ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ) ଛାତ୍ରଙ୍କ ଲାଗି ହଷ୍ଟେଲ ସିଟ୍ ସଂଖ୍ୟା ଦୁଇଗୁଣାରୁ ଅଧିକ କରିବାକୁ ପ୍ରସ୍ତୁତି କରୁଛି। ଏବେ ବିଶ୍ୱବିଦ୍ୟାଳୟ ଓ କଲେଜ ହଷ୍ଟେଲ ମାନଙ୍କର ମୋଟ ୭,୨୧୦ଟି ସିଟ୍ ରହିଛି। ନୂଆ ହଷ୍ଟେଲ ପ୍ରକଳ୍ପ କାମ ଶେଷ ହେଲେ ଏହି ସଂଖ୍ୟା ବଢି ୧୨,୫୪୪ ହୋଇଯିବ। ଅର୍ଥାତ ଛାତ୍ରଛାତ୍ରୀଙ୍କ ଲାଗି୫,୫୪୪ ନୂଆ ସିଟ୍ ଯୋଡାଯିବ। ଏହା ଦ୍ୱାରା ଖାସ କରି ଅନ୍ୟ ସହରରୁ ଦିଲ୍ଲୀକୁ ପାଠ ପଢି ଆସୁଥିବା ଛାତ୍ରଛାତ୍ରୀଙ୍କୁ ରହିବାର ସୁବିଧା ମିଳିପାରିବ।

ଏବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନିଜସ୍ୱ ହଷ୍ଟେଲରେ ୩,୪୨୨ଟି ସିଟ୍ ରହିଛି। ଜାରି ପ୍ରକଳ୍ପ କାମ ଶେଷ ହେଲେ ଏଥିରେ ୩,୯୨୨ଟି ସିଟ୍ ବଢିବ। ଫଳରେ ବିଶ୍ୱବିଦ୍ୟାଳୟର ନିଜସ୍ୱ ହଷ୍ଟେଲ କ୍ଷମତା ୭,୩୪୪ ହୋଇଯିବ। ସେହିପରି ବିଶ୍ୱବିଦ୍ୟାଳୟର ଅଲଗା ଅଲଗା କଲେଜମାନଙ୍କର ୩,୭୮୮ଟି ହଷ୍ଟେଲ ସିଟ୍ ରହିଛି। କଲେଜମାନଙ୍କରେ ୧୬୨୨ ନୂଆ ସିଟ୍ ଯୋଡା ଯିବ। ଏଣୁ ଏଠାରେ ମୋଟ କ୍ଷମତା ୫,୪୧୦ ହୋଇଯିବ। ଏହା ସହ କଲେଜ ଓ ବିଶ୍ୱବିଦ୍ୟାଳୟ ସିଟ୍ ସଂଖ୍ୟା ମିଶି ୧୨,୭୫୪ ସିଟ୍ ଉପଲବ୍ଧ ହେବ।

ଡିୟୁ ପକ୍ଷରୁ କୁହାଯାଇଛି ଯେ ଧୌଲା କୂଆଁର ଢାକା କମ୍ପ୍ଲେକ୍ସରେ ଇନିଷ୍ଟିଟ୍ୟୁଟ ଅଫ ଏମିନେନ୍ସ (ଆଇଓଇ) ହଷ୍ଟେଲର କାମ ଏବେ ପାଖାପାଖି ଶେଷ ହୋଇ ଆସିଲାଣି। ଏଥିରେ ମୋଟ ୧୪୫୦ ଛାତ୍ରଙ୍କ ରହିବାର ବ୍ୟବସ୍ଥା ହେବ। ଏହାଛଡା ୧୦୦୦ ସିଟର ମହିଳା ହଷ୍ଟେଲ ‘ନିର୍ଭୟା ରେସିଡେନ୍ସିଆଲ ଆକାଡେମୀ’ର ମଧ୍ୟ ନିର୍ମାଣ ଚାଲିଛି। ସେହିପରି ୧୦୫୦ ସିଟ୍ ର ଷ୍ଟୁଡିଓ ଆପାର୍ଟମେଣ୍ଟ କମ୍ପ୍ଲେକ୍ସ କାମ ମଧ୍ୟ ଚାଲିଛି। ଏହି ସବୁ ପ୍ରକଳ୍ପ କାମ ପୁରା ହେବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରାବାସ ସମସ୍ୟା ଅନେକାଂଶରେ ଦୂର ହୋଇଯିବ।

ଡିୟୁର ହଷ୍ଟେଲ ସଂଖ୍ୟା ବଢାଇବା ପାଇଁ ଗତ କିଛି ବର୍ଷ ହେଲା କାମ ଚାଲିଛି। ହେଲେ ନିକଟରେ ଦିଲ୍ଲୀର ସତ୍ୟନିକେତନରେ ପିଜି ଭାବେ ବ୍ୟବହୃତ ହେଉଥିବା ଏକ ବହୁତଳ ବିଲ୍ଡିଂ ଭୁଶୁଡିପଡିବାରୁ ଏହି ପ୍ରସଙ୍ଗ ପୁଣି ଥରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଘଟଣା ପରେ ଛାତ୍ରଙ୍କ ସୁରକ୍ଷା ଓ ଉତ୍ତଦାୟିତା ନେଇ ପ୍ରଦର୍ଶନ ମଧ୍ୟ କରାଯାଇଛି। ଏହା ପରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ହଷ୍ଟେଲ ଓ ଛାତ୍ରଙ୍କ ରହଣୀ ସୁବିଧା ପାଇଁ ନିର୍ମାଣ କ୍ରାମ ଦ୍ରୁତ କରିବା ଉପରେ ଜୋର ଦେଇଛନ୍ତି। ଏହା ଛଡା ଡିୟୁ ଖୁବ୍ ଶୀଘ୍ର ସରକାରଙ୍କୁ କିଛି ନୂଆ ହଷ୍ଟେଲ ନିର୍ମାଣ ଲାଗି ପ୍ରସ୍ତାବ ମଧ୍ୟ ପଠାଇବ। ଏଥି ପାଇଁ ବିଶ୍ୱବିଦ୍ୟାଳୟ ସବୁ କଲେଜର ଶିକ୍ଷକ ଓ ଛାତ୍ରଙ୍କ ଲାଗି ଉପଲବ୍ଧ ରହଣୀ ସୁବିଧା ସମୀକ୍ଷା କରିବାକୁ କହିଛନ୍ତି।