ମୁମ୍ବାଇ: ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ ୩’ ବକ୍ସ ଅଫିସ୍ରେ ଧମାକାଦାର ଆରମ୍ଭ କରିଛି। ରିଲିଜ୍ ପୂର୍ବରୁ ଆଡଭାନ୍ସ ବୁକିଂରେ ଭଲ ରେସ୍ପନ୍ସ ପାଇଥିବା ଏହି ଫିଲ୍ମ ପ୍ରଥମ ଦିନରେ ଜବରଦସ୍ତ କଲେକ୍ସନ୍ କରିଛି l ରିପୋର୍ଟ ଅନୁସାରେ, ରାତି ୧୦ଟା ୩୦ ପର୍ଯ୍ୟନ୍ତ ‘ଦୃଶ୍ୟମ ୩’ ପ୍ରାୟ ୬୬.୭୫ କୋଟି ଟଙ୍କା ଇଣ୍ଡିଆ ନେଟ୍ କଲେକ୍ସନ୍ କରିଥିଲା। ଫିଲ୍ମକୁ ମୋଟ ୧୫,୭୩୫ଟି ଶୋ’ ମିଳିଥିବା ବେଳେ ଅକ୍ୟୁପାନ୍ସି ପ୍ରାୟ ୫୯ ପ୍ରତିଶତ ରହିଥିଲା। ବର୍ତ୍ତମାନ ସୁଦ୍ଧା ଫିଲ୍ମଟି କେବଳ ହିନ୍ଦୀ ଭାଷାରେ ରିଲିଜ୍ ହୋଇଛି।

‘ଦୃଶ୍ୟମ ୩’ ପ୍ରଥମ ଦିନର କଲେକ୍ସନ୍ ସହ ଅଜୟ ଦେବଗନଙ୍କ କ୍ୟାରିୟରର ସବୁଠାରୁ ବଡ଼ ଓପନର ହୋଇଛି। ଏହା ପୂର୍ବରୁ ତାଙ୍କର ‘ସିଂଘମ ଏଗେନ୍’ ପ୍ରଥମ ଦିନରେ ୪୩.୭ କୋଟି ଟଙ୍କା କଲେକ୍ସନ୍ କରିଥିବାର ରେକର୍ଡ ମଧ୍ୟ ରହିଛି । ଅଜୟଙ୍କ ଅନ୍ୟ ବଡ଼ ଓପନିଂ ଫିଲ୍ମ ମଧ୍ୟରେ ‘ସିଂଘମ ରିଟର୍ନ୍ସ’ ୩୨.୦୯ କୋଟି, ‘ଗୋଲମାଲ ଏଗେନ୍’ ୩୦.୧୪ କୋଟି ଏବଂ ‘ରେଡ୍ ୨’ ୧୯.୭୧ କୋଟି ଟଙ୍କାର ପ୍ରଥମ ଦିନର କଲେକ୍ସନ୍ କରିଥିଲା।

‘ଦୃଶ୍ୟମ ୩’ର ଓପନିଂ କଲେକ୍ସନ୍ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ଏବଂ ‘ଡଙ୍କି’ର ପ୍ରଥମ ଦିନର କଲେକ୍ସନ୍କୁ ମଧ୍ୟ ପଛରେ ପକାଇଛି ବୋଲି ରିପୋର୍ଟରେ କୁହାଯାଇଛି। ‘ପଠାନ’ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷା ମିଶାଇ ପ୍ରଥମ ଦିନରେ ପ୍ରାୟ ୫୭ କୋଟି ଟଙ୍କା କଲେକ୍ସନ୍ କରିଥିଲା। କେବଳ ହିନ୍ଦୀରେ ଏହାର କଲେକ୍ସନ୍ ପ୍ରାୟ ୫୫ କୋଟି ଟଙ୍କା ଥିଲା। ଅନ୍ୟପକ୍ଷରେ ‘ଡଙ୍କି’ ପ୍ରଥମ ଦିନରେ ପ୍ରାୟ ୨୯.୨୦ କୋଟି ଟଙ୍କା ଇଣ୍ଡିଆ ନେଟ୍ କଲେକ୍ସନ୍ କରିଥିଲା।

‘ଦୃଶ୍ୟମ ୩’ ଲୋକପ୍ରିୟ ‘ଦୃଶ୍ୟମ’ ଫ୍ରାଞ୍ଚାଇଜିର ତୃତୀୟ ଫିଲ୍ମ। ପୂର୍ବ ଦୁଇଟି ଫିଲ୍ମକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଥିବାରୁ ତୃତୀୟ ଭାଗକୁ ନେଇ ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଥିଲା। ଆଡଭାନ୍ସ ବୁକିଂରୁ ଆରମ୍ଭ କରି ରିଲିଜ୍ ପରେ ବକ୍ସ ଅଫିସ୍ ପର୍ଯ୍ୟନ୍ତ ଫିଲ୍ମଟି ଚର୍ଚ୍ଚାରେ ରହିଛି। ଅପରାଧ ଓ ରହସ୍ୟକୁ ନେଇ ତିଆରି ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ଆଗ୍ରହ ଏହାର ପ୍ରଥମ ଦିନର କଲେକ୍ସନ୍ରେ ମଧ୍ୟ ଦେଖିବାକୁ ମିଳିଛି।