ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଲଢ଼ୁଥିବା ନିଜ ସୈନ୍ୟବାହିନୀକୁ ଶକ୍ତିଶାଳୀ କରିବା ପାଇଁ ରୁଷ ବିଦେଶୀ ନାଗରିକଙ୍କୁ ଭର୍ତ୍ତି କରୁଛି । ଏହା ମଧ୍ୟରେ ଅନ୍ତତଃ ୧୮ ଜଣ ଆମେରିକୀୟ ନାଗରିକ ରୁଷ ସେନାରେ ଯୋଗ ଦେଇଥିବା ଚିହ୍ନଟ ହୋଇଛି । ନ୍ୟୁୟର୍କ ପୋଷ୍ଟ ୟୁକ୍ରେନ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ କରିଥିବା ରିପୋର୍ଟରେ ଏହା ଦାବି କରିଛି । ରିପୋର୍ଟ ଅନୁଯାୟୀ, ଆମେରିକାରୁ ଭର୍ତ୍ତି ହେଉଥିବା ଲୋକଙ୍କୁ ଚୁକ୍ତିପତ୍ର ସ୍ୱାକ୍ଷର ସମୟରେ ପ୍ରାୟ ୨୬,୦୦୦ ଆମେରିକୀୟ ଡଲାର (ସାଇନିଂ ବୋନସ୍) ସହ ମାସିକ ଦରମା ଦିଆଯାଉଛି ।

ଏହି ପୂରା ପ୍ରକ୍ରିୟା କେତେକ ଏଜେଣ୍ଟଙ୍କ ନେଟୱାର୍କ ଦ୍ୱାରା ପରିଚାଳିତ ହେଉଛି । ଫେସବୁକ୍, ଟିକଟକ୍ ଏବଂ ଟେଲିଗ୍ରାମ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରି ସମ୍ଭାବ୍ୟ ନିଯୁକ୍ତିଦାତାଙ୍କୁ ଖୋଜାଯାଉଛି । ୟୁକ୍ରେନ ଅଧିକାରୀମାନେ କହିଛନ୍ତି ଯେ ଏଜେଣ୍ଟମାନେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆଣିବା ପାଇଁ ଟଙ୍କା ପାଉଛନ୍ତି । କେତେକ ନିଯୁକ୍ତିଦାତାଙ୍କୁ ନୂଆ ସୈନିକ ପିଛା ପ୍ରାୟ ୨୪,୦୦୦ ଆମେରିକୀୟ ଡଲାର ଏବଂ ସୈନିକଙ୍କ ଦରମାରୁ କିଛି ଭାଗ ମିଳୁଛି ।

ଏହା ନିଯୁକ୍ତି ଆମେରିକୀୟମାନଙ୍କ ମଧ୍ୟରେ ସୀମିତ ନୁହେଁ । ୟୁକ୍ରେନର ସୁରକ୍ଷା ଅଧିକାରୀମାନେ ୧୩୫ଟି ଦେଶରୁ ପ୍ରାୟ ୨୯,୦୦୦ ବିଦେଶୀ ନାଗରିକ ରୁଷ ପକ୍ଷରୁ ଲଢ଼ୁଥିବା ଚିହ୍ନଟ କରିଛନ୍ତି । କିନ୍ତୁ ପ୍ରକୃତ ସଂଖ୍ୟା ଏହାଠାରୁ ଅଧିକ ହୋଇପାରେ । ଆମନେଷ୍ଟି ଇଣ୍ଟରନ୍ୟାସନାଲ ଦର୍ଶାଇଛି ଯେ ବିଦେଶୀ ନାଗରିକଙ୍କୁ ବେସାମରିକ ଚାକିରି, ଉଚ୍ଚ ଦରମା, ଆଇନଗତ ମାନ୍ୟତା କିମ୍ବା ରୁଷୀୟ ନାଗରିକତା ଦେବାର ପ୍ରଲୋଭନ ଦେଖାଇ ସେନାରେ ଭର୍ତ୍ତି କରାଯାଉଛି ।

ଏହିପରି ଭର୍ତ୍ତି ହୋଇଥିବା ଜଣେ ବ୍ୟକ୍ତି ହେଉଛନ୍ତି ସେଥ୍ ୱିଲିୟମ୍ ବେକର । ବେକର ଆରିଜୋନାର ଗିଲବର୍ଟର ଜଣେ ପୂର୍ବତନ ଆମେରିକୀୟ ମେରାଇନ୍ ଥିଲେ । ବେକର ଲାନ୍ସ କର୍ପୋରାଲ୍ ଭାବରେ ସେବା କରିଥିଲେ ଏବଂ ବଲ୍କ ଫୁଏଲ୍ ସ୍ପେଶାଲିଷ୍ଟ ଭାବରେ କାର୍ଯ୍ୟ କରୁଥିଲେ । ରୁଷ ସେନାରେ ଚୁକ୍ତିପତ୍ର ସ୍ୱାକ୍ଷର କରିବାର ପ୍ରାୟ ତିନି ମାସ ପରେ ୨୩ ବର୍ଷ ବୟସରେ ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଥିଲେ ।

ବେକର ୧୮ ବର୍ଷ ବୟସରେ ମେରାଇନ୍ସରେ ଯୋଗ ଦେଇଥିଲେ, କିନ୍ତୁ କୋଭିଡ୍-୧୯ ଟିକା ନେବାକୁ ମନା କରିବା ପରେ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା । ପରବର୍ତ୍ତୀ ସମୟରେ ସେ ଅନଲାଇନରେ ରୁଷର ପ୍ରୋପାଗଣ୍ଡା ସହ ସହ ଯୋଡ଼ି ହୋଇ ରୁଷ ଗସ୍ତ କରିଥିଲେ । ସିଆଇଏର ଜଣେ ପୂର୍ବତନ ଅଧିକାରୀଙ୍କ ୨୧ ବର୍ଷୀୟ ପୁଅ ମାଇକେଲ୍ ଗ୍ଲୋସ୍ ୨୦୨୪ ଏପ୍ରିଲରେ ୟୁକ୍ରେନରେ ଲଢ଼େଇ ସମୟରେ ନିହତ ହୋଇଥିଲେ । ୟୁକ୍ରେନ ଗୁପ୍ତଚର ସଂସ୍ଥା ଅନ୍ୟ ୧୭ ଜଣ ଆମେରିକୀୟଙ୍କୁ ମଧ୍ୟ ଚିହ୍ନଟ କରିଛି ଯେଉଁମାନେ ରୁଷ ସେନାରେ ଯୋଗ ଦେଇଥିଲେ । ଯୁଦ୍ଧକ୍ଷେତ୍ରରେ ରୁଷ କ୍ରମାଗତ ଭାବେ ବଡ଼ ଧରଣର କ୍ଷତି ସହୁଥିବା ସମୟରେ ଏହି ନିଯୁକ୍ତି ଚାଲିଛି । ୟୁକ୍ରେନ ଅଧିକାରୀଙ୍କ ଆକଳନ ଅନୁଯାୟୀ, ରୁଷ ପ୍ରତିମାସରେ ଦଶହଜାର ସୈନ୍ୟ ହରାଉଛି ଏବଂ ନିଜ ସେନାରେ ବିଦେଶୀ ନାଗରିକଙ୍କ ଭର୍ତ୍ତି ଉପରେ ଅଧିକ ନିର୍ଭର କରୁଛି ।