ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକ ସାବଧାନ ! ବ୍ୟାଙ୍କରେ ଜରୁରୀ କାମ ଅଛି କି? ଟଙ୍କା ଉଠାଣ, ଜମା, ଚେକ୍ କ୍ଲିୟରାନ୍ସ କିମ୍ବା ଅନ୍ୟ କୌଣସି ଶାଖା ସମ୍ପର୍କିତ କାମ ରହିଛି କି? ଜଲଦି କରନ୍ତୁ। ସେପ୍ଟେମ୍ବର ଶେଷରେ ୫ ଦିନ ବ୍ୟାଙ୍କ ବନ୍ଦ ରହିବ। ସେପ୍ଟେମ୍ବର ୨୬ ଶନିବାର ଦ୍ୱିତୀୟ ଶନିବାର ଛୁଟି ଏବଂ ୨୭ ତାରିଖ ରବିବାର। ଏହା ପରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ବା UFBU ପକ୍ଷରୁ ସେପ୍ଟେମ୍ବର ୨୮, ୨୯ ଓ ୩୦ ତାରିଖରେ ତିନିଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି।

ଫଳରେ ୨୬ରୁ ୩୦ ସେପ୍ଟେମ୍ବର ଯାଏଁ ଶାଖାଭିତ୍ତିକ ବ୍ୟାଙ୍କିଙ୍ଗ ସେବାରେ ଲଗାତାର ବାଧା ଆସିବାର ଆଶଙ୍କା ରହିଛି। ଗ୍ରାହକଙ୍କ ଅସୁବିଧା କମାଇବା ପାଇଁ ୨୭ ସେପ୍ଟେମ୍ବର ରବିବାର ଦିନ ବ୍ୟାଙ୍କ ଶାଖା ଓ କରେନ୍ସି ଚେଷ୍ଟ ଖୋଲିବା ପାଇଁ RBI ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ଅନୁମତି ଦିଆଯାଇଥିବା ସୂଚନା ମିଳିଛି। ଏହାର ଉଦ୍ଦେଶ୍ୟ ହେଉଛି—ଲଗାତାର ଛୁଟି ଓ ଧର୍ମଘଟ ଯୋଗୁଁ ଗ୍ରାହକମାନେ ଦୀର୍ଘ ସମୟ ବ୍ୟାଙ୍କିଙ୍ଗ ସେବାରୁ ବଞ୍ଚିତ ନ ହୁଅନ୍ତୁ।

ଧର୍ମଘଟର ପ୍ରଭାବ ବିଶେଷକରି ବ୍ୟାଙ୍କ ଶାଖାରେ ହେଉଥିବା ସେବା ଉପରେ ପଡ଼ିପାରେ। ଚେକ୍ କ୍ଲିୟରାନ୍ସ, ନଗଦ ଜମା-ଉଠାଣ, ଶାଖାରେ ହେଉଥିବା ବିଭିନ୍ନ ଅର୍ଥନୈତିକ କାରବାର ଏବଂ ଅନ୍ୟାନ୍ୟ ମାନୁଆଲ୍ ସେବା ବିଳମ୍ବିତ ହୋଇପାରେ। ତେବେ ATM, UPI, ଇଣ୍ଟରନେଟ୍ ବ୍ୟାଙ୍କିଂ ଓ ମୋବାଇଲ୍ ବ୍ୟାଙ୍କିଂ ଭଳି ଡିଜିଟାଲ୍ ସେବା ଚାଲୁ ରହିବାର ସମ୍ଭାବନା ରହିଛି। ତଥାପି ଗ୍ରାହକମାନେ ଜରୁରୀ କାରବାର ଆଗୁଆ ସାରିଦେବାକୁ ବ୍ୟାଙ୍କଗୁଡ଼ିକ ପରାମର୍ଶ ଦେଇଛନ୍ତି।

ପାଞ୍ଚ ଦିନିଆ ବ୍ୟାଙ୍କିଙ୍ଗ ସପ୍ତାହ ଲାଗୁ କରିବା ସମେତ ଏକାଧିକ ଦାବି ନେଇ UFBU ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ପେନସନ୍ ସମ୍ପର୍କିତ ସୁବିଧା ଓ ଅନ୍ୟ କର୍ମଚାରୀ-ପେନସନର୍ ଦାବି ମଧ୍ୟ ଆନ୍ଦୋଳନର ଅଂଶ ବୋଲି ରିପୋର୍ଟ ହୋଇଛି। ସେପ୍ଟେମ୍ବର ୨୨ର ଆଲୋଚନା ପରେ ମଧ୍ୟ ଧର୍ମଘଟ ସ୍ଥଗିତ ନ କରିବାକୁ UFBU ପକ୍ଷରୁ କୁହାଯାଇଛି।

ବ୍ୟାଙ୍କରେ ଜରୁରୀ କାମ ଥିଲେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଆଗୁଆ ସାରିଦିଅନ୍ତୁ। ଟଙ୍କା ଉଠାଣ କିମ୍ବା ଜମା, ଚେକ୍ ସମ୍ପର୍କିତ କାମ, ଜରୁରୀ ବ୍ୟାଙ୍କ ଡକ୍ୟୁମେଣ୍ଟ, ଶାଖାରେ କରିବାକୁ ଥିବା ଅନ୍ୟାନ୍ୟ କାରବାର। ଏସବୁ କାମ ଆଗୁଆ କରିନିଅନ୍ତୁ।SBI ମଧ୍ୟ ଗ୍ରାହକଙ୍କୁ ଧର୍ମଘଟ ପୂର୍ବରୁ ଜରୁରୀ ବ୍ୟାଙ୍କିଙ୍ଗ କାରବାର ସାରିବା ଏବଂ ଆବଶ୍ୟକ ସମୟରେ ATM, CSP ଓ ଡିଜିଟାଲ୍ ବ୍ୟାଙ୍କିଂ ଚ୍ୟାନେଲ୍ ବ୍ୟବହାର କରିବାକୁ କହିଛି।