ଭୁବନେଶ୍ବର ୧୪।୭: ପୁରୀ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ସମର୍ଥନ କଲା ବେଙ୍ଗାଲୁରୁ ଇସ୍କନ । ନିର୍ଦ୍ଧାରିତ ତିଥିରେ ହିଁ ହେବ ରଥଯାତ୍ରା । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପରମ୍ପରା ଓ ରଥଯାତ୍ରା ସମୟକୁ ନେଇ ଚାଲିଥିବା ବିତର୍କ ମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ଆଭିମୁଖ୍ୟକୁ ବେଙ୍ଗାଲୁରୁ ସ୍ଥିତ ଇସ୍କନ ପକ୍ଷରୁ ପୂର୍ଣ୍ଣ ସମର୍ଥନ ମିଳିଛି । ଦୁଇ ଇସ୍କନ ସଂଗଠନ ମଧ୍ୟରେ ଭିନ୍ନମତ ଦେଖିବାକୁ ମିଳିଛି ।

ବେଙ୍ଗାଲୁରୁ ଇସ୍କନର ଗଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷ ମଧୁ ପଣ୍ଡିତ ଦାସ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଏକ ପତ୍ର ଲେଖି ନିଜର ସ୍ପଷ୍ଟ ଆଭିମୁଖ୍ୟ ଜଣାଇଛନ୍ତି । ସେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଗ୍ଲୋବାଲ ହରେକୃଷ୍ଣ ମୁଭମେଣ୍ଟର ସମସ୍ତ କେନ୍ଦ୍ରରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମୂଳ ପୀଠ ଦ୍ବାରା ଅନୁମୋଦିତ ନଅ ଦିନିଆ ସମୟସୀମା ମଧ୍ୟରେ ହିଁ ରଥଯାତ୍ରା ଆୟୋଜନ କରାଯିବ । ଏହା ସହିତ ନିର୍ଦ୍ଧାରିତ ତିଥିରେ ହିଁ ସ୍ନାନଯାତ୍ରା ନୀତି ସମ୍ପନ୍ନ କରାଯିବ । ଏହି ନିଷ୍ପତ୍ତି ସମସ୍ତ ସନାତନୀଙ୍କୁ ପ୍ରଭୁ ଜଗନ୍ନାଥଙ୍କ ସେବାରେ ଏକଜୁଟ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Also Read:- ପାଠ୍ୟପୁସ୍ତକ ତ୍ରୁଟିର ଫିଟିବ ଗୁମର, SCERT ପୂର୍ବତନ ନିର୍ଦ୍ଦେଶକଙ୍କୁ ଅଟକ ରଖି ପଚରାଉଚରା

ପୁରୀର ପ୍ରାଚୀନ ପରମ୍ପରା ରକ୍ଷା କରିବା ଦିଗରେ ଗଜପତି ମହାରାଜାଙ୍କ ନିରଳସ ସେବାକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି । ପତ୍ରରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ବେଙ୍ଗାଲୁରୁ ଇସ୍କନ ହେଉଛି ପଶ୍ଚିମବଙ୍ଗର ମାୟାପୁରରେ ମୁଖ୍ୟାଳୟ ଥିବା ଅନ୍ୟ ଇସ୍କନ ସଂଗଠନଠାରୁ ସମ୍ପୂର୍ଣ୍ଣ ପୃଥକ ଓ ସ୍ବାଧୀନ ପ୍ରତିଷ୍ଠାନ । ମାୟାପୁର ଗ୍ରୁପ୍ ମୁମ୍ବାଇରେ ପଞ୍ଜୀକୃତ ହୋଇଥିବା ବେଳେ ବେଙ୍ଗାଲୁରୁ ଇସ୍କନ ସୋସାଇଟି କର୍ଣ୍ଣାଟକରେ ପଞ୍ଜୀକୃତ ଅଟେ । ଏହି ରଥଯାତ୍ରା ପ୍ରସଙ୍ଗରେ ସେମାନଙ୍କ ଆଭିମୁଖ୍ୟ ମାୟାପୁର ଇସ୍କନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ସେମାନେ ପୁରୀ ଶ୍ରୀମନ୍ଦିରର ତିଥି ଓ ନିୟମକୁ କଡ଼ାକଡ଼ି ଭାବେ ପାଳନ କରନ୍ତି ।