୂର୍ତ୍ତି ବିସର୍ଜନ ପାଇଁ ଦୟା, କୁଆଖାଇ ନଦୀ ପଠାରେ ବିଏମସି ପକ୍ଷରୁ ଅସ୍ଥାୟୀ ପୋଖରୀ ଖୋଳାଯାଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମଧ୍ୟ ସଚେତନ କରିବା ପାଇଁ ନୋଟିସ ବୋର୍ଡ ଲଗାଯାଇଛି ।

ଏସବୁ ଭିତରେ ଉତ୍ତର ଭୁବନେଶ୍ବରରେ ଦେବୀ ଦୁର୍ଗାଙ୍କ ଭସାଣିକୁ ନେଇ ଟ୍ବିଷ୍ଟ । ଏକାଠି ହେବେନି ୨୬ଟି ମେଢ଼ । ଦୁଇ ଭସାଣି ଆୟୋଜକଙ୍କ ଠାରୁ ଅଲଗା ହୋଇ ନିଜେ ନିଜେ ଭସାଣି କରିବେ ୮ଟି ମେଢ଼ । ପୂର୍ବରୁ ଭୁବନେଶ୍ବରରେ ଭସାଣି ସମିତି ଓ ଭୁବନେଶ୍ବର ଭସାଣି କମିଟିରେ ୧୩ଟି ଲେଖାଏଁ, ମୋଟ୍ ୨୬ଟି ମେଢ଼ ସାମିଲ ହେବାର ଯୋଜନା ଥିଲା । ହେଲେ ୮ଟି ମେଢ଼ କୌଣସି ଆୟୋଜକଙ୍କ ସହ ସାମିଲ ନହୋଇ ନିଜସ୍ବ ଭାବେ ଭସାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ଉଭୟ ଭସାଣି ଆୟୋଜକଙ୍କ ସହ ୯ଟି ଲେଖାଏଁ, ମୋଟ୍ ୧୮ଟି ମେଢ଼ ସାମିଲ ହେବେ । ଦୁଇଟି ଭିନ୍ନ ସ୍ଥାନରୁ ରୋଷଣି ଶୋଭାଯାତ୍ରା ଆରମ୍ଭ ହେବ । ଅନ୍ୟପଟେ ଭସାଣିକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Also Read:- ଗଣଦୁଷ୍କର୍ମ ପରେ ପୋଡ଼ି ମାରିଦେଲେ ! ବିଲରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ

ତେବେ ଚଳିତବର୍ଷ ରାଜଧାନୀର ଭସାଣିରେ ଶୁଭିବନି DJର ଛାତିଥରା ଶଦ୍ଦ । ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ରାତି ୧୦ଟା ପରେ ମେଢ଼ ଆଗରେ ଶୁଭିବନି ବାଜା । କେବଳ ପାରମ୍ପରିକ ବାଜାରେ ସମସ୍ତ ମେଢ଼କୁ ମେଲାଣି ଦେବେ ମଣ୍ଡପର କାର୍ଯ୍ୟକର୍ତ୍ତା । ଯଦି କେହି ଭସାଣରେ DJକୁ ସାମିଲ କରିବ ତେବେ କମିଶନରେଟ୍ ପୋଲିସ DJ ମାଲିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ପ୍ରତି ମଣ୍ଡପରୁ ଭସାଣି ପାଇଁ ମେଢ଼ ବାହାରିବା ସମୟରେ ସ୍ଥାନୀୟ ଥାନା ଅଧିକାରୀଙ୍କ ସହିତ ACP ଉପସ୍ଥିତ ରହିବେ । ସେପଟେ ଭସାଣ ପାଇଁ ସ୍ବତନ୍ତ୍ର ରୁଟ୍ ଲାଇନ ବ୍ୟବସ୍ଥା କରାଯାଇଛି । ଟ୍ରାଫିକରେ ଜାମ ସ୍ଥିତି ନଉପୁଜିବା ଉପରେ ଗୁରୁତ୍ବ ଦିଆଯାଇଛି ।