ଲକ୍ଷ୍ନୌ: ମଦ ନିଶାରେ ଚୁର । ଆଉ କାରନାମା ଏମିତି ଯେ ସାରା ପୂରା ଅଞ୍ଚଳରେ ଖେଳିଗଲା ଆତଙ୍କ । ୧୧,୦୦୦ ଭୋଲ୍ଟର ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ି ହାଇ-ଟେନସନ୍ ତାର ଉପରେ ମୃତ୍ୟୁ ସହ ଖେଳ ! ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲା ଅନ୍ତର୍ଗତ ପରସା ଖୁର୍ଦ୍ଦ ଗ୍ରାମରେ ଜଣେ ମଦ୍ୟପ ବ୍ୟକ୍ତିଙ୍କ ଅଜବ କାରନାମା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ବ୍ୟକ୍ତିଜଣଙ୍କ ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଯାଇ ଉପରେ ଥିବା ହାଇ-ଭୋଲ୍ଟେଜ୍ ତାର ଉପରେ ଶୋଇପଡ଼ିଥିଲେ, ଯାହାକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ ।

ମଦ୍ୟପ ବ୍ୟକ୍ତିଙ୍କ ନାଁ ଦୀନ ଦୟାଲ ବୋଲି ଜଣାପଡ଼ିଛି । ସେ ୧୧,୦୦୦ ଭୋଲ୍ଟର ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ି ହାଇ-ଟେନସନ୍ ତାର ଉପରେ ଶୋଇ ରହିଥିଲେ । ଏହି ଖବର ସାମନାକୁ ଆସି ହେବା ମାତ୍ରେ ସେଠାରେ ବହୁ ସଂଖ୍ୟାରେ ଲୋକ ଜମା ହୋଇଯାଇଥିଲେ । ତାର ଉପରେ ଝୁଲି ରହିଥିବା ବ୍ୟକ୍ତିଙ୍କୁ ଦେଖି ଲୋକେ ଭୟରେ ଚିନ୍ତିତ ହୋଇପଡ଼ିଥିଲେ ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସୌଭାଗ୍ୟ ଯୋଗୁଁ ଏକ ନିଶ୍ଚିତ ଦୁର୍ଘଟଣା ଟଳିଯାଇଥିଲା । ଦୀନ ଦୟାଲ ଖୁଣ୍ଟ ଉପରକୁ ଚଢ଼ିବାର ମାତ୍ର କିଛି ମିନିଟ୍ ପୂର୍ବରୁ ହିଁ ସେହି ଲାଇନ୍‌ରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା । ଗ୍ରାମବାସୀ କହିଛନ୍ତି ଯେ ଯଦି ସେହି ସମୟରେ ତାରରେ କରେଣ୍ଟ ଥାଆନ୍ତା, ତେବେ ଯୁବକର ମୃତ୍ୟୁ ନିଶ୍ଚିତ ହୋଇଥାନ୍ତା ।

 

ବ୍ୟକ୍ତି ଜଣକ ତଳକୁ ଓହ୍ଲାଇବାକୁ ଆଦୌ ରାଜି ହୋଇନଥିଲେ । ବାଧ୍ୟହୋଇ ଭିତୌଲି ଥାନା ପୋଲିସ ଏବଂ ବିଦ୍ୟୁତ ବିଭାଗର ଅଧିକାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ପୋଲିସ ବିଦ୍ୟୁତ ବିଭାଗ ସହ ଯୋଗାଯୋଗ କରି ଉଦ୍ଧାର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସେହି ଅଞ୍ଚଳର ପାୱାର ସପ୍ଲାଇକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିଲା ।

ଭିତୌଲି ଥାନା ଅଧିକାରୀ ସତ୍ୟେନ୍ଦ୍ର କୁମାର ରାୟ କହିଛନ୍ତି, " ବ୍ୟକ୍ତି ଜଣକ ମଦ ପିଇ ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଯାଇଥିଲେ । ଆମେ ବିଦ୍ୟୁତ୍ ବିଭାଗ ସହ ସମନ୍ୱୟ ରକ୍ଷା କରି ତାଙ୍କୁ ବୁଝାଇ-ଶୁଝାଇ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇଛୁ । ପରେ ତାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।"