ଭୁବନ: ଦୁର୍ଦ୍ଦାନ୍ତ ଖଳନାୟକ ଜ୍ଞାନରଞ୍ଜନ ସାହୁଙ୍କ ପରଲୋକ । ଦୀର୍ଘ ଦିନ ହେବ ଲିଭର ଜଣ୍ଡିସରେ ପୀଡିତ ଥିଲେ ଯଲିଉଡର ଖଳନାୟକ ଜ୍ଞାନରଞ୍ଜନ । ଏହା ସହ ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଭୁବନ ମେଡିକାଲରେ ସୋମବାର ତାଙ୍କର ଦେହାନ୍ତ ଘଟିଛି। ତାଙ୍କ ପରଲୋକରେ ଯାତ୍ରା ଜଗତରେ ଶୋକର ଲହରି ଖେଳି ଯାଇଛି।

ଭୁବନ ଡାକ୍ତରଖାନାରେ ରହିଛି ତାଙ୍କ ମର ଶରୀର। ତୁଳସୀ ଗଣନାଟ୍ୟରୁ କଳାକାର ଜୀବନ ଆରମ୍ଭ କରି ଶେଷ ଥର ପାଇଁ କଳିଙ୍ଗ ଗଣନାଟ୍ୟରେ କଣ୍ଟ୍ରାକ୍ଟ କରିଥିଲେ। ଦେହ ଅସୁସ୍ଥ ହେବାରୁ ଘରକୁ ଆସି ଚିକିତ୍ସିତ ହେଉଥିଲେ। ଆଜି ପରିବାର ଲୋକେ ତାଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ ।  ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଜ୍ଞାନରଞ୍ଜନଙ୍କ ବିୟୋଗରେ ଭୁବନ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ବାଃ ବାଃରେ କ୍ୟାପିଟାଲ, ଖରାପ ଝିଅର ଗପ, ଅସତି ତୁଳସୀ ସତି ଚଉରା, ମିଛୁଆ ରାଧୁଆ ଗପ ସରିଲା, ହାଟ ବସେଇଛି ହଟ ନାଗରୀ ଆଦି ୧୦୦ ରୁ ଅଧିକ ନାଟକରେ ସେ ନିଜ ଅଭିନୟର ନିଖୁଣ ଅଭିନୟ ଦେଖାଇଛନ୍ତି। ତାଙ୍କ ଅଭିନିତ ପ୍ରତିଟି ଭୁମିକା ନିଶ୍ଚୟ ଭାବେ ଓଡ଼ିଶାର ଅଗଣୀତ ଯାତ୍ରାପ୍ରେମୀଙ୍କ ହୃଦୟରେ ଏକ ବିରାଟ ଛାପ ଛାଡ଼ିଛି।