କୋଲକାତା, ୦୮/୦୧: ପଶ୍ଚିମବଙ୍ଗରେ ହାଇଭୋଲଟେଜ୍ ଡ୍ରାମା । ମୁହାଁମୁହିଁ ହେଲେ ମମତା ବାନାର୍ଜୀ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ । ପଲିଟିକାଲ କନସଲଟାନ୍ସି ଫାର୍ମ୍ ଆଇ-ପ୍ୟାକର କିଛି କାର୍ଯ୍ୟାଳୟରେ ଚଢାଉ ବେଳେ ଅପ୍ରୀତିକର ପରିସ୍ଥିତି ଉପୁଜିଛି । ଯାହାକୁ ନେଇ ଟିଏମସି ନେତ୍ରୀ ମମତା ବାନାର୍ଜୀ ଇଡି ବିରୋଧରେ କାଗଜପତ୍ର ଚୋରି ଅଭିଯୋଗ ଆଣିଛନ୍ତି । ଏହାସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଦି ଟାର୍ଗେଟ୍ କରିଛନ୍ତି ।

ରିପୋର୍ଟ ଅନୁସାରେ, ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂ ମାମଲାରେ ଆଇ-ପ୍ୟାକର ଦୁଇଟି ସ୍ଥାନରେ ଚଢଉ କରିଥିଲା । ପ୍ରଥମେ ଆଇ-ପ୍ୟାକ୍ ର କର୍ମଚାରୀ ପ୍ରତିକ ଜୈନଙ୍କ ଘରେ ରେଡ୍ ହୋଇଥିଲା । ଏହାପରେ ସଲ୍ଟ୍ ଲେକ୍ ସେକ୍ଟର-୫ ପାଖରେ ଥିବା କମ୍ପାନୀର କାର୍ଯ୍ୟାଳୟରେ ଚଢଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଛି ଇଡି । ଏହି ସମସ୍ତ ଦସ୍ତାବିଜ ତୃଣମୂଳ କଂଗ୍ରେସ ସହ ଜଡିତ ବୋଲି କୁହାଯାଉଛି ।

ଚଢଉ ଖବର ପରେ ଟିଏମସି କାର୍ଯ୍ୟକର୍ତ୍ତା ସଲ୍ଟ୍ ଲେକ୍ ପାଖରେ ଥିବା କାର୍ଯ୍ୟାଳୟ ଆଗରେ ପାଟିତୁଣ୍ଡ କରିଥିଲେ । ଏପରିକି ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାସ୍ଥଳରେ ପହଁଚିଥିଲେ । ଯାହାକୁ ନେଇ ସେ କହିଛନ୍ତି ଯେ, ଇଡି ଟିଏମସିର ଫାଇଲ୍ସ ଉପରେ ଆଖି ରଖିଛି । ଇଡି ପ୍ରାର୍ଥୀଙ୍କ ତାଲିକା ଚୋରି କରିଛି । ଦଳ ଆଗାମୀ ନିର୍ବାଚନରେ କିପରି ରଣନୀତି ପ୍ରସ୍ତୁତ କରୁଛି ତାକୁ ହାତେଇବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢଉ କରିଥିଲା ।

ଘଟଣାକୁ ନେଇ ସେ ସିଧାସଳକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ୍ କରିଛନ୍ତି । ଅମିତ ଶାହ ଟିଏମସିର ଜରୁରୀ କାଗଜପତ୍ର ତଥା ପ୍ରାର୍ଥୀଙ୍କ ତାଲିକା ଚାହୁଁଛନ୍ତି । ଗୋଟିଏ ଦିଗରେ ଏସଆଇଆର ଜରିଆରେ ଭୋଟର ତାଲିକାରୁ ନାଁ କଟୁଛି । ଅନ୍ୟ ଦିଗରେ ଟିଏମସିର ଜରୁରୀ କାଗଜପତ୍ର ଇଡି ନେଇଯାଉଛି ବୋଲି ଦଦି ଅଭିଯୋଗ କରିଛନ୍ତି । ସେପଟେ ସଲ୍ଟ୍ ଲେକ୍ ନିକଟରେ ଥିବା ଆଇ-ପ୍ୟାକ୍ କାର୍ଯ୍ୟାଳୟରୁ କିଛି ଫାଇଲ୍ସ ମମତାଙ୍କ ଗାଡିରେ ରଖାଯାଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଘଟଣାକୁ ନେଇ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଇଡିର କାର୍ଯ୍ୟରେ ବାଧା ଦେଇଥିବାରୁ ମମତାଙ୍କୁ ସମାଲୋଚନା କରିଛନ୍ତି । ସୂଚନାଯୋଗ୍ୟ, ପ୍ରତୀକ ଜୈନ ହେଉଛନ୍ତି ଆଇ-ପ୍ୟାକ୍ ର ସହ ପ୍ରତିଷ୍ଠାତା । ଏହାସହ ସେ ଟିଏମସିର ଆଇସେଲ୍ ମୁଖ୍ୟ ମଧ୍ୟ ଅଟନ୍ତି ।