ଭୁବନେଶ୍ୱର ୧୩।୦୫ : ମାରିଜୁଆନା ଚାଲାଣର ଗଳାବାଟ ପାଲଟିଛି ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦର । ଏଠାରୁ ପୁଣି ଜବତ ହୋଇଛି ମାରିଜୁଆନା। ୪ କୋଟିରୁ ଅଧିକ ଟଙ୍କା ମୂଲ୍ୟର ମାରିଜୁଆନା ଜବତ ହେବା ସହ ୨ ତାମିଲ ସ୍ମଗଲରକୁ ଅଟକ ରଖିଛି କଷ୍ଟମସ୍ ବିଭାଗ। ଏତେ ପରିମାଣର ମାରିଜୁଆନା ସେମାନେ କାହାକୁ ଯୋଗାଇବାକୁ ଆଣୁଥିଲେ, ସେନେଇ ଉଭୟଙ୍କୁ ମାରାଥନ୍ ଜେରା କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ପୂର୍ବାହ୍ନରେ ବ୍ୟାଙ୍ଗକକରୁ ଭୁବନେଶ୍ୱର ଆସୁଥିବା ବିମାନରେ ୨ ଯାତ୍ରୀ ଲଗେଜରେ ମାରିଜୁଆନା ଚାଲାଣ କରୁଥିବା ଗୁଇନ୍ଦା ସୂଚନା ମିଳିଥିଲା। କଷ୍ଟମସ୍ ବିଭାଗର ଅଧିକାରୀମାନେ ଏଠାରେ ସମସ୍ତ ଯାତ୍ରୀଙ୍କ ଲଗେଜ୍ ଯାଞ୍ଚ କରିଥିଲେ। ତାମିଲନାଡ଼ୁର ୨ ଯାତ୍ରୀଙ୍କ ଲଗେଜ ଯାଞ୍ଚ କରିବା ବେଳେ ୨ଟି ଲଗେଜରୁ ପ୍ରାୟ ୧୧ କିଲୋ ଓଜନର ମାରିଜୁଆନା ମିଳିଥିଲା। ଯାହାର ଅନ୍ତର୍ଜାତୀୟ ବଜାର ମୂଲ୍ୟ ୪ କୋଟି ଟଙ୍କାରୁ ଅଧିକ ହେବ। ଉକ୍ତ ୨ ଯାତ୍ରୀ ବ୍ୟାଙ୍ଗ୍କକ୍ରୁ ମାରିଜୁଆନା ଚୋରାରେ ଆଣି ଆସୁଥିବା ସ୍ୱୀକାର କରିଥିଲେ। ସେମାନେ କାହାକୁ ଯୋଗାଇବାକୁ ଆଣି ଆସୁଥିଲେ, ସେନେଇ ମୁହଁ ଖୋଲି ନାହାନ୍ତି। ତେଣୁ ଉଭୟଙ୍କୁ ଅଟକ ରଖାଯାଇ ଅଧିକ ପଚରାଉଚରା ଜାରି ରହିଛି ।

Also Read:-ତ୍ରିକୋଣୀୟ ପ୍ରେମରୁ ଦୁଇ ଛାତ୍ରଙ୍କୁ ଅପହରଣ, କାର୍‌ରେ ଟେକି ନେଇ ପରିତ୍ୟକ୍ତ ଘରେ ବାନ୍ଧି ପିଟିଲେ, ଛାତ୍ରୀଙ୍କ ସମେତ ୮ ଗିରଫ

ତେବେ ଭୁବନେଶ୍ୱର ବିମାନବନ୍ଦରରୁ ବାରମ୍ବାର କୋଟି କୋଟି ଟଙ୍କାର ମାରିଜୁଆନା ଜବତ ହେଉଛି । ବ୍ୟାଙ୍ଗକକ୍ ଓ ମାଲେସିଆରେ ଅତି କମ୍ ମୂଲ୍ୟରେ ମାରିଜୁଆନା ମିଳୁଛି। ଭାରତରେ ଏହାର ମୂଲ୍ୟ ଯଥେଷ୍ଟ ଅଧିକ। ତେଣୁ ସ୍ମଗଲରମାନେ ସେଠାକାର କଷ୍ଟମସ୍ ବିଭାଗ ଅଧିକାରୀଙ୍କୁ ହାତକରି ମାରିଜୁଆନା ଭାରତକୁ ଆଣୁଛନ୍ତି। ଦେଶର ବିଭିନ୍ନ ବିମାନବନ୍ଦରରେ ଯାଞ୍ଚ କଡ଼ାକଡ଼ି ହେଉଥିବା ବେଳେ ଭୁବନେଶ୍ୱର ବିମାନବନ୍ଦର ସେମାନଙ୍କ ପାଇଁ ପାଲଟିଛି ଗଳାବାଟ। ତେଣୁ ସ୍ମଗଲରମାନେ ବ୍ୟାଙ୍ଗକକ ଓ ମାଲେସିଆରୁ ମାରିଜୁଆନା ଆଣି ଭୁବନେଶ୍ୱର ବିମାନବନ୍ଦର ଦେଇ ଦେଶର ବିଭିନ୍ନ ସହରକୁ ଚାଲାଣ କରୁଥିବା ଜଣାପଡ଼ିଛି। ଭୁବନେଶ୍ୱରରେ ପହଞ୍ଚିବା ପରେ ସ୍ମଗଲରମାନେ ଏଠାରୁ ଟ୍ରେନ୍ ଯୋଗେ ଦେଶର ବିଭିନ୍ନ ସହରକୁ ଯାଇଥାନ୍ତି। କାଁ ଭାଁ ଏଠାରେ କଷ୍ଟମସ୍ ବିଭାଗ ହାବୁଡ଼ରେ ଧରାପଡ଼ୁଛନ୍ତି। ନଚେତ୍ ଅନ୍ୟାୟାସରେ ଖସି ଯାଉଛନ୍ତି।