ଭୁବନେଶ୍ବର ୧୪।୭: ଭୁବନେଶ୍ବର ଶାସ୍ତ୍ରୀନଗରରେ ମର୍ସିଡିଜ୍ କାର୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣାରେ ପୋଲିସର ଆକ୍ସନ । ବନ୍ଧାହେଲା କିଲର୍ କାର୍ ଡ୍ରାଇଭର । କିଲର୍ କାର୍ ଡ୍ରାଇଭର ସୌମ୍ୟ ରଞ୍ଜନ ରଥ ଗିରଫ । ସେ ଆଇନ ଛାତ୍ର ଥିଲେ । ମଦ ପିଇ ଗାଡ଼ି ଚଳାଉଥିଲେ ବୋଲି ପୋଲିସ ସୂଚନା ଦେଇଛି । ରାସ୍ ଡ୍ରାଇଭିଂ ଓ ଡ୍ରଙ୍କନ ଡ୍ରାଇଭ୍ ମାମଲାରେ ସୌମ୍ୟଙ୍କୁ ଗିରଫ କରିଛି ପୋଲିସ । ବ୍ରେଥ୍ ଆନାଲାଇଜର ଚେକ୍ ବେଳେ ଏହା ସ୍ପଷ୍ଟ ହୋଇସାରିଛି । କଲ୍ପବୁଲ ହୋମିସାଇଡ୍ ଦଫାରେ ଗିରଫ କରାଯାଇଛି । BNS ୧୦୫ ଧାରାରେ ମାମଲା ରୁଜୁ କରାଯାଇଛି । ଅତି କମ୍ରେ ୫ ବର୍ଷରୁ ଆଜୀବନ ସଜା ପର୍ଯ୍ୟନ୍ତ ଦଣ୍ଡବିଧାନ ହୋଇପାରେ ।

ଉଲ୍ଲେଖଯୋଗ୍ୟ ଯେ, ସୋମବାର ରାତିରେ ଶାସ୍ତ୍ରୀନଗର ଛକରେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା ମର୍ସିଡିଜ୍ କାର୍ । ଯାହା ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ମୃତକ ଜଣଙ୍କ ହେଲେ ଦେବୀ ପ୍ରସାଦ ରାଉତରାୟ । ତାଙ୍କ ଘର ନୟାପଲ୍ଲୀ ନୂଆ ସାହିରେ । ମର୍ସିଡିଜ୍ ଚଳାଉଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ଅଟକ ରଖି ଖୋଳତାଡ଼ କରୁଥିଲା ଖାରବେଳ ନଗର ଥାନା ପୋଲିସ ।

Also Read:- ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ସମର୍ଥନ କଲା ବେଙ୍ଗାଲୁରୁ ଇସ୍କନ, ନିର୍ଦ୍ଧାରିତ ତିଥିରେ ହିଁ ହେବ ରଥଯାତ୍ରା

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ମର୍ସିଡିଜ୍ କାର୍କୁ ଭଙ୍ଗାରୁଜା କରିବା ସହ ଗାଡିକୁ ଛାଡି ନଥିଲେ ଉତ୍ୟକ୍ତ ଲୋକ । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ପୋଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା । ଅତିରିକ୍ତ ଡିସିପି, ଦୁଇଟି ଜୋନ୍ ୫ ଏବଂ ଜୋନ୍ ୧ର ଏସିପି, ୪ଟି ଥାନାର ଥାନା ଅଧିକାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେବି ସ୍ଥିତି ଅଣାୟତ୍ତ ହୋଇଥିଲା । ସେଥିପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଉତ୍ୟକ୍ତ ଲୋକେ ମଧ୍ୟ ପୋଲିସ ଉପରକୁ ଢେଲା ପଥର ମାଡ଼ କରିଥିଲେ । ଏହାସହ ଯେମିତି ଭିଡ଼ ହିଂସା ନହୁଏ ପୋଲିସ ତ୍ବରିତ ପଦକ୍ଷେପ ନେଇଥିଲା । ଦୁର୍ଘଟଣା ଘଟାଇଥିବା କାର୍କୁ ପୋଲିସ ଥାନାକୁ ଆଣିଥିଲା । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି ଖାରବେଳ ନଗର ଥାନା ପୋଲିସ ।